ଧରାପଡିଲା ସୁନ୍ଦରୀ

ଦୀର୍ଘ ୧୫ ଦିନକାଳ ଜଙ୍ଗଲ ବିଭାଗ ପଶୁ ସମ୍ପଦ ବିଶେଷଂଗ୍ୟ ଏବଂ ସାଧାରଣ ଲୋକଙ୍କୁ ନାକେଦମ କରିଥବା ସୁନ୍ଦରୀ ବାଘୁଣି ଶେଷରେ କବ୍ଜାକୁ ଆସିଛି । ଆଜି ତାକୁ ଟ୍ରାଙ୍କୁଲାଇଜ କରାଯାଇ ପାରିଛି । ନନ୍ଦନ କାନନରୁ ଅଣାଯାଇଥିବା ହାତୀ ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ଏହା ସ୍ଥାନୀୟ ଅଂଚଳରେ ଆଶ୍ୱସ୍ତି ଆଣିଛି । ଏସମ୍ପର୍କରେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍ରେ ନିୟୋଜିତ କରାଯାଇଥିଲା। ଯାହା ସଫଳ ହୋଇଛି। ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ। ଏବେ ସୁନ୍ଦରୀକୁ ରାଇଗୁଡ଼ାକୁ ନିଆଯିବ।”
ସୂଚନାଯୋଗ୍ୟ, ଅନୁଗୋଳ ସାତକୋଶିଆ କୋର ଜଙ୍ଗଲରେ ସୁନ୍ଦରୀକୁ ଛଡ଼ାଯାଇଥିଲା। ହେଲେ ସୁନ୍ଦରୀ ଜଙ୍ଗଲ ଭିତରେ ରହିବା ବଦଳରେ ଜନବସତି ଆଡ଼କୁ ଚାଲି ଆସିଥିଲା। ସେତିକି ନୁହେଁ ବ୍ୟାଘ୍ର‌୍ୟ ପ୍ରକଳ୍ପର ହାତିବାରୀ ଓ ଟାଇଁସିରେ ଦୁଇ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ମଧ୍ୟ ତା’ ମୁଣ୍ଡରେ ଲାଗିଛି।
ଟାଇଁସି ଅଞ୍ଚଳରେ ସୁନ୍ଦରୀ ଜଣଙ୍କୁ ମାରିବା ଅଭିଯୋଗ ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ରାସ୍ତାରେ ଶବ ରଖି ସାତକୋଶିଆରୁ ସୁନ୍ଦରୀକୁ ସ୍ଥାନାନ୍ତର ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ ପୋଡ଼ି ଦେଇଥିଲେ। ଲୋକଙ୍କ ଢେଲା ମାଡ଼ରେ ୩ ଜଣ ପ୍ରଶାସନିକ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ୍କୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଏହାସହ ପୁଲିସ ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା।

Share

Leave a Reply

Your email address will not be published. Required fields are marked *

two × four =