ଟିଟୋ ମଠରେ ‘ଜାମ୍ମୁ କାଶ୍ମୀର’

ଦରବାର ସହ 6ଟି ସ୍ଥାନରେ ଛାନବିନ କଲା କ୍ରାଇମବ୍ରାଞ୍ଚ

ମଠରେ ହେଉଥିଲା ଅପରାଧର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର (): ପାଞ୍ଚ ଦିନିଆ ରିମାଣ୍ଡରେ ଟିଟୋ ଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ସହାୟତାରେ ବଡ଼ ଧରଣର ରେଡ୍ କରିଛି କ୍ରାଇମବ୍ରାଂଚ। ଦିଲାରପୁର ସ୍ଥିତ ଟିଟୋର ବାସଭବନ, ଦପ୍ତର, ପେଟ୍ରୋଲ ଟାଙ୍କି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଟିଟୋର ଆତଙ୍କବାଦ ଲିଙ୍କ ନେଇ ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଂଚ। ଟିଟୋର ମଠରୁ ମିଳିଛି ଏକ ବହି, ଯାହାର ନାଁ ଜାମ୍ମୁ କାଶ୍ମୀର । ଯାହା ପୋଲିସର ସନ୍ଦେହକୁ ବଢାଇ ଦେଇଛି । ତେବେ ଚଢ଼ାଉ ବେଳେ ଗ୍ୟାଙ୍ଗଷ୍ଟରର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ‘ମଠ’ ସାମ୍ନାକୁ ଆସିଛି । ଏହା ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ଲାଗି କଟକଣା ରହିଛି । ୨୦୦ ସିସିଟିଭି ନଜରରେ ରହିଛି ଏହି ଅଞ୍ଚଳ । କୁହାଯାଉଛି, ଏହି ସ୍ଥାନରେ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ବଡ଼ ବଡ଼ ଡିଲ୍ କରୁଥିଲା ଟିଟୋ । ଆଉ ଏହି ସ୍ଥାନରୁ ଗତ ଜୁନ ୩୦ ତାରିଖରେ ଗ୍ୟାଙ୍ଗଷ୍ଟର ଓ ତା’ର ସହଯୋଗୀଙ୍କୁ କାବୁ କରିଥିଲା ଏସଟିଏଫ୍ ।

ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେବା ପରେ ତା’ର କଳା ସାମ୍ରାଜ୍ୟର ଆରମ୍ଭ ହୋଇଯାଇଛି ଖୋଳତାଡ଼। ଆଜି କେନ୍ଦ୍ରପଡ଼ା ଦିଲାରପୁର ସ୍ଥିତ ଟିଟୋର ବାସଭବନ, ଦପ୍ତର, ପେଟ୍ରୋଲ ଟାଙ୍କି ସମେତ ୬ଟି ସ୍ଥାନରେ ଚଢାଉ କରିଛି କେନ୍ଦ୍ରାପଡ଼ା ପୋଲିସ ସହ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କେବଳ ସେତିକି ନୁହେଁ ଟିଟୋର ଭାଇ ଓ ଘନିଷ୍ଠ ସହଯୋଗୀମାନଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ ଲାଲ ଓ କେନ୍ଦ୍ରାପଡ଼ା ଏସପି ନୀତିଶେଖରଙ୍କ ନେତୃତ୍ବରେ ୧୦ ଜଣ ଅଧିକାରୀ ଓ ୫ ପ୍ଲାଟୁନ୍ ଫୋର୍ସ ପୂରା ଅଂଚଳରେ ଛାନଭିନ୍ ଚଳାଇଛି । ବିଭିନ୍ନ ବ୍ୟାଙ୍କର ପାସବୁକ୍ ଜବତ କରିଛି ପୋଲିସ । ତା’ ଭାଇ ଅଫିସରୁ ଭୁଜାଲି ଓ କଟୁରି ଜବତ କରାଯାଇଛି।

