ମୋଦିଙ୍କୁ ଟକ୍କର ଦେବେ ପ୍ରଣବ ମୁଖାର୍ଜୀ !

ଜାତୀୟ ରାଜନୀତିରେ ନବୀନଙ୍କ ଭୂମିକା ବଦଳିବ

ଭୁବନେଶ୍ବର, 30/05 (ନିପ୍ର) :ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମ୍ଭାବ୍ୟ ଅଣବିଜେପି ମେଣ୍ଟର ମଙ୍ଗ ଧରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବିମୂର୍ତ୍ତିକୁ ଟକ୍କର ଦେବେ ପ୍ରଣବ । ଜାତୀୟ ସ୍ତରରେ ସୃଷ୍ଟି ହେଉଥିବା ଏହି ବିକଳ୍ପ ଶକ୍ତିରେ ବିଜେଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରମୁଖ ଭୁମୀକା ନେବାକୁ ଯାଉଛନ୍ତି । ରାଜ୍ୟରେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରି ସଫଳତା ପାଇଥିବା ନବୀନ ପଟ୍ଟନାୟକ ଏବେ ଜାତୀୟ ସ୍ତରରେ ନିଜର ଦବଦବା ସୃଷ୍ଟି କରୁଛନ୍ତି । ନବୀନ ନିବାସରେ ଆୟୋଜିତ ପଖାଳ ଭୋଜିରୁ ଏମିତି ଏକ ନୂଆ ରାଜନୈତିକ ଦୃଶ୍ୟପଟର ମୂଳଦୂଆ ପଡିଥିବା ଜାତୀୟ ବୈଦୁତିକ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଗତ ଜାନୁଆରୀ ମାସରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ ଦି ଟଲ ମ୍ୟାନର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ବର ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡା, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାନୀ ଓ ସିପିଆଇ ନେତା ସୀତାରାମ ୟେଚୁରୀ । ଜାତୀୟ ରାଜନୀତିର ଏହି ବହୁଚର୍ଚ୍ଚିତ ବ୍ୟକ୍ତିତ୍ବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ପଖାଳ ଭୋଜିକୁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପଖାଳ ଭୋଜି ସଂପର୍କରେ ସେ ସମୟରେ ନବୀନ ପଟ୍ଟନାୟକ ଟ୍ୱିଟ କରି ନିଜ ଖୁସି ପ୍ରକାଶ କରିଥିଲେ । ସେ ସମୟରେ ଯଦିଓ ଏହି ଟ୍ବିଟକୁ ନେଇ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା ହୋଇନଥିଲା, ଏବେ ଜାତୀୟ ସ୍ତରରେ ପରିବର୍ତ୍ତିତ ରାଜନୈତିକ ପୃଷ୍ଠଭୂମୀରେ ନବୀନଙ୍କ ସେହି ପୂରୁଣା ଟ୍ବିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାପୂର୍ବରୁ ନବୀନ ପଟ୍ଟନାୟକ ରାଇସିନା ହିଲସରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ମଧ୍ୟାହ୍ନ ଭୋଜିରେ ଯୋଗ ଦେଇଥିଲେ । ରାଇସେନା ହିଲସ ହେଉ କି ନବୀନ ନିବାସ, ବିଜେପି ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ନେଇ କେଉଁଠି ନା କେଉଁଠି ମୂଳଦୂଆ ପଡିଛି ଏବଂ ନବୀନ ପଟ୍ଟନାୟକ ଏଥିରେ ବଳିଷ୍ଠ ଭୂମୀକା ନେବାକୁ ଯାଉଛନ୍ତି । କେବଳ ନବୀନ ନିବାସ କି ରାଇସିନା ହିଲସ ନୁହେଁ, ସୋନିଆ ଗାନ୍ଧୀ ମଧ୍ୟ ନିକଟରେ ସବୁ ବିଜେପି ବିରୋଧୀ ନେତାଙ୍କ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ । ଏଥିରେ ତୃତୀୟ ମେଣ୍ଟ ଗଠନ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି ।

