ରାଜ୍ୟ ପରିବହନରେ ୯ ଅନଲାଇନ୍ ସେବା

ଭୁବନେଶ୍ୱର: ଏଣିକି ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ପ୍ରକ୍ରିୟାରେ ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍,ଏବଂ ଯେ କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନ ଜରିଆରେ କରିହେବ ।ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଗାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ ।

ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନ ମାଧ୍ୟମରେ ଯୋଗାଇ ଦେଉଛନ୍ତି । ଦୈନନ୍ଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

6 − 2 =