ରାଜ୍ୟର ଋଣଭାର କମିଛି : ରାଜ୍ୟପାଳ

ଭୁବନେଶ୍ୱର () ବିିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭୁଭାଷଣରୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ସଫଳତାର ଲମ୍ବା ତାଲିକା ଦେଇଛନ୍ତି । ଅଭିଭାଷଣକୁ ବିରୋଧୀ କଂଗ୍ରେସ ବର୍ଜନ କରିଛି । ଗତ 20 ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ସ୍ଥିରାବସ୍ଥା ସହ ସାମାଜିକ ଓ ଅର୍ଥନୈତିକ ଏବଂ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ସରକାର ସଫଳ ହୋଇଛନ୍ତି ।

ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟର ଋଣ ଭାର 2002-03ରେ 50.7 ପ୍ରତିଶତ ଥିବା ବେଳେ 2017-18ରେ 17.8 ପ୍ରତିଶତକୁ ହ୍ରାସ ପାଇଛି । ଅନୁରୂପ ଭାବେ ରାଜସ୍ବପ୍ରାପ୍ତି ଅନୁପାତରେ ସୁଧ ହାର 2001-02ରେ 40.2 ପ୍ରତିଶତ ଥିବା ବେଳେ 2017-18ରେ ଏହା 5.9 ପ୍ରତିଶତକୁ ହ୍ରାସ ପାଇଛି ।
କୃଷି କ୍ଷେତ୍ରକୁ କ୍ରମାଗତ ଗୁରୁତ୍ୱ ଯୋଗୁ କୃଷି କ୍ଷେତ୍ରରେ ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ହୋଇପାରିଛି । ଗତ 7 ବର୍ଷରେ 5ଥର କୃଷି କର୍ମଣ ପୁରସ୍କାର ପାଇଛି ଓଡିଶା । ଗତ ଏକ ଦଶନ୍ଧିରେ ଓଡିଶା ଏକମାତ୍ର ରାଜ୍ୟ ଭାବେ କୃଷକଙ୍କ ଆୟ ଦ୍ବିଗୁଣିତ କରିପାରିଛି । ରାଜ୍ୟରେ ସର୍ବାଧିକ ଶିଶୁ ମୃତ୍ୟୁହାର ହ୍ରାସ ହୋଇଥିବା ବେଳେ ମାତୃ ମୃତ୍ୟୁହାର ହ୍ରାସରେ ଜାତୀୟ ହାର ଠାରୁ କମ୍ ରହିଛି । ଗତ ଏକ ଦଶନ୍ଧିରେ ଦାରିଦ୍ର୍ୟ ହାର ସର୍ବାଧିକ 24.61 ପ୍ରତିଶତ ହ୍ରାସ ପାଇଥିବା ବେଳେ ଶିଳ୍ପ ଅଭିବୃଦ୍ଧିରେ ଓଡିଶା ଦେଶର ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରୁ ଅନ୍ୟତମ ହୋଇପାରିଛି ।
2014ରୁ ଗତ ସାଢ଼େ 4 ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ 20 ଲକ୍ଷ ବାସଗୃହ ନିର୍ମାଣ କରି ଗ୍ରାମୀଣ ଗୃହନିର୍ମାଣରେ ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇଛି । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ସେହିଭଳି କାଳିଆ, ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ ଜୈବିକ କୃଷି ନୀତି ଆଦି ଯୋଜନା ଦ୍ୱାରା କୃଷିର ଉନ୍ନତି କାରାଯାଇଛି ।
ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡିଶା ସରକାର ରାଜ୍ୟ ସ୍ୱାର୍ଥ ସହ ଦୃଢ ଭାବେ ରହିଛି ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂକଳ୍ପବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି । ସେହିଭଳି ରାଜ୍ୟକୁ ମରୁଡ଼ିମୁକ୍ତ କରିବା ଦିଗରେ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରିଥିବା ବେଳେ ଏଦିଗରେ ସଫଳତା ମଧ୍ୟ ପାଇଛି । ଖାଦ୍ୟ ସୁରକ୍ଷାରେ ରାଜ୍ୟର 86.90 ଲକ୍ଷ ପରିବାର ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଥିବା ବେଳେ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିବା ରାଜ୍ୟପାଳ କହିଛନ୍ତି ।
ସଡକ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ରାଜ୍ୟ ରାଜପଥକୁ ଅତିକମରେ ଦୁଇ ଲେନ ବିଶିଷ୍ଟ କରିବାକୁ ଯୋଜନା କରିଛନ୍ତି । ରାଜ୍ୟର 2158 କିଲୋମିଟର ଏକ ଲେନ ବିଶିଷ୍ଟ ରାଜ୍ୟ ରାଜପଥ ମଧ୍ୟରୁ 1700 କିମି ରାସ୍ତାର ଦୋହରିକରଣ କରାଯାଇଛି । ଅବଶିଷ୍ଟ ରାସ୍ତାକୁ 2019-20 ସୁଦ୍ଧା ସମ୍ପୂର୍ଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି।
ପୁଞ୍ଜିନିବେଶରେ ଓଡିଶା ବିଶ୍ୱ ସ୍ତରରେ ଆକର୍ଷଣର ରାଜ୍ୟ ହୋଇଥିବା ବେଳେ ରପ୍ତାନି କ୍ଷେତ୍ରରେ 114 ପ୍ରତିଶତ ଅଭିବୃଦ୍ଧି ହାସଲ କରି ଚାମ୍ପିଆନ ରାଜ୍ୟ ହୋଇଛି । ସେହିଭଳି ଜାତୀୟ ଓ ଆନ୍ତର୍ଜାତିକ ଖେଳର ସଫଳ ଆୟୋଜନ କରି ଓଡିଶା ପ୍ରମୁଖ କ୍ରୀଡା ଲକ୍ଷ୍ୟସ୍ଥଳ ଭାବେ ଉଭା ହୋଇଛି । ବିଶ୍ୱକପ ହକିର ଆୟୋଜନ କରି ନିଜର ଦକ୍ଷତା ଦେଖାଇଛନ୍ତି ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

10 + two =