ଗାନ୍ଧିଜୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ବହୁବିଧ ପ୍ରସ୍ତାବ

ଭବନେଶ୍ବର ()  ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମର ପ୍ରସ୍ତାବ ଘୋଷଣା କରିଛନ୍ତି  । ରାଜ୍ୟ ସ୍ତରୀୟ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କମିଟିରେ ପ୍ରଥମ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନ ହୋଇଥିବା ବେଳେ ଅଧିକରୁ ଅଧିକ କାର୍ଯ୍ୟକ୍ରମର ପ୍ରସ୍ତାବ ଆହ୍ବାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମର ପ୍ରସ୍ତାବମାନ ଉପସ୍ଥାପନ କରିଥିଲା । ବିରୋଧୀ ଦଳ ନେତ ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ ଓ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଅଧିକରୁ ଅଧିକ ପ୍ରସ୍ତାବ ଗ୍ରହଣ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ସେଲ ଖୋଲାଯିବ।

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି, ସେ ମଧ୍ୟରେ ରହିଛି ଓଡିଶାର ପ୍ରତ୍ୟେକ ବ୍ଲକରେ କସ୍ତୁରବା ଆଦର୍ଶ ଗ୍ରାମ ପଂଚାୟତ ଚିହ୍ନଟ କରାଯିବ । ସେହି ପଂଚାୟତରେ ପୀଠଗୁଡିକରେ ଜନସଭା ସହ ଉତ୍ସବ ପାଳନ କରାଯିବ । ମହାତ୍ମା ଗାନ୍ଧୀ ଓ ସ୍ବାଧୀନତା ସଂଗ୍ରାମ ସଂପର୍କିତ କବିତା ପାଠ, ଚିତ୍ର ପ୍ରଦର୍ଶନୀ ଓ ସଂଗୀତ ପରିବେଷଣ କରାଯିବ । ଦଶମ ଓ ଦ୍ବାଦଶ ଶ୍ରେଣୀରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଜୀବନ ଆଦର୍ଶ ବ୍ୟତିତ ଲେଖା ସ୍ଥାନିତ କରାଯିବ । ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗାନ୍ଧୀ ବିଚାର ଅଧ୍ୟୟନକେନ୍ଦ୍ର ପ୍ରତିଷ୍ଠା ହେବ । ପ୍ରତି ଜିଲ୍ଲାର ଏକ ପ୍ରମୁଖ ରାସ୍ତାକୁ ମହାତ୍ମା ଗାନ୍ଧୀ ମାର୍ଗ ନାଁରେ ନାମିତ କରାଯିବ । ଗାନ୍ଧୀ ସର୍କିଟର ଭିତ୍ତିଭୂମୀ ବିକାଶ ସହ ଗାନ୍ଧିଜୀଙ୍କ ବିଚାର ଓ ଚଚନା ସଂପର୍କରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ପାଠଚକ୍ରର ଆୟୋଜନ କରାଯିବ ।

ଦୁଇ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ସମୟରେ ବନ୍ଦୀଙ୍କୁ ସ୍ବତନ୍ତ୍ର କ୍ଷମା ପ୍ରଦାନ କରାଯିବା ସହ ରାଜଧାନୀରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କରାଯିବ । ଗାନ୍ଧୀ ରଚନାର ପୁନଃମୁଦ୍ରଣ ସହ ଗାନ୍ଧୀ  ଚଳଚ୍ଚିତ୍ରର ଓଡିଆ ଭାଷାନ୍ତର କରିବା, ସ୍ବାଧୀନତା ସଂଗ୍ରାମୀଙ୍କ ଦୃଶ୍ୟ ଶ୍ରାବ୍ୟ ରେକର୍ଡ ପ୍ରସ୍ତୁତ କରିବା, ଗାନ୍ଧିଜୀଙ୍କ ଓଡିଶା ଆଗମନ ଓ ରହଣୀର ଫଟୋ ସମ୍ବଳିତ କ୍ୟାଲେଣ୍ଡର ପ୍ରକାଶ କରିବା ଓ ଗାନ୍ଧିଜୀଙ୍କ ସଂପର୍କରେ ସ୍ବତନ୍ତ୍ର ୱେବ ସାଇଟ ଖୋଲାଯିବାର ପ୍ରସ୍ତାବ ରହିଛି ।

Share

Leave a Reply

Your email address will not be published. Required fields are marked *

18 + fourteen =