ବୈଜୟନ୍ତଙ୍କ ପାଇଁ ବଢିବ ଅଡୁଆ!

ଭୁବେନଶ୍ବର (): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ବଢ଼ିବ । ଯେଉଁ କ୍ଳିନଚିଟ ସିଏ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କଠାରୁ ପାଇଛନ୍ତି ତାହାର ମଧ୍ୟ ବିଚାର ହୋଇପାରେ । ଏପରିକି ଏହା କେବଳ ବୈଜୟନ୍ତଙ୍କ ମତାମତ ଦ୍ବାରା ହିଁ ପର୍ଯ୍ୟବସିତ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ପ୍ରାଣୀମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଅନୀଲ ଧୀର । ସେ କହିଛନ୍ତି ୧୫ ତାରିଖରେ ଯେଉଁ ଉଡ଼ାଣ ଚିଲିକା ଉପରେ ବୈଜୟନ୍ତଙ୍କ ଦ୍ବାରା ହୋଇଥିଲା ତାହାର ପୂର୍ଣ୍ଣ ରେକର୍ଡକୁ ଯାଞ୍ଚ କରାଯାଇ ନାହିଁ । ଯଦି ବିମାନ ଚଳାଇବା ବେଳେ ବୈଜୟନ୍ତ ବିମାନ ସହ ସଂଯୋଗ ଥିବା ଜିପିଏସ ସିଷ୍ଟମକୁ ବନ୍ଦ କରି ନଥିବେ ତେବେ ତାହାର ଉତ୍ତର ସେହିଠାରୁ ମିଳିବାର ସମ୍ଭାବନା ରହିଛି ।

ବୈଜୟନ୍ତ ୧୫ ତାରିଖ ଦିନ ତାଙ୍କ ବନ୍ଧୁମାନଙ୍କୁ ନେଇ ପୁରୀ, ରାଜହଂସ ହୋଇ ଗରଦପୁର ଯାଇଥିଲେ। ଏହି ସମୟରେ ନଳବଣ ଅଭୟାରଣ୍ୟରେ ସମ୍ବେନଶୀଳ ଅଞ୍ଚଳରେ ବିମାନ ଉଡ଼ାଇଥିବା ଅଭିଯୋଗ ହୋଇଥିଲା । ଏହାବାଦ ଏହିଦିନ ଏକ ବିମାନ ଚିଲିକା ଉପରେ ଓହ୍ଲାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିଏଫଓ ଏହାକୁ ବନ୍ୟପ୍ରାଣୀ ଆଇନର ଉଲ୍ଲଙ୍ଘନ ବୋଲି ଦର୍ଶାଇ ଏକ ଏକ ଏତଲା ଦାୟର କରିଥିଲେ । ଏହି ଏତଲାକୁ ଭିତ୍ତିକରି ପୁରୀ ପୁଲିସ ୧୮ ତାରିଖ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର୍‍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି । କିଛଦିନ ତଳେ ଡିଜିସିଏଙ୍କ ତଦନ୍ତ ରିପୋର୍ଟ ପାଇବାପରେ ପୁଲିସ ପକ୍ଷରୁ ହ୍ୟାଙ୍ଗର୍‍ ଖୋଲାଯାଇଥିଲେ ମଧ୍ୟ ଯେଉଁ ବିମାନକୁ ଯେଉଁ ଆର-୪୪ ବିମାନକୁ ବୈଜୟନ୍ତ ଉଡ଼ାଉଥିଲେ ତାହାକୁ ସିଲ୍‍ କରିଛନ୍ତି । ଏହାର ଉଡ଼ାଣ ଓ ସ୍ଥାନ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ପୁରୀ ପୁଲିସର ଅଭିଯୋଗ ହେଉଛି ଯେଉଁ ତଦନ୍ତ ରିପୋର୍ଟ ଡିଜିସିଏ ପ୍ରଦାନ କରିଛନ୍ତି ତାହା ଅଧାପନ୍ତରିଆ । ସେଥିରେ ଆବଶ୍ୟକ ତଥ୍ୟ ନାହିଁ । ଏହା କେବଳ ବୈଜୟନ୍ତ ଦାଖଲ କରିଥିବା ତଥ୍ୟ ଆଧାରେ ହୋଇଛି। ଏବେ ଧୀରଙ୍କ ଯୁକ୍ତି ପୁଲିସକୁ ନୂଆ ଖୋରାକି ଯୋଗାଇବ ବୋଲି ଅନୁମାନ କରାଯାଉଛି । ବୈଷୟିକ ଦୃଷ୍ଟିକୋଣରୁ ଲଢ଼ିବା ପାଇଁ ପ୍ରଶାସନ ଏବଂ ପୁଲିସକୁ ସହାୟ ହୋଇପାରେ ।

