ପିସିସି ଆପଣେଇଲା କାମରାଜ ନୀତି

ଦଳୀୟ କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବ

ଭୁବନେଶ୍ବର ()  ସଭାପତି ଦାୟିତ୍ବ ନେବା ପରେ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିବା କାମରାଜ ପଲିସିକୁ ପ୍ରଦେଶ କଂଗ୍ରେସରେ କାର୍ଯ୍ୟକାରୀ କରିଛନ୍ତି ନିରଂଜନ ପଟ୍ଟନାୟକ । ଅର୍ଥାତ ଓାନ୍ ମ୍ୟାନ ଓାନ ପୋଷ୍ଟ ଏବଂ ବରିଷ୍ଠ ତଥା ଅଭିଜ୍ଞ ନେତାମାନେ ପଦପଦବୀ ଛାଡି ଦଳ ପାଇଁ କାର୍ଯ୍ୟ କରିବା । ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଧିକ କ୍ରିୟାଶିଳ ହେବାକୁ ଜିଲ୍ଲା ସଭାପତି ଦାୟିତ୍ବରୁ ସେମାନଙ୍କୁ ହଟାଇ ଦିଆଯାଇଛି । ଏହିକ୍ରମରେ ଜିଲ୍ଲା ସଭାପତି ଦାୟିତ୍ବରୁ ଇସ୍ତାଫା ଦେଇଛନ୍ତି ପ୍ରକାଶ ବେହେରା । ସେପଟେ ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ଆଜି କିଛି ପୁରୁଣା କଂଗ୍ରେସ ନେତା ପୁଣି ଥରେ ଦଳକୁ ଫେରିଥିବା ବେଳେ ବିଜେପି ଓ ବିଜେଡିର କିଛି ନେତା ବି କଂଗ୍ରେସରେ ଯୋଗ ଦେଇଛନ୍ତି ।

ନିରଂଜନ ଓ ତାଙ୍କ ଟିମଙ୍କ ଆକଳନ ହେଉଛି, ରାଜ୍ୟ ବିଜେଡିରେ ଧିରେ ଧିରେ ଅସନ୍ତୋଷ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀଙ୍କ ଭୟରେ କେହି ପାଟି ଖୋଲୁନାହାଁନ୍ତି । କିନ୍ତୁ ନିର୍ବାଚନ ସମୟରେ ତାହା ବିସ୍ଫୋରକ ରୂପ ନେବ । ସେପଟେ ବିଜେପି ରାଜ୍ୟରେ ଶାସନ ଭାର ଦଖଲ କରିବାକୁ ବହୁ ହୋହଲ୍ଲା କରୁଥିଲେ ବି ସାଧାରଣ ଲୋକଙ୍କ ଦ୍ବାରା ଗ୍ରହଣୀୟ ହେଉନି । ଏହି ଦୃଷ୍ଟିରୁ କଂଗ୍ରେସ କିଛିଟା ସଂଗଠିତ ହେଲେ, ଦଳ ପୁଣି ଥରେ ନିଜ ଭୋଟ ବ୍ୟାଙ୍କକୁ ହାତେଇ ପାରିବ ଏବଂ ୧୯ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିବା ଅସମ୍ଭବ ନୁହେଁ । ଟିମ ନିରଂଜନ ନିଜର ଏମିତି କିଛି ଆକଳନକୁ ନେଇ ନିଜର ଲଢେଇ ଆରମ୍ଭ କରିଛନ୍ତି ।

ଗତ ପ୍ରାୟ ୪ ବର୍ଷ ହେଲା ରାଜ୍ୟ କଂଗ୍ରେସ ପ୍ରତି ନେତାମାନେ ବିମୁଖ ହୋଇ ଦଳ ଛାଡିଥିବା ବେଳେ ଏବେ ସେମାନେ ପୁଣି ଥରେ କଂଗ୍ରେସକୁ ଫେରିବା ଆରମ୍ଭ କରିଛନ୍ତି । ଏଥିପାଇଁ ଆଜି କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ଏକ ମହାମିଶ୍ରଣ ପର୍ବ । ଏଥିରେ ପୂର୍ବତନ ତୃଣମୂଳ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ, ସରସ୍ବତୀ ହେମ୍ବ୍ରମ, ପୂର୍ବତନ ପ୍ରବକ୍ତା ଅଶୋକ ସାମଲ, ବିବେକାନନ୍ଦ ପାତ୍ର