ଏନଡିଟିଭି ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଭବନରେ ନବୀନ-ପ୍ରଣବ ଭେଟଭାଟ ପୂର୍ବରୁ ତୃତୀୟ ସାମୁଖ୍ୟର ଆଉ ଜଣେ ପ୍ରମୁଖ ଅଂଶିଦାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ରିପୋର୍ଟ ଅନୁଯାୟୀ କେନ୍ଦ୍ରରେ ମୋଦିଙ୍କ ଭାବମୂର୍ତ୍ତିକୁ କାଉଣ୍ଟର କରିବାକୁ ପ୍ରଣବ ମୁଖାର୍ଜୀ ହିଁ ଏକମାତ୍ର ବିକଳ୍ପ । ଅଣ-ବିଜେପି ରାଜନୀତିରେ ସେ ପ୍ରମୁଖ ଭୂମୀକା ନେବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସର ଏହି ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସବୁ ସହଯୋଗୀ ଦଳଙ୍କୁ ସାଥିରେ ନେଇ ଚାଲିବାରେ ବେଶ ଧୁରନ୍ଧର । କୁହାଯାଉଛି ଏହି ୮୨ ବର୍ଷିୟ ବରିଷ୍ଠ ରାଜନେତା ଅଣକଂଗ୍ରେସ ଓ ଅଣବିଜେପି ଦଳଗୁଡିକୁ ଏକାଠି କରି ଏକ ଶକ୍ତିଶାଳୀ ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୯ରେ ସବୁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଏକମତ ପ୍ରସ୍ତାବ ରଖିପାରନ୍ତି । ଯେଉଁଥିପାଇଁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଅନେକ ବିଜେପି ବିରୋଧୀ ନେତା ତାଙ୍କୁ ଭେଟି ରାଜନୈତିକ ଆଲୋଚନା କରୁଥିବା ଆଲୋଚନା ହେଉଛି ।

ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଗଲେ ଟିଟିପି, ଟିଏମସି, ବିଏସପି, ଏସପି, ଶିବ ସେନା ଭଳି ବିଜେପି ବିରୋଧୀ ଶକ୍ତି ବିରୋଧ କରିବେ ନାହିଁ । ଏପରିକି ନବୀନ ମଧ୍ୟ ପ୍ରଣବଙ୍କୁ ସମର୍ଥନ ଦେଇପାରନ୍ତି ବୋଲି କୁହାଯାଉଛି । ୨୦୧୨ରେ ପ୍ରଣବଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଟିଏମସି ଓ ଶିବସେନା ମଧ୍ୟ ସମର୍ଥନ ଜଣାଇଥିଲେ । ବିଜେପି ବିରୋଧୀ ଏମିତି କିଛି ଶକ୍ତି ଏକାଠି ହୋଇ ଏକ ଶକ୍ତିଶାଳୀ ବିକଳ୍ପ ମେଣ୍ଟ ଗଠନର ଉଦ୍ୟମ କରୁଛନ୍ତି, ତେବେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ମୋଦିଙ୍କୁ ଟକ୍କର ଦେଇପାରିବେ ସେନେଇ ସହମତି ଲୋଡା ଚାଲିଥିବା କିଛି ବିଜେପି ନେତା ସୂଚନା ଦେଇଥିବା ରିପୋର୍ଟରେ କୁହାଯାଇଛି । ଏଭଳି ଏକ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଳିଷ୍ଠ ଭୂମୀକା ନେବେ ବୋଲି ସମ୍ଭାବନା ପ୍ରକାଶ କରାଯାଇଛି । କିନ୍ତୁ ବିଜେଡି କହିଛି ଜାତୀୟ ଗଣମାଧ୍ୟମର ଏହି ରିପୋର୍ଟ କେବଳ ଏକ ରାଜନୈତିକ କଳ୍ପନା ଜଳ୍ପନା ।

Share

Leave a Reply

Your email address will not be published. Required fields are marked *

four × 2 =