କେନ୍ଦୁଝରରେ ନିରଂଜନ-ସନା ମେଣ୍ଟ!

ଆନନ୍ଦପୁର, 12/06 (ନିପ୍ର): ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ କେନ୍ଦୁଝର ଜିଲ୍ଲା କଂଗ୍ରେସର ମଙ୍ଗ ଧରିବେ । ଜିଲ୍ଲାର ରାଜନୈତିକ ମାହୋଲରେ ଏବେ ଏମିତି ଏକ ଚର୍ଚ୍ଚା ଜୋର ଧରିଛି । କେନ୍ଦୁଝରରେ ବିଜେଡି ମଙ୍ଗ ଧରିଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଚେକ ଦେବାକୁ ସେ ନବ ନିଯୁକ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ବୁଝାମଣା କରିଥିବା ଜଣାପଡିଛି ।

ରାଜ୍ୟ ରାଜନିତୀରେ କେନ୍ଦୁଝର ଜିଲ୍ଲା ସବୁ ବେଳେ ଚର୍ଚ୍ଚାରେ ରହିଛି । ରାଜନୈତିକ ପାଣିପାଗ ପରିବର୍ତ୍ତନ କରିବାରେ ଏହି ଜିଲାର ନେତାମାନେ ବେଶ ଧୁରନ୍ଦର । ଜିଲାରେ କୌଣସି ଦଳରେ ନଥାଇ ବି ଜିଲ୍ଲା ଓ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର ରହିଛନ୍ତି ପ୍ରତିପତିଶାଳୀ ବିଧାୟକ ସନାତନ ମହାକୁଡ । ରାଜନୀତିରେ ପରିପକ୍ବତାର ଅଭାବ ଥିଲେ ବି ଅର୍ଥବଳ ପ୍ରଭାବରେ ନିଜ ଜିଲ୍ଲା ତଥା ପଡେଶୀ ଜିଲ୍ଲାରେ ପତିଆରା ହାସଲ ପାଇଁ ଜୋରସୋର ଉଦ୍ୟମ କରୁଛନ୍ତି । ଏପରିକି ଶାସକ ବିଜେଡି ଦଳର ଆଗଧାଡିର ନେତା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସହିତ ତାଙ୍କର ଖୋଲମ ଖୋଲା ଯୁଦ୍ଧ ଦାଣ୍ଡରେ ପଡି ହାଟରେ ଗଡୁଛି । ଯାହାର ଉଦାହରଣ ଗତ ପଂ·ୟତ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା ।

କିଛି ଛାମୁଆ ନେତାଙ୍କୁ ଧରି ଆନନ୍ଦପୁରରେ ବିକାଶ ପରିଷଦ ଗଠନ କରିବା ସହିତ କଂଗ୍ରେସ ଓ ବିଜେପି ସହାୟତାରେ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବା ଘଟଣାରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଥିଲା । ଯଦିଓ ବାପ ରାଣ ଢିଙ୍କି ଗିଳ ସଦୃଶ ଜିଲାପରିଷଦ ନିର୍ବାଚନରେ ସନା ସମର୍ଥନରେ ବିଜୟୀ ହୋଇଥିବା ଜିଲା ପରିଷଦ ସଭ୍ୟମାନେ ବିଜେଡିକୁ ସମର୍ଥନ ଜଣାଇଥିଲେ ତଥାପି ବଦ୍ରି ପାତ୍ରଙ୍କୁ ପାନେ ଚଖାଇବାକୁ ସନା ନିରନ୍ତର ଉଦ୍ୟମ ଜାରି ରଖିିଥିବା ଦେଖିବାକୁ ମିଳୁଛି ।  ଏଥିପାଇଁ କୁଆଡେ ଦ୍ବିତୀୟ ଦଫା ପିସିସି ସଭାପତି ପଦ ହାତେଇଥିବା ନିରଞ୍ଜନ ବାବୁଙ୍କ ସହିତ ଭିତିରିଆ ବୁଝାବଣା ଆରମ୍ଭ ହୋଇଛି ।

ସେପଟେ ନିଜ ଜିଲାରେ ପୂର୍ବ ପତିଆରାକୁ ବଜାୟ ରଖିବାକୁ ରାହା ଖୋଜୁଥିବା ନିରଞ୍ଜନ ଏବେ ସନାତନଙ୍କ ସରଣରେ ପଶିଥିବା ଶୁଣିବାକୁ ମିଳୁଛି । ଏପରିକି ନିଜେ ନିରଞ୍ଜନ ଚମ୍ପୁଆର ପ୍ରାର୍ଥୀ ହୋଇ ଜିଲା କଂଗ୍ରେସର ଦାୟିତ୍ବ ସନାଙ୍କୁ ଦେବାକୁ ଅଣ୍ଟା ଭିଡିଛନ୍ତି । ଖିଣି ଖାଦାନ ଭରା ଜିଲାରେ ନିଜର ବ୍ୟବସାୟିକ ପତିଆରାକୁ ବଜାୟ ରଖିବା ପାଇଁ ବିଭିନ୍ନ ସମୟରେ ସନା ବିଜେଡି ଦଳ ସହିତ ସାଲିସ୍ କରି ଅତିଷ୍ଠ ହୋଇପଡିଲେଣି । ପାଚେରୀ ଭାଙ୍ଗିବା, କୋଟି କୋଟି ଟଙ୍କା ବ୍ୟାଙ୍କରେ ଫ୍ରିଜିଂ ହେବା ଘଟଣାକୁ ସହଜରେ ହଜମ କରିପାରୁନଥିବା ସନା ବିଜେଡି ଉପରେ ସବୁ ରାଗ ଶୁଝାଇବା ପାଇଁ ମଉକାକୁ ଅପେକ୍ଷା କରିଛନ୍ତି । ଉଭୟ ନିରଂଜନ ଓ ସନାଙ୍କ ଗୋଟିଏ ଲକ୍ଷ୍ୟ ଗୋଟିଏ ସମନତା ହେଉଛି ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପତିଆରାକୁ ହ୍ରାସ କରିବା । ଏଥିପାଇଁ ଉଭୟଙ୍କ ମଧ୍ୟରେ ଭିତିରିଆ ସଲାସୁତୁରା ଚର୍ଚ୍ଚା ହେଉଛି । ତେବେ ଉଭୟଙ୍କ ବୁଝାବଣାର ବାଟ ସ୍ପଷ୍ଟ ହୋଇନଥିବାରୁ ନିରଞ୍ଜନ ବାବୁଙ୍କ କେନ୍ଦୁଝର ଗସ୍ତ ଅଟକି ରହିଛି ।

Share

Leave a Reply

Your email address will not be published. Required fields are marked *

6 + 5 =