ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ

ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ । ପୁତ୍ର ସନ୍ତାନ ମୋହରେ ୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା । ତାନ୍ତ୍ରିକ କଥାରେ ପଡି ପୁତ୍ରଲାଭ ପାଇଁ ନିଜ ଶଳାର ପୁଅକୁ ବଳି ଚଢାଇ ଦେଲା । ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲାରୁ ଏଭଳି ଛାତିଥରା ବର୍ବରୋଚିତ କାଣ୍ଡ ସାମ୍ନାକୁ ଆସିଛି । ମୃତ ଶିଶୁର ବାପା ନିଜ ଭିଣୋଇ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛି । ଅଭିଯୋଗ ପାଇବା ପରେ ପୋଲିସ କବରରୁ ଶିଶପୁତ୍ରର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଅଲିଗଡ ସହର ଅନ୍ତର୍ଗତ ଡୋରୀ ନଗରରେ ରହୁଥିବା ହୀରାଲାଲ ଅଭିଯୋଗ କରିଛନ୍ତି ଯେ, ତାଙ୍କର ୩ ବର୍ଷର ପୁଅ ରିତେଶ କିଛି ଦିନ ହେଲା ମୁକନ୍ଦପୁର ଗାଁରେ ତା’ର ପିଉସୀ ଘରେ ରହୁଥିଲା । ଗତ ଶୁକ୍ରବାର ଦିନ ପିଉସା ଅର୍ଥାତ୍ ହୀରାଲାଲଙ୍କ ଭିଣୋଇ ଫୋନ କରି ଜଣାଇଥିଲା ଯେ, ରିତେଶ ଛାତରୁ ଖସି ପଡିଛି । ଖବର ପାଇ ସଙ୍ଗେ ସଙ୍ଗେ ହୀରାଲାଲ ନିଜ ଭଉଣୀ ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କର ୩ ବର୍ଷର ପୁଅ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପୁଅ ଛାତରୁ ପଡିନାହିଁ ବରଂ ଭିଣୋଇ ନିଜର ପୁଅ ଜନ୍ମ ପାଇଁ ତାନ୍ତ୍ରିକ ସହ ମିଶି ତାକୁ ବଳି ଦେଇଥିବା ହୀରାଲାଲ ଦାବି କରିଛନ୍ତି ।

ହୀରାଲାଲ କହିଛନ୍ତି ଯେ, ତାଙ୍କ ଭଉଣୀର ୪ଟି ଝିଅ ଥିବାବେଳେ କୌଣସି ପୁଅ ନଥିଲେ । ଭିଣୋଇ ରାଜୋ ସବୁବେଳେ ପୁଅଟିଏ ଚାହୁଁଥିଲା । ପୁଅ ଜନ୍ମ ପାଇଁ ଶିଶୁ ବଳି ଦେବାକୁ ତାନ୍ତ୍ରିକ ତାଙ୍କୁ ଉପାୟ କହିଥିଲା । ଏଥିପାଇଁ ସେ ତାନ୍ତ୍ରିକ ସହ ମିଶି ୩ ବର୍ଷୀୟ ରିତେଶକୁ ହତ୍ୟା କରିଛି । ମୃତ ଶିଶୁର ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଗତ ଗୁରୁବାର ଆମାବାସ୍ୟା ରାତିରେ ରିତେଶକୁ ହତ୍ୟା କରିବା ପରେ ରାତି ପ୍ରାୟ ସାଢେ ୧୨ଟାରେ ଭିଣୋଇ ଫୋନ କରି ମୃତ୍ୟୁ ସମ୍ପର୍କରେ ଖବର ଦେଇଥିବା ହୀରାଲାଲ କହିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କବରରୁ ଶିଶୁର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Share

Leave a Reply

Your email address will not be published. Required fields are marked *

sixteen − thirteen =