ଓଡିଶାରୁ ପ୍ରଥମ ଥର ଦୁଇ ଜଣଙ୍କୁ ରାଷ୍ଟ୍ରପତି କଲେ ମନୋନିତ

ଭୁବନେଶ୍ବର () ରାଜ୍ୟସଭାରେ ଖାଲି ପଡିଥିବା 4ଟି ମନୋନୀତ ସାଂସଦ ପଦକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ 4ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି । ସେମଧ୍ୟରେ ଓଡିଶାରୁ ଦୁଇଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି । ସେମାନେ ହେଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସୁନାମଧନ୍ୟ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ସୋନାଲ ମାନସିଂ । ଏଥିସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଚିନ୍ତକ ପ୍ରଫେସର ରାକେଶ ସିନହା ଓ କୃଷକ ନେତା ରାମ ସକଲଙ୍କୁ ମଧ୍ୟ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।

ପ୍ରଥମ ଥର ପାଇଁ ଓଡିଶାରୁ ଏହି ଦୁଇ ବିଶିଷ୍ଟ ଶିଳ୍ପୀ ରାଜ୍ୟସଭାକୁ ମନୋନିତ ସଦସ୍ୟ ହେବାର ସୁଯୋଗ ପାଇଛନ୍ତି । ରାଷ୍ଟ୍ରପତି ରାଜ୍ୟସଭାର 12ଟି ଆସନ ପାଇଁ ଦେଶର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜମ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନିତ କରିଥାନ୍ତି । ଆଜି ପର୍ଯ୍ୟନ୍ତ କିନ୍ତୁ ଓଡିଶାର କେହି ଜଣେ ହେଲେ ମନୋନିତ ସଦସ୍ୟ ଭାବେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନିତ ହୋଇନଥିଲେ ।

ରଘୁନାଥ ପୂର୍ବରୁ 2014 ରାଜ୍ୟସଭା ଉପନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ରଘୁନାଥଙ୍କୁ ବିଜେଡି ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ସମର୍ଥନ ଘୋଷଣା କରିଥିଲା । ବିଜେପି ଦୀର୍ଘ ଦିନ ଧରି ତର୍ଜମା କରିବା ପରେ ଶେଷ ମୂହୁର୍ତ୍ତରେ ରଘୁନାଥଙ୍କୁ ସମର୍ଥନ ଘୋଷଣା କରିଥିଲା  । କିନ୍ତୁ ଏହାକୁ ନେଇ ଦଳ ମଧ୍ୟରେ ଦ୍ବିମତ ରହିଥିଲା । ଫଳରେ ରାଜନୀତିର ସଂଖ୍ୟା ଖେଳରେ ରଘୁନାଥ ହାରିଯାଇଥିଲେ ।

ଟେନ୍ଦୁଲକର, ରେଖା, ଅନୁ ଆଗ। ଓ କେ ପରସରନଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରୁ ସରିବା ପରେ ଏହି 4ଟି ପଦବୀ ଖାଲି ପଡିଥିଲା । ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟର ଦୁଇ ବିଶିଷ୍ଟ ଶିଳ୍ପୀଙ୍କୁ ମନୋନିତ କରିଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ରଘୁନାଥ ଓ ସୋନାଲ ମାନସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସିଥିବା ଅବସରରେ ରଘୁନାଥଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ।

Share

Leave a Reply

Your email address will not be published. Required fields are marked *

11 + eighteen =