ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

  • ଭୟଙ୍କର ରୂପ ନେଉଛି ତିତଲି

  • ସବୁ ସ୍କୁଲ, କଲେଜ ଦୁଇ ଦିନ ପାଇଁ ଛୁଟି

  • ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ବର () ଭୟଙ୍କର ରୂପ ନେଉଛି ତିତଲି । ଆସନ୍ତା ୩ ଘଂଟା ଭିତରେ ଜଣାପଡିବ ବାତ୍ୟା ତିତଲି ଅତି ଭୟଙ୍କର ରୂପ ନେବ। ଆସନ୍ତାକାଲି ସକାଳ ସାଢେ 5ଟାରେ ଏହା ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଯାହା ଫଳରେ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ଗତକାଲି ପ୍ରଥମେ 4ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ନେଇ ଘୋଷଣା ହୋଇଥିଲା । ଆଜି ତିତଲିର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଆସନ୍ତା କାଲିଠାରୁ ଦୁଇ ଦିନ (୧୧ ଏବଂ ୧୨ ତାରିଖ ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେହିଭଳି ତିତଲି ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଆଜି ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର୍’ ବୈଠକ ଅନୁଷ୍ଠିତ ହେବାକୁ ଥିଲା । ଏଥିପାଇଁ ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ ଓ ୨୫୬ ଯୁକ୍ତ୩ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ସମ୍ପୃକ୍ତ କଲେଜରେ ନିର୍ବାଚନକୁ ବାତିଲ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁଚନା ଦେଇ କହିଛନ୍ତି, ତିତଲି ପ୍ରଭାବିତ ହେବାକୁଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୫ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ବିଗତ ଦିନରେ ଫାଇଲିନ୍ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ସେହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ବିଶେଷ କରି ଜିରୋ କାଜ୍ୟୁଆଲଟୀ ବା ଶୂନ୍ୟ ଦୁର୍ଘଟଣା ନିରାକରଣ ନେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଅନ୍ୟପଟେ ଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Share

Leave a Reply

Your email address will not be published. Required fields are marked *

one + 20 =