ଆରଟିଓ ଅଫିସ ହେବ ଦଲାଲ ମୁକ୍ତ

ଅଧିକ ଆକାଉଣ୍ଟ ଖୋଲ, ଉତ୍ତମ ସେବା ଦିଅ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓ ମାନଙ୍କ ସହିତ ନୂଆ ଟ୍ରାଫିକ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଡକ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ଆମର ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ । ଓଡିଶାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ 5ହଜାର ଲୋକ ମୃତ୍ୟୁବରଣ କରୁଥିବା ବେଳେ ବିଶେଷକରି ଯୁବକମାନେ ମୃତ୍ୟୁବରଣ କରୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ଅତ୍ୟନ୍ତ ଗୁରୁତ୍ତର ସହ ନେଇ ସଡକ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରୁଥିବା ଓ ନିଶାଦ୍ରବ୍ୟ ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିୟମିତ କଡାକଡି ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିମାନଙ୍କୁ ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଏଦିଗରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସଡକ ସୁରକ୍ଷା ତଥା ଟ୍ରାଫିକ ଆଇନ ସମ୍ପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକିପାରିବ । ତେଣୁ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ରାସ୍ତାମାନଙ୍କରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ । ଏଥିପାଇଁ ପରିବହନ ବିଭାଗ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ ତାକୁ ଦୃଷ୍ଟିରେ ରଖି ଆରଟିଓ ଅଫିସମାନଙ୍କରେ ଅଧିକ କାଉଣ୍ଟର ଖୋଲିଯିବା ସହିତ ଗ୍ରାମାଞ୍ଚଳରେ ଶିବିର ମାନ ଆୟୋଜନ କରିଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ସେହିଭଳି 15 ଦିନ ମଧ୍ୟରେ ଆରଟିଓ ଅଫିସଗୁଡିକୁ ସମ୍ପୁର୍ଣ୍ଣ୍ ଭାବେ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟି ଦିନମାନଙ୍କରେ ଆରଟିଓ ଓ ତାଙ୍କ କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ଟ୍ରାଫିକ ଆଇନର ସଫଳ କାର୍ଯ୍ୟକାରିତା ଏବଂ ସଡକ ସୁରକ୍ଷା ପାଇଁ ସଂପୃକ୍ତ ସବୁ ବିଭାଗ ଉପଯୁକ୍ତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭିଡିଓ କନଫରେନସିଂରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀ 5-ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

two × one =