ଦିଲ୍ଲୀରେ ନବୀନଙ୍କ ରୋଡ ସୋ, ପୁଂଜିପତିଙ୍କୁ ସହଯୋଗର ପ୍ରତିଶୃତି

ନୂଆଦିଲ୍ଲୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ସବୁ ପ୍ରକାର ସହଯୋଗର ପ୍ରତିଶୃତି ଦେଇଛନ୍ତି । ନୂଆଦିଲ୍ଲୀରେ ମେକ ଇନ ଓଡିଶା ରୋଡ ସୋରେ ରାଜ୍ୟରେ ପୁଂଜି ବିନିଯୋଗ ପାଇଁ ରହିଥିବା ସୁବିଧା ସୁଯୋଗ ସଂପର୍କରେ ଶିଳ୍ପାନୁଷ୍ଟାନଗୁଡିକୁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ସଫଳ କରିବା ପାଇଁ ମୁମ୍ବାଇ ପରେ ଆଜି ଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ଦର୍ଶାଇଛନ୍ତି ।

ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଶକ୍ତି ଏହାର ଖଣିଜ ସମ୍ପଦ । ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଏହାର ସଦୁପଯୋଗ ପାଇଁ କାର୍ଯ୍ୟ କରୁଛନ୍ତି । ଆଜି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ୍ କ୍ୟାପିଟାଲର ମାନ୍ୟତା ପାଇପାରିଛି । ଦେଶର ଆଲିମିନିୟମ୍ ଉତ୍ପାଦନରେ ଓଡ଼ିଶାର ଭାଗ ୫୪ ପ୍ରତିଶତ । ଇସ୍ପାତ ନିର୍ମାଣରେ ମଧ୍ୟ ଅଗ୍ରଣୀ ଭୂମିକାରେ ଥିବାରୁ ଓଡ଼ିଶାକୁ ଦେଶର ଷ୍ଟିଲ୍ ହବ୍ ଭାବେ ଗଣାଯାଉଛି । ଆଗାମୀ ଦିନରେ ରାଜ୍ୟରେ ଡାଉନଷ୍ଟ୍ରିମ ଶିଳ୍ପର ବିକାଶ ପାଇଁ ଭିଜନ 2030 ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ୧୮ ବର୍ଷ ଭିତରେ ବନ୍ଦର କ୍ଷମତା ୧୦ ଗୁଣା ବୃଦ୍ଧି ପାଇଁ 190 ନିୟୁତ ମେଟ୍ରିକ ଟନ ପରିବହନ କ୍ଷମତାରେ ପହଁଚିଥିବା ବେଳେ ଶକ୍ତି ଉତ୍ପାଦନ ୩ ଗୁଣା ବଢ଼ିଛି । ରାସ୍ତାଘାଟ ବିକାଶରେ ୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଶିଳ୍ପାନୁଷ୍ଠାନଗୁଡିକର ସୁବଧା ପାଇଁ ରାଜ୍ୟ ସରକାର ଇନଭେଷ୍ଟ ଓଡିଶା ପୋର୍ଟାଲ ଆରମ୍ଭ କରିଛନ୍ତି । ଏହା ଏକ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଭଳି କାମ କରେ । ରାଜ୍ୟ ସରକାର ଥ୍ରି- ଟି ମନ୍ତ୍ର (ଟିମୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନସପେରନ୍ସି) ଆଧାରରେ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରୁଛନ୍ତି । ଗତ ୬ ମାସରେ ୫୦ ଟି ପ୍ରକଳ୍ପରେ ୧୭ ହଜାର କୋଟି ପୁଞ୍ଜିନିବେଶ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଷ୍ଟାର୍ଟ- ଅପ୍ ଓଡ଼ିଶା ଆରମ୍ଭର କିଛି ମାସ ମଧ୍ୟରେ ୨୫୦ଟି ଷ୍ଟାର୍ଟ ଅପ୍ ପଂଜିକୃତ ହୋଇଛି ଏବଂ ୨୦୨୦ ସୁଦ୍ଧା ଦେଶର ଶ୍ରେଷ୍ଠ ୩ ଷ୍ଟାର୍ଟ-ଅପ୍ ହବ୍ ଭିତରେ ଓଡ଼ିଶା ସ୍ଥାନ ପାଇବାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିଭଳି ରାଜ୍ୟ ସରକାରଙ୍କ ସ୍କିଲଡ ଇନ ଓଡିଶା ବା ଓଡିଶାରେ ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ବିଶ୍ବସ୍ତରରେ ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବର୍ଷର ମେକ ଇନ ଓଡିଶାର ଥିମ ହେଉଛି ମୁଁ ଓଡିଶା । ଏହି ପ୍ଲାଟଫର୍ମ ଜରିଆରେ ସାଧାରଣ ଲୋକେ ଆଜିର ଓଡିଶା ସଂପର୍କରେ ସେମାନଙ୍କ ମତ ଅନ୍ୟମାନଙ୍କ ସହ ସେୟାର କରିପାରିବେ । ଏଥିସହିତ ସେମାନେ ଆସନ୍ତାକାଲିର ଓଡିଶା ସମ୍ପର୍କରେ ସେମାନଙ୍କ ଭିଜନ ମଧ୍ୟ ରଖିପାରିବେ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁଯୋଗ ଓ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମ୍ମିଳନୀରେ ଦେଶର ବହୁ ନାମୀ ଦାମୀ ଶିଳ୍ପସଂସ୍ଥାର ପ୍ରତିନିଧି ଓ ନିବେଶକାରୀମାନେ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

3 × 3 =