୧୫୦୮ କୋଟି ଟଙ୍କାର ପୁଂଜି ନିବେଶକୁ ମଂଜୁରୀ

ଭୁବନେଶ୍ବର, 30/05 (ନିପ୍ର) :ରାଜ୍ୟରେ ଶିଳ୍ପାୟର ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୫ଟି ନୂଆ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ୫ଟି ପ୍ରକଳ୍ପରେ ୧୫୦୮.୧ କୋଟି ଟଙ୍କାର ପୁଂଜିନିବେଶ ହେବା ସହ ୨୧୫୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥିସହିତ ଏହିସବୁ ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରଶାସନିକ ମଂଜୁରୀ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହିସବୁ ପ୍ରକଳ୍ପ ମଧ୍ୟରେ ଭଦ୍ରକ ଟେକଷ୍ଟାଇଲ ପାର୍କରେ ବାର୍ଷିକ ୩ଲକ୍ଷ ୨୪ ହଜାର ଟନ ପଲିଷ୍ଟର ଉତ୍ପାଦନ କ୍ଷମତା ସଂପନ୍ନ ପଲିଷ୍ଟର ଉତ୍ପାଦନ ଶିଳ୍ପକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ପାଇଁ ୯୭୫.୧୦ କୋଟି ଟଙ୍କାର ପୁଂଜିନିବେଶ ହେବ । ଅନୁଗୁଳ ଆଲୁମିନିୟମ ପାର୍କରେ ୨୦୦ କୋଟି ଟଙ୍କା ପୁଂଜିନିବେଶରେ ଏକ ଆଲୁମିନିୟମ ଉତ୍ପାଦଳ ଶିଳ୍ପକୁ ମଧ୍ୟ ମଂଜୁରୀ ମିଳିଛି । ଏହି ଶିଳ୍ପ ଦ୍ବାରା ୫୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୦ କୋଟି ଟଙ୍କା ପୁଂଜି ନିବେଶ ଏବଂ ୯୨୦ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ପାରାଦ୍ବୀପରେ ଏକ ଖାଇବା ତେଳ ଉତ୍ପାଦନ ଶିଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ମଂଜୁରୀ ଦେଇଛି । ଖୋର୍ଦ୍ଧାରେ ୭୧ କୋଟି ଟଙ୍କା ପୁଂଜିନିବେଶରେ ଏକ ପାସ୍ତା ଓ ମିଠା ଆଳୁ ପାଉଡର ୟୁନିଟକୁ ବି ମଂଜୁରୀ ମିଳିଛି । ଏହାଦ୍ବାରା ୩୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିଭଳି ୬୨ କୋଟି ପୁଂଜି ନିବେଶରେ ଡେରାସ ସି ଫୁଡ୍ ପାର୍କରେ ହେବାକୁ ଥିବା ଏକ ଶିତଳ ଭଣ୍ଡାର ସର୍ଭିସ ସେଷ୍ଟରକୁ ମଧ୍ୟ ମଂଜୁରୀ ମିଳିଛି । ଏହାଦ୍ବାରା ୨୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋଖାଦ୍ୟ ଉତ୍ପାଦନକାରୀ ସୁଗୁଣା ଫୁଡର ସ୍ଥାନାନ୍ତରଣ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହି ଶିଳ୍ପ ଭୁବନେଶ୍ବରରୁ ଖୋର୍ଦ୍ଦା ଜୟମଙ୍ଗଳ ଶିଳ୍ପାଞ୍ଚଳକୁ ସ୍ଥାନାନ୍ତରିତ ହେବ । ଏଠାରେ ବାର୍ଷିକ ୧ଲକ୍ଷ ୨୪ହଜାର ୮୦୦ ଟନ ଗୋଖାଦ୍ୟ ଉତ୍ପାଦନ ହେବା ସହ ୪୮୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Share

Leave a Reply

Your email address will not be published. Required fields are marked *

twelve − 1 =