ପ୍ରତି ୧୫ ମିନଟରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି

ଭୁବନେଶ୍ବର, 12/06 (ନିପ୍ର): ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ଭେ ଅନୁଯାୟୀ ଦେଶରେ ପ୍ରତ୍ୟେକ ୧୫ ମିନିଟରେ ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ଯାହାକି ଦେଶ ଓ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକଙ୍କ ପାଇଁ ଚିନ୍ତାଜନକ ବିଷୟ । ଏହାକୁ ରୋକିବାକୁ ହେଲେ ଆଗାମୀ ଦିନରେ ପଞ୍ଚାୟତସ୍ତରରେ ଶିଶୁ କନ୍ୟା ସୁରକ୍ଷା କମିଟି ଗଠନ କରାଯିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଓଡ଼ିଶା ପୁଲିସ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ନାବାଳିକା ସୁରକ୍ଷା ସଂକ୍ରାନ୍ତୀୟ ସଚେତନତା ବାର୍ତ୍ତା ନିଶ୍ଚିତ ଭାବେ ଏହି ହାରକୁ ରୋକି ପାରିବ । ଗତ ୧୫ ଦିନ ଧରି ଚାଲିଥିବା ନାବାଳିକା ଶିଶୁ କନ୍ୟା ନିର୍ଯାତନା ସଂକ୍ରାନ୍ତୀୟ ପରୀ ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ରୀୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାକେଶ ଶ୍ରୀବାସ୍ତବ ନିଜ ବକ୍ତବ୍ୟରେ ଏହି ତଥ୍ୟ ଉପସ୍ଥାପିତ କରିଛନ୍ତି ।

ଗତ ୧୫ ଦିନ ଧରି ପରୀ ଏକ୍ସପ୍ରେସ୍ ସାରା ରାଜ୍ୟର ୪୦ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ସଚେତନତାର ବାର୍ତ୍ତା ପ୍ରଚାର କରିଛି । ଏଥିସହ ଏହି ୧୫ ମିନିଟ୍ ମଧ୍ୟରେ ରାଜ୍ୟର ପ୍ରାୟ ୧୪ଶହଟି ସ୍ଥାନରେ ପରୀ ଏକ୍ସପ୍ରେସ୍ର ଅଂଶଗ୍ରହଣ କରିଥିବା କଳାକାର ଓ ପୁଲିସ ଅଧିକାରୀମାନେ ଷ୍ଟିଟ୍ ପ୍ଲେ କରିଥିବା ଜଣାପଡ଼ିଛି । ଏହି ଉଦ୍ୟାପନୀ ଉତ୍ସବରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ କି, ତଥ୍ୟ ଅନୁଯାୟୀ ୯୫ ପ୍ରତିଶତ ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାର ଜଣାଶୁଣା ଲୋକ ହୋଇଥିବା ଜଣାପଡ଼ିଛି । ଯେଉଁମାନଙ୍କ ବିରୋଧରେ ବିଗତ ଦିନମାନଙ୍କରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏପରିକି ନାବାଳିକା ଯୌନ ନିର୍ଯ୍ୟାତନା କରୁଥିବା ବ୍ୟକ୍ତି ମାନଙ୍କୁ କିପରି ତୁରନ୍ତ ଦଣ୍ଡିତ କରାଯିବ ସେ ସେଥିପାଇଁ ଫାଷ୍ଟଟ୍ରାକ୍ କୋର୍ଟର ପ୍ରତିଷ୍ଠା କରାଯିବା ସହ ଅଭିଯୁକ୍ତଙ୍କୁ କିପରି ତୁରନ୍ତ ଦଣ୍ଡିତ କରାଯିବ ସେ ନେଇ ପୁଲିସ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଡିଜିପି କହିଛନ୍ତି । ଆଗାମୀ ଦିନରେ ଶିଶୁ କନ୍ୟା ଯୌନ ନିର୍ଯ୍ୟାତନା ନେଇ ସଚେତନତା ସଂକ୍ରାନ୍ତୀୟ ପାଠ ସ୍କୁଲ ଓ କଲେଜ ପିଲାମାନଙ୍କ ପାଠ୍ୟକ୍ରମରେ ଯେପରି ସାମିଲ କରାଯିବ ସେ ନେଇ ଡିଜିପି ଗୁରୁତ୍ବାରୋପ ଦେଇଛନ୍ତି ।

ଏହି ଉଦ୍ୟାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗ ଦେଇ କହିଥିଲେ ଯେ, ଏହି ସଚେତନତା ବାର୍ତ୍ତା ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିପାରିଛି । ଏହି ଅଭିଯାନ ଏହା ମଧ୍ୟ ଜଣାଇଛି କି, ପ୍ରତ୍ୟେକ ବ୍ୟକ୍ତିଙ୍କର ସମାଜ ପ୍ରତି କିଛି ନା କିଛି ଦାୟିତ୍ବ ରହିଛି । ସେହିପରି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ କି, ଆଗାମୀ ଦିନରେ ଏହି ପରୀ ଏକ୍ସପ୍ରେସ୍ ଯୋଜନା ଅନ୍ୟ ବିଭାଗ ଗୁଡ଼ିକର ସହାୟତାରେ ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ କରିବା ନିମନ୍ତେ ମତ ପୋଷଣ କରିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ କି, ସଂସ୍କୃତି ବିଭାଗ ରାଜ୍ୟ ପୁଲିସ ବିଭାଗକୁ ଏହି ସମସ୍ତ କାର୍ଯ୍ୟ ନିମନ୍ତେ ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବରେ ୟୁନିସେଫର ମୁଖ୍ୟ ୟସ୍ମିନ୍ ଅଲ୍ଲୀ ହକ୍, ଆଇଜି କ୍ରାଇମ ସନ୍ତୋଷ ଉପାଧ୍ୟୟ, ଆଇଜି ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

2 + seventeen =