ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବକ୍ତବ୍ୟ ନିନ୍ଦନୀୟ

ଶାସକ ବିଜେଡି ଅଧା କଥା କହି ଅଧା ଲୁଚାଇଛି : ଧର୍ମେନ୍ଦ୍ର

ଭୁବନେଶ୍ବର, 01/06 (ନିପ୍ର) ମହାନଦୀ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହଙ୍କ ବକ୍ତବ୍ୟ ନିନ୍ଦନୀୟ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ନେଇ ବିଜେପିର ମତ ବହୁତ ସ୍ପଷ୍ଟ । ଓଡିଶାର ସ୍ବାର୍ଥ ସହ ବୁଝାମଣା ହେବାକୁ କେବେ ବି ଦିଆ ଯିବ ନାହିଁ ବୋଲି ସେ କହିଛନ୍ତି ।

ତକ୍ରାଳୀନ ଜଳ ସମ୍ପଦ ମନ୍ତ୍ରୀ ଡ. ସଂଜୀବ ବାଲିୟାନ ସଂସଦରେ ଛତିଶଗଡ ଭୁଲ କରିଛି ବୋଲି କହିଥିଲେ । ତାଙ୍କର ବକ୍ତବ୍ୟକୁ ବିଜେଡି ବିଭିନ୍ନ ସମୟରେ ଦୋହରାଇଥିଲା । ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ବିଜେପି ମୂଳରୁ ମତ ଦେଇ ଆସିଥିଲା । ପ୍ରଚଳିତ ନିୟମରେ ଟ୍ରିବ୍ୟୁନାଲ ଗଠନ ହେଲେ ସମାଧାନ ପାଇଁ ଦୀର୍ଘ ସମୟ ନେଉଥିବାରୁ ଏକକ ଟ୍ରିବ୍ୟୁନାଲକୁ ମହାନଦୀ ମାମଲାକୁ ପଠାଇବା ପାଇଁ କେନ୍ଦ୍ର ସରକାର ଆଗ୍ରହୀ ଥିଲା । ମାତ୍ର ରାଜ୍ୟ ସରକାରଙ୍କ ଆଗ୍ରହ କାରଣରୁ ମାନ୍ୟବର କୋର୍ଟଙ୍କ ମତ ପରେ ଏବେ ଟ୍ରିବ୍ୟୁନାଲ ଗଠନ ହୋଇସାରିଛି । ମାତ୍ର ଶାସକ ବିଜେଡି ଅଧା କଥା କହି ଅଧା କଥା ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି  ।

୧୮ ବର୍ଷର ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବାଲଟିଏ ପାଣି ସଂରକ୍ଷଣ କରିବାର ବ୍ୟବସ୍ଥା କାହିଁକି କରି ପାରି ନାହିଁ ଏହି ଉତର ଦେବାରୁ ବଂଚିବା ପାଇଁ ନିଜର ଅପାରଗତାକୁ ଲୁଚାଇବା ପାଇଁ କେବଳ ଭେଳିକି ରଚନା କରୁଛନ୍ତି । ବିଧାନସଭାରେ ରାଜ୍ୟ ସରକାର ମହାନଦୀର ଅଧେ ପାଣି ସମୁଦ୍ରକୁ ବହି ଯିବା ସମ୍ପର୍କରେ ଦେଇଥିବା ତଥ୍ୟର ସ୍ପଷ୍ଟୀକରଣ କାହିଁକି ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡିର ଅର୍ଜୁନ ସେଠୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ କଣ ବକ୍ତବ୍ୟ ରଖିଥିଲେ ସେ ସମ୍ବନ୍ଧରେ ବିଜେଡି ମତ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି ।

ଛତିଶଗଡ ଭୁଲ କରିଛି । ହେଲେ ମହାନଦୀର ପାଣି ଓଡିଶା କାହିଁକି ଅଟକେଇ ପାରି ନାହିଁ ତାର ଉତ୍ତର ଓଡିଶା ଲୋକ ମାଗୁଛନ୍ତି ବୋଲି ସେ କହିଛନ୍ତି । ଛତିଶଗଡ ସମ୍ପର୍କରେ ଟ୍ରିବ୍ୟୁନାଲରେ ନ୍ୟାୟ ମିଳିବ । କିନ୍ତୁ ମହାନଦୀ ପାଣିର କାହିଁକି ସଂରକ୍ଷଣ ହେଲା ନାହିଁ ଏହାର ଉତ୍ତର କେବଳ ବିଜେଡି ସରକାରଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =