ବିରୋଧୀଙ୍କ ପାଇଁ 10 କୋଟି ବରବାଦ

ଭୁବନେଶ୍ବର () ଓଡିଶା ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ସାଧାରଣ ଜନତାଙ୍କ ଟିକସ ଅର୍ଥକୁ ପାଣିରେ ଫୋପାଡୁଛନ୍ତି । ମୌସୁମୀ ଅଧିବେଶନର ଆଜି ଥିଲା ସପ୍ତମ ଦିନ । କିନ୍ତୁ କୌଣସି ଗୋଟିଏ ଦିନ ସଂପୁର୍ଣ୍ଣ ଭାବେ ଗୃହ ସ୍ବାଭାବିକ ଭାବେ ଚାଲିପାରିନାହିଁ । ସବୁଠାରୁ ଉଦବେଗର କଥା ହେଉଛି ପ୍ରଶ୍ନକାଳ ଦିନୁଟିଏ ବି ଚାଲିନି ।

ଦୈନିକ ଓଡିଶା ବିଧାନସଭାର ପରିଚାଳନା, ବିଧାୟକଙ୍କ ଦୈନିକ ଭତ୍ତା, ଗସ୍ତ ଖର୍ଚ୍ଚ, ସୁରକ୍ଷା ଖର୍ଚ୍ଚ ଓ ବିଦ୍ୟୁତ ଶୁଳ୍କକୁ ମିଶାଇଲେ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ ହେଉଛି । ମୌସୁମୀ ଅଧିବେଶନ ଗତ 4 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜିକୁ ସାତ ଦିନ ବିତିଗଲା । ଏହି ସାତ ଦିନରେ ପ୍ରାୟ 10 କୋଟି ଟଙ୍କା ବ୍ୟୟ ହେଲାଣି । କିନ୍ତୁ ସ୍ବାଭାବିକ ହୋଇପାରୁନି ବିଧାନସଭା ।

ବିଧାୟକମାନେ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବ ଦିନ ଭୁବନେଶ୍ବରରେ ପହଁଚିବା ପାଇଁ ଗସ୍ତ ଖର୍ଚ୍ଚ ସହ ଦୁଇ ଦିନ ଛୁଟି ହେଲେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀକୁ ଯିବା ଆସିବା ପାଇଁ ତେଲ ଭଡା ନେଇଥାନ୍ତି । ଏଥିସହିତ ବିଧାୟକଙ୍କ ଅଭିଜ୍ଞତା ହାରରେ ସେମାନଙ୍କୁ ଦୈନିକ ଭତ୍ତା ମଧ୍ୟ ମିଳୁଛି । ସୁରକ୍ଷା ପାଇଁ ବିଧାନସଭା ଭିତରେ ଓ ବାହାରେ ପ୍ରାୟ 5 ପ୍ଲାଟୁନ ଫୋର୍ସ ରହିଛି । ଦୈନିକ ବିଧାନସଭାର କାର୍ଯ୍ୟାବଳୀ ପ୍ରସ୍ତୁତ ଏବଂ ବିଦ୍ୟୁତ ଶୁଳ୍କ ପାଇଁ ବି ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି ।

ଏଥର ଆରମ୍ଭରୁ ନିୟମିତ ଭାବେ ବିଧାନସଭା ଅଚଳ ହେଉଛି । ଗୋଟିଏ ଦିନ ବିଜେଡି ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଧାସଭାରେ ହଟ୍ଟଗୋଳ କରିଥିଲେ । ତାହା ପୁଣି ନିଜ ନିଜ ଆସନରେ ଛିଡା ହୋଇ । କିନ୍ତୁ ବିଜେପି ଓ କଂଗ୍ରେସ ବିଧାୟକମାନେ ଦୈନିକ ବିଧାନସଭା ଗୃହ ମଧ୍ୟକୁ ପଶି ଆସି ହଟ୍ଟଗୋଳ କରୁଛନ୍ତି । କେତେବେଳେ ଶିକ୍ଷକ ପ୍ରସଙ୍ଗରେ ତ କେତେବେଳେ ଉଦ୍ୟାନ କୃଷି ଦୁର୍ନୀତି ତ କେତେବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରୁଛନ୍ତି । ଯାହାର ଫଳସ୍ବରୂପ ବିଧାନସଭାର ପ୍ରଥମାର୍ଦ୍ଧରେ କୌଣସି ଆଲୋଚନା ହୋଇପାରୁନି । ଦ୍ବିତୀୟାର୍ଦ୍ଧ୍ଦରେ ଦୁଇଟି ଖର୍ଚ୍ଚଦାବି ଉପରେ ଆଲୋଚନା ସମ୍ଭବ ହୋଇଛି ।

ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉଠାଉଛନ୍ତି, ସେସବୁ ପ୍ରସଙ୍ଗରେ ଗୃହ ମଧ୍ୟରେ ଆଲୋଚନା ହେବାର ସୁଯୋଗ ରହିଛି । କିନ୍ତୁ ଗୃହ ଚଳାଇ ନଦେଇ ଗଣମାଧ୍ୟମରେ ଲୋକପ୍ରିୟତା ପାଇବା ଆଶାରେ ହଟ୍ଟଗୋଳ କରୁଥିବା ବିଜେଡି ଅଭିଯୋଗ କରିଛି । ପୂର୍ବରୁ ପ୍ରଶ୍ନକାଳ ବନ୍ଦ ହେଲେ ବିରୋଧୀ ଦଳଗୁଡିକ ବେଶି ଉଦବେଗ ପ୍ରକାଶ କରୁଥିଲେ । ଏହାର କାରଣ ହେଉଛି, ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟାକୁ ପ୍ରଶ୍ନ ମାଧ୍ୟମରେ ଉତଥାପନ କରି ମନ୍ତ୍ରୀଙ୍କ ଠାରୁ ସିଧାସଖଳ ଉତ୍ତର ପାଇବାର ସୁଯୋଗ କହିଛି । ଏହା ନିର୍ବାଚନ ବର୍ଷ ହୋଇଥିବାରୁ ବିରୋଧୀ ପ୍ରଶ୍ନକାଳରେ ମନ୍ତ୍ରୀମାନଙ୍କୁ ଘେରିବାର ସୁଯୋଗ ରହିଥିଲେ ବି ଶସ୍ତା ଲୋକପ୍ରିୟତା ଆଳରେ ସେ ସୁଯୋଗ ହାତଛଡା କରୁଛନ୍ତି । ଏହାଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା କଥା ଉଠିପାରୁନି ।

Share

Leave a Reply

Your email address will not be published. Required fields are marked *

twenty + 16 =