ତାଙ୍କ ଯୁକ୍ତି ଅନୁସାରେ ସେଦିନର ଉଡ଼ାଣ ବାବଦରେ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ ଆବଶ୍ୟକ ସୂଚନା ନାହିଁ । ଏହା ସ୍ବାଭାବିକ ଯେ, ଯେତେବେଳେ କୌଣସି ବିମାନ ଭୂ-ପୃଷ୍ଠରୁ ୫୦୦ ମିଟର ଭିତରେ ଉଡ଼ାଣ କରିଥାଏ ସେତେବେଳେ ବିମାନ ଉଡ଼ାଣ ବାବଦରେ ତଥ୍ୟ ସଂଗ୍ରହ କରିବା ବିମାନବନ୍ଦର ନିୟନ୍ତ୍ରଣ କକ୍ଷ ପାଇଁ ସମ୍ଭବପର ନୁହେଁ । ଯେତେବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କ ପାଖରେ ଆବଶ୍ୟକ ସଳଚନା ନାହିଁ ବୋଲି ସ୍ବୀକାର କରିଛନ୍ତି ତାହା ବିମାନ ଏହି ଉଚ୍ଚତାରେ ଉଡ଼ିଥାଇପାରେ ବୋଲି ଆଶଙ୍କା ହେବା ସ୍ବାଭାବିକ ।

ଅନ୍ୟପକ୍ଷରେ ଡିଜିସିଏ ବିମାନର କକ୍‍ ପିଟ ଭଏସ୍‍ ରେକର୍ଡର, ଜିପିଏସ ବ୍ୟବସ୍ଥାକୁ ତଦନ୍ତ ପରିସରଭୁକ୍ତ କରିନାହାନ୍ତି । ସେ କେବଳ ବିମାନ ଯାତାୟାତ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବୈଜୟନ୍ତଙ୍କ ସହ କଥାବାର୍ତ୍ତା ଏବଂ କୋଲକତା ସ୍ଥିତ ମିଲିଟାରୀ ଲିଆଜନିଂ ୟୁନିଟ, ଏୟାର ଡିଫେନ୍ସ କ୍ଳିୟରାନ୍ସା ସୂଚନା ଉପରେ ଆଧାରିତ । ଏଣୁ ଏ ବାବଦରେ ତଦନ୍ତ ହେବା ଉଚିତ ।

ଯଦି ତାହା ହୁଏ ତେବେ ବୈଜୟନ୍ତଙ୍କ ପାଇଁ ଆହୁରି ଅଡ଼ୁଆ ସମୟ ବଢ଼ିପାରେ । ଗୋଟିଏପଟେ ରାଜନୀତିକ ଷଡ଼ଯନ୍ତ୍ର ଏବଂ ଅନ୍ୟ ପକ୍ଷରେ ନିୟମ ଉଲ୍ଲଙ୍ଘନର ତଥ୍ୟଗତ ପ୍ରମାଣ ତାଙ୍କୁ ହରଡ଼ଘଣାରେ ପକାଇପାରେ ।

Share

Leave a Reply

Your email address will not be published. Required fields are marked *

eleven + nine =