ଗ୍ୟାଙ୍ଗଷ୍ଟରର ଅଭେଦ୍ୟ ଦୁର୍ଗ, ଗୋପନରେ ଚାଲିଥିଲା ଟିଟୋର ଦରବାର । ପୋଲିସ ରେଡ୍ ବେଳେ ସାମନାକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ମଠ । ବାସଭବନରୁ ୫୦ ଫୁଟ ଦୂରରେ ରହିଛି ଏହି ଘର । ଘର ଚାରିପଟେ ବିଶାଳ ପାଚେରୀ । ଗେଟର ତାଲା ଭାଙ୍ଗି ଆଜି ତା ଉପରେ ରେଡ୍ ମାରିଛି ପୋଲିସ । ମଠ ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ନିଷେଧ ବୋଲି ଲେଖାଯାଇଛି । ଏହି ଘରୁ କଠଉ ଓ ଚିଲମ ଜବତ କରିଛି ପୋଲିସ । ହେଲେ କୁହାଯାଉଛି, ଏହି ମଠରେ ଚାଲୁଥିଲା ସମସ୍ତ ପ୍ରକାରର ଡିଲ । ଏଇଠି ହେଉଥିଲା ଟେଣ୍ଡର ଫିକ୍ସିଂ, ହତ୍ୟା, ଡକାୟତି ଭଳି ସଂଗୀତ ଅପରାଧର ବ୍ଲୁ ପ୍ରିଂଟ । ଏପରିକି ଯେଉଁମାନେ ଟିଟୋକୁ ଭେଟିବାକୁ ଚାହୁଁଥିଲେ ସେମାନେ ଏହି ମଠକୁ ଯାଇ ସାକ୍ଷାତ କରୁଥିଲେ । ମଠ ଭିତରକୁ ପ୍ରବେଶ କଲାବେଳେ ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟରର ଜଣେ ବିଶ୍ବସ୍ତ ଲୋକ ରହୁଥିଲେ । ତନତନ କରି ଯାଂଚ କରିବା ପରେ ଭିତରକୁ ଛଡାଯାଉଥିଲା । ଏହି ମଠରୁ ଟିଟୋକୁ କାବୁ କରିଥିଲା ପୋଲିସ ।

ଗତ ଜୁନ ୩୦ ତାରିଖରେ ଟିଟୋକୁ ଏହି ମଠରୁ ଉଠାଇ ନେଇଥିଲା କ୍ରାଇମବ୍ରାଂଚର ସ୍ବତନ୍ତ୍ର ଟାସ୍କ ଫୋର୍ସ । ତେବେ ୭ ମିନିଟର ଏହି ଅପରେସନ୍ ପାଇଁ ବଡ଼ ଯୋଜନା କରିଥିଲା ପୋଲିସ । ସିସିଟିଭି ନଜରରୁ ଦୂରେଇ ରହିବା ପାଇଁ ୨୦୦ ମିଟର ଦୂରରେ ରହିଥିଲା ଫୋର୍ସ । ମାତ୍ର ୪ ଜଣ ବଛା ବଛା ଯବାନ ଦୁଇଟି ବାଇକରେ ପହଁଚିଥିଲେ ଟିଟୋର ଏହି ମଠ ନିକଟରେ । ପାଚେରି ନିକଟରେ ପହରା ଦେଉଥିବା ସହଯୋଗୀ ତନୋକୁ କାବୁ କରିବା ପରେ ମଠ ଭିତରକୁ ପ୍ରବେଶ କରିଥିଲେ ଏସଟିଏଫର ଦୁଇ ଯବାନ । ସିଧା ଟିଟୋର ମୁଣ୍ଡ ଉପରେ ପିସ୍ତଲ ରଖି ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲେ । ଖସି ଯିବାର ସବୁ ବାଟ ମଧ୍ୟ ବନ୍ଦ ହୋଇ ଯାଇଥିଲା ।

କେବଳ ଏହି ମଠ ନୁହେଁ ବାସଭବନ ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ଥିଲା । ଆଲିଶାନ ବଙ୍ଗଳା ଭଳି ଦେଖାଯାଉଥିବା ଟିଟୋର ଘର କୌଣସି ରାଜମହଲଠାରୁ କମ ନୁହେଁ । ଆସବାବପତ୍ର ଯେପରି ମହଙ୍ଗା, ସେହିପରି ରହିଛି ଅୟସ ଆରମ ପାଇଁ ସାମଗ୍ରୀ । ଭିତରକୁ ଯିବା ପାଇଁ ରହିଛି ଗୋଟିଏ ରାସ୍ତା । ୨୦୦ ସିସିଟିଭିର ନଜରରେ ରହିଛି ପୂରା ଅଂଚଳ ।

ସେପଟେ ଟିଟୋର ଆତଙ୍କବାଦ ଲିଙ୍କ ସଂଦେହରେ ତନାଘନା କରୁଛି କ୍ରାଇମବ୍ରାଂଚ । ଟିଟୋର ମଠରୁ ମିଳିଛି ଏକ ବହି, ଯାହାର ନାଁ ଜାମ୍ମୁ କାଶ୍ମୀର । ଆତଙ୍କବାଦୀ ଅବଦୁର ରହେମାନର ଭାଇ ତାହିର ଅଲ୍ଲୀକୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଅଛି ଟିଟୋ । ତା’ ନିକଟରୁ ଏପରି ବହି ମିଳିବା ବଡ଼ ସଂଦେହ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

1 + seventeen =