ନୀତି ଆୟୋଗ ବୈଠକରେ ନବୀନଙ୍କ ପ୍ରସ୍ତାବ …

ନୂଆଦିଲ୍ଲୀ () ଓଡିଶା ଭଳି କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ସହ ସାରା ଦେଶରେ ଏକକ ନିର୍ବାଚନ ପ୍ରକ୍ରିୟା ଲାଗୁ ଏବଂ ଓଡିଶା ଭଳି ରାଜ୍ୟରେ ଦ୍ଵିତୀୟ ସବୁଜ ବଳୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆଜି ଅନୁଷ୍ଠିତ ନୀତି ଆୟୋଗଙ୍କ ସାଧାରଣ ପରିଷଦ ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିଥିବା ଦର୍ଶାଇ ସେ କହିଥିଲେ ଯେ, ରାଜ୍ୟରେ ସର୍ବାଧିକ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଏକାଦା ଖାଦ୍ୟାଭାବ ରାଜ୍ୟରୁ ବାଳକା ଖାଦ୍ୟସଶ୍ୟ ଉତ୍ପାଦକ ରାଜ୍ୟର ମାନ୍ୟତା ପାଇଛି । ଏଥିସହ ଓଡିଶା ଦେଶରେ ବିପର୍ଯ୍ୟୟ ମୁକାବିଲାର ବିଶ୍ବସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଛି ।

ସମୟ ଆସିଛି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତ କରାଯିବାର ଆବଶ୍ୟକତା ରହିଛି । କାରଣ ମହିଳାମାନେ ହିଁ ସମାଜ, ରାଜ୍ୟ ଓ ବିକାଶର ମୂଳ ଆଧାର । ସେହିଭଳି ଦେଶରେ ବାରମ୍ବାର ନିର୍ବାଚନ ଅନୁଷ୍ଠିତ ହେବା ଦ୍ୱାରା ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି । ଏଥିପାଇଁ ଦେଶରେ ଏକକ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ଉଚିତ ବୋଲି ନବୀନ ପ୍ରସ୍ତାବ ଦେଇଛନ୍ତି । କୃଷିକୁ ପ୍ରାଥମିକତା ଦିଆଯିବା ସହ ଜଳ ସମ୍ପଦର ନ୍ୟାୟୋଚିତ ବ୍ୟବହାର ହେବା ଉଚିତ ବୋଲି ସେ କହିଛନ୍ତି । କୃଷିର ବିକାଶ ପାଇଁ ଓଡିଶା ଭଳି ରାଜ୍ୟରେ ଦ୍ଵିତୀୟ ସବୁଜ ବିପ୍ଳବର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ନିକଟରେ ଉପକୂଳ ଓଡିଶାରେ ତାଣ୍ଡବ ରଚିଥିବା ଫନି କ୍ଷୟକ୍ଷତି ସମ୍ପର୍କରେ ନୀତି ଆୟୋଗଙ୍କୁ ଅବଗତ କରିବାକୁ ଯାଇ ନବୀନ ଦାବି କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ । ଏହା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏକ ମଧ୍ୟବର୍ତ୍ତିକାଳୀନ ସହାୟତା ଭାବେ ଓଡିଶା ଭଳି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।
ସେହିଭଳି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମିହୀନ କୃଷି ପରିବାର ଓ ଭାଗଚାଷୀଙ୍କୁ ସାମିଲ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି । 2019 ଏପ୍ରିଲ 1 ତାରିଖ ସୁଦ୍ଧା ଅସମ୍ପୂର୍ଣ୍ଣ ସବୁ ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ସାମିଲ କରାଯାଉ । ଜଳଛାୟା ପ୍ରକଳ୍ପ, ପାନୀୟ ଜଳ ଓ କମାଣ୍ଡ ଏରିଆ ବିକାଶ ପାଇଁ ଅଧିକ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ 100ରୁ କମ୍ ଜନସଂଖ୍ୟା ଥିବା ଜନବସତିକୁ ଗ୍ରହଣ କରାଯିବା ଉଚିତ ।
କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଯୋଗାଯୋଗ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଯେଉଁସବୁ ପଞ୍ଚାୟତାକୁ ଏଯାଏଁ ବ୍ୟାଙ୍କ ସେବା ପହଂଚିନି, ସେଠାକୁ ତୁରନ୍ତ ବ୍ୟାଙ୍କ ସେବା ଯୋଗାଇଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତ ନେଟ ପ୍ରକଳ୍ପକୁ ତ୍ୱରାନ୍ୱିତ ଗତିରେ କାର୍ଯ୍ୟକାରୀ କରିବା ସହ କୋଇଲା ରାୟଲୀଟିକୁ 14ରୁ 20 ପ୍ରତିଶତକୁ ବୃଦ୍ଧି କରିବାକୁ ନବୀନ ଦୃଢ ଦାବି କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

four + fifteen =