ବିଫଳ ନେତାଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଆସ୍ପର୍ଦ୍ଧା

ଭୁବନେଶ୍ୱର,(): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସାଂସଦ ଆଦର୍ଶ ଗ୍ରାମ’ ସ୍ୱପ୍ନର ଯୋଜନାକୁ ସାକାର କରିବାରେ ତାଙ୍କର ତଥାକଥିତ ସଫଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି। ବିହାରର ରାଜଧାନୀ ପାଟନାଠାରୁ ମାତ୍ର ୧୦ କି.ମି. ଦୂର ଲଖନୀ ବିଘା ଗ୍ରାମର ମାତ୍ର ୫ହଜାର ଲୋକଙ୍କ ସାମଗ୍ରୀକ ଉନ୍ନତି କରିବା ଦିଗରେ ବିଗତ ସାଢ଼େ ୪ବର୍ଷ ହେଲା ବିଫଳ ହୋଇଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଆସ୍ପର୍ଦ୍ଧା ରଖିଛନ୍ତି। ଯେଉଁ ମନ୍ତ୍ରୀ ଗୋଟିଏ ଗ୍ରାମର ସାମଗ୍ରୀକ ଉନ୍ନତିରେ କଥା ଦେଇ ସହାୟକ ହୋଇପାରୁନାହାନ୍ତି ସେ କିପରି ରାଜ୍ୟର ୫କୋଟି ଲୋକଙ୍କ ନେତା ହେବେ ବୋଲି ପ୍ରଶ୍ନବାଚୀ ଉଠିବାରେ ଲାଗିଲାଣି।

ପ୍ରଧାନମନ୍ତ୍ରୀଙ୍କ ‘ସାଂସଦ ଆଦର୍ଶ ଗ୍ରାମ’ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲଖନୀ ବିଘା ଗ୍ରାମର ସାମଗ୍ରୀକ ଉନ୍ନତି ପାଇଁ ଚୟନ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ସେମାନଙ୍କ ଉନ୍ନତି କରିବା ପରିବର୍ତେ ନିରାଶ କରିଛି ବୋଲି ଲଖନୀ ବିଘା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଲଖନୀ ବିଘା ଗ୍ରାମର ବିଦ୍ୟୁତିକରଣ, ପାଇଖାନା ନିର୍ମାଣ, ସ୍ୱାସ୍ଥ୍ୟସେବା, ସ୍କିଲ ଡେ଼ଭଲପମେଣ୍ଟ, ଜୀବିକା, ବାସଗୃହ, ରାସ୍ତାଘାଟ ଓ ସରକାରୀ ଯୋଜନା ଗତ ସାଢ଼େ ୪ବର୍ଷ ମଧ୍ୟରେ ଆଦୌ ହୋଇନାହିଁ। ‘ସାଂସଦ ଆଦର୍ଶ ଗ୍ରାମ’ ଯୋଜନାର ପ୍ରଥମ ଭାଗ ୨୦୧୯ ମାର୍ଚ୍ଚ ସୁଦ୍ଧା ଶେଷ ହେବା କଥା। କିନ୍ତୁ ସରଜମିନ ତଥ୍ୟରୁ ଯାହା ମିଳିଛି, ତାହାକୁ ଯିଏ ଦେଖିବ ଏହା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲଖନୀ ବିଘା ଗ୍ରାମବାସୀଙ୍କ ପ୍ରତି ଧୋକା ବୋଲି କହିବ।

ଲଖନୀ ବିଘା ଗ୍ରାମର ସାମଗ୍ରୀକ ଉନ୍ନତି କେବଳ କାଗଜ କଲମରେ ସୀମିତ ବୋଲି ଦେବେନ୍ଦ୍ର ସିଂହ ଡାଙ୍ଗୀ ନାମକ ଜରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଅନେକ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନାହିଁ। ଏପରି କି ଗ୍ରାମବାସୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗୃହିଣୀମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ଡାଙ୍ଗୀ କହିଛନ୍ତି।

