୪୮ ମାସରେ କେନ୍ଦ୍ର ବିସ୍ମୟକର ସଫଳତା ହାସଲ କରିଛି : ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ବଚ୍ଛତାର ସହ ନିର୍ଦ୍ଦିଷ୍ଟ ଅଭିପ୍ରାୟ ଏବଂ ଦୃଢ଼ପ୍ରତିଜ୍ଞତା ଯୋଗୁ କେନ୍ଦ୍ର ସରକାର ବିଗତ ୪୮ ମାସ ମଧ୍ୟରେ ଅନେକ କ୍ଷେତ୍ରରେ ବିସ୍ମୟକର ସଫଳତା ହାସଲ କରିପାରିଛନ୍ତି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।

ଲକ୍ଷ୍ନୋରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜନାଥ ସିଂହ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଏବେ ବିଶ୍ବର ଶ୍ରେଷ୍ଠ ୭ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇପାରିଛି । କେତେକ ସର୍ଭେରୁ ପ୍ରକାଶ, ଆଗାମୀ କେତେ ବର୍ଷ ମଧ୍ୟରେ ଏହା ଶ୍ରେଷ୍ଠ ୫ଟି ଅର୍ଥନୀତିରେ ସ୍ଥାନ ପାଇବ । ଆର୍ଥିକ ନିଅଣ୍ଟ ନିୟନ୍ତ୍ରଣରେ ଥିବା ଦର୍ଶାଇ ସେ କହିଥିଲେ ଯେ, ଏ କଥା ସତ୍ୟ ବର୍ଦ୍ଧିତ ଆମେରିକୀୟ ଡଲାର ଏବଂ ଅଶୋଧିତ ତୈଳ ଦର କିଛିଟା ଚାପ ସୃଷ୍ଟି କରିଛି । ତୈଳ ଦର ବୃଦ୍ଧି ସମସ୍ୟା ସମାଧାନର ପନ୍ଥା ବାହାର କରିବାକୁ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି । ସେ କହିଲେ ଯେ, ସ୍ଥିତି କୌଣସି ସଙ୍କଟରେ ନାହିଁ, କାରଣ ଆମ ବିଦେଶୀ ଅର୍ଥ ଭଣ୍ଡାରରେ ୪୦୦ ବିଲିୟନ ଡଲାର ରହିଛି । ଆକର୍ଷଣୀୟ ବିଦେଶୀ ନିବେଶ ନୀତି ଯୋଗୁ ଆମ ଦେଶରେ ୧୫୬ ବିଲିୟନ ଆମେରିକୀୟ ଡଲାର ନିବେଶ ହୋଇପାରିଛି ।

ରାଜନାଥ ସିଂହ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜନଧନ ଆକାଉଂଟ, ଆଧାର ଏବଂ ହିତାଧିକାରୀଙ୍କ ନିକଟକୁ ରିହାତି ଅର୍ଥ ଟ୍ରାନ୍ସଫର ପାଇଁ ମୋବାଇଲ ସଂଯୋଗ ଦେଶରେ ଏକ ଆନ୍ଦୋଳନ ସୃଷ୍ଟି କରିଛି । ୨୦ କୋଟି ହିତାଧିକାରୀଙ୍କ ମଧ୍ୟରେ ୬୯,୮୧୫ କୋଟି ଟଙ୍କା ବଂଟନ ହୋଇପାରିଛି । ଏବେ କୌଣସି ପ୍ରକାର ଅର୍ଥ ବାଟମାରଣା ହେଉନାହିଁ ଏବଂ ସମ୍ପୂର୍ଣ୍ଣ ଫାଇଦା ଲୋକଙ୍କ ନିକଟରେ ପହଂଚି ପାରୁଛି ବୋଲି ସେ କହିଥିଲେ ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଲେ ଯେ, ମୌଳିକ ଭିତିଭୂମି ବିକାଶରେ ଏବେ ବଡ଼ ପରିବର୍ତନ ହୋଇଛି ଏବଂ ଦ୍ରୁତ ଅଭିବୃଦ୍ଧି ଘଟିଛି । ପୂର୍ବରୁ ଦିନକୁ ୧୨ କିଲୋମିଟର ଏକ୍ସପ୍ରେସ୍ ୱେ ନିର୍ମିତ ହେଉଥିବା ବେଳେ ଏବେ ୨୭ କିଲୋମିଟର ହୋଇପାରୁଛି । ୨୦୪୦ ମସିହା ସୁଦ୍ଧା ଭାରତୀୟ ମୌଳିକ ଭିତିଭୂମି ବିକାଶରେ ୪ ରୁ ୫ ଟ୍ରିିଲିଅନ ଆମେରିକୀୟ ଡଲାର ନିବେଶ ହୋଇପାରିଥିବ । ପୂର୍ବରୁ ୫୬% ଗ୍ରାମକୁ ଗ୍ରାମାଂଚଳ ସଡ଼କ ନିର୍ମିତ ହୋଇ ପାରିଥିବା ବେଳେ ଏବେ ୮୨% ଗ୍ରାମ ଏହି ନେଟୱର୍କରେ ସାମିଲ ହୋଇପାରିଛି । ରାଜନାଥ ସିଂହ କହିଲେ ଯେ, ୨୦୨୨ ମସିହା ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣ ହୋଇଥିବ ଏବଂ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଦେଶର ୧୦ କୋଟି ଗରିବ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଦେବାକୁ ଆମ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ଆରମ୍ଭ କରିଥିବା ସେ କହିଥିଲେ । ଏହା ବିଶ୍ୱରେ ସବୁଠାରୁ ବୃହତ ସରକାରୀ ଯୋଜନା । ସ୍ୱାସ୍ଥ୍ୟ ବୀମାରେ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ ବୋଲି ସେ କହିଥିଲେ ।ଆର୍ଥିକ ଅନିୟମିତତା କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ‘ବେନାମୀ ଟ୍ରାଞ୍ଜାକ୍ସନ ଆଇନ’ ଲାଗୁ ହୋଇଥିବା ସେ କହିଥିଲେ । ଏବେ ଏପରି ଅପରାଧରେ ଜଡ଼ିତ ଥିବା ଲୋକଙ୍କର ଦେଶ ଓ ବିଦେଶରେ ଥିବା ସମ୍ପତି ଜବତ କରାଯିବ ।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବହମୁଖୀ ରଣନୀତି ଯୋଗୁ ଦେଶର ଆଭ୍ୟନ୍ତରୀଣ ନିରାପତା କ୍ଷେତ୍ରରେ ଉତମ ପରିବେଶ ସୃଷ୍ଟି କରିପାରିଛି । ସେ କହିଲେ ଯେ, ଉତର-ପୂର୍ବାଂଚଳରେ ସ୍ଥିତିରେ ଉନ୍ନତି ହୋଇଛି । ୧୯୯୭ ରୁ ୨୦୧୭ ମଧ୍ୟରେ ହିଂସା ୮୫% ହ୍ରାସ ହୋଇଥିବା ବେଳେ ହିଂସା ଜନିତ ମୃତ୍ୟୁ ଘଟଣାରେ ୯୬% ହ୍ରାସ ହୋଇଛି । ସମ୍ପୂର୍ଣ୍ଣ ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ଆଫସ୍ପା ପ୍ରତ୍ୟାହାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 − fifteen =