ଲଖନୀ ବିଘା ଗ୍ରାମରେ ସର୍ବନିମ୍ନ ଆବଶ୍ୟକ ଥିବା ପାନୀୟ ଜଳ, ବିଜୁଳି, ଶିକ୍ଷା ପାଇଁ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ। ‘ସାଂସଦ ଆଦର୍ଶ ଗ୍ରାମ’ ଯୋଜନାରେ ମନ୍ତ୍ରୀ ଏହି ଗ୍ରାମକୁ ଗ୍ରହଣ କରିଥିବାରୁ ଏହି ସମସ୍ୟାର ସମାଧାନ ହେବ ବୋଲି ଗ୍ରାମବାସୀମାନେ ଯେଉଁ ଆଶା କରିଥିଲେ ତାହା ଆଶାରେ ରହିଯାଇଛି। ଏସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରାଳୟର ଅଧିକାରୀଙ୍କ ନିକଟରେ ବାରମ୍ୱାର ଅଭିଯୋଗ କରିବା ପରେ ବି କୌଣସି ସୁଫଳ ମିଳି ନାହିଁ ବୋଲି ଗ୍ରାମବାସୀ ଅରୁଣ ସିଂହ ମତ ଦେଇଛନ୍ତି।

ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମ ଗ୍ରାମକୁ ‘ସାଂସଦ ଆଦର୍ଶ ଗ୍ରାମ’ ଯୋଜନାରେ ଗ୍ରହଣ କରିଥିବାରୁ ଗାମରେ ପାଇଖାନା, ଡ୍ରେନ ନିର୍ମାଣ ହୋଇ ଗ୍ରାମବାସୀ ସଂକ୍ରାମକ ରୋଗରୁ ରକ୍ଷା ପାଇବେ ବୋଲି ଆଶା କରିଥିଲୁ। କିନ୍ତୁ ଏହି ସୁବିଧା ଯୋଗାଇ ଦେବାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି। ଗ୍ରାମର ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ହେବ ବୋଲି ମୋ ସମେତ ଗ୍ରାମବାସୀମାନେ ଅର୍ଥ ଦେଇଛନ୍ତି। ଠିକାଦାର ଆସି କେବଳ ଫଟୋ ଉଠାଇ କିଛି କାମ କରିନାହାନ୍ତି। ଫଳରେ ଲୋକମାନେ ଖୋଲାରେ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ଇନ୍ଦ୍ରଜିତ କୁମାର କହିଛନ୍ତି।

ଲଖନୀ ବିଘା ଗ୍ରାମକୁ କେଉଁ ଯୋଜନାରେ କେତେ ଅର୍ଥ ଆସିଛି ତାହା ଗ୍ରାମବାସୀମାନେ ଜାଣିନାହାନ୍ତି। ଏପରିକି ଅଧିକାରୀମାନେ ଏ ସମ୍ପର୍କରେ କୌଣସି ଆଲୋଚନା କରିବା ପାଇଁ ମନା କରିଦେଇଛନ୍ତି। ଏପରିକି ଏହି ଗ୍ରାମ ଦାୟିତ୍ୱରେ ଥିବା ଆରଏସଏସ କର୍ମୀମାନେ ଠକାମୀର ଶୀକାର ହୋଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଲଖନୀ ବିଘା ଗ୍ରାମର ମାତ୍ର ୫ହଜାର ଲୋକଙ୍କ ସାମଗ୍ରୀକ ଉନ୍ନତି କରୁପାରୁନଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ନେତାଙ୍କୁ ପ୍ରଲୋଭିତ କରି ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆସ୍ପର୍ଦ୍ଧା କରିଛନ୍ତି। ଉନ୍ନୟନ ମୂଳକ କାମରେ ବିଫଳ ଜଣେ ଅହଂକାରୀ ନେତା ଆଗାମୀ ଦିନରେ ଓଡିଶାର କି ଉନ୍ନତି କରିବେ ତାହା ପ୍ରଶ୍ନ ହେବାରେ ଲାଗିଛି।

Share

Leave a Reply

Your email address will not be published. Required fields are marked *

1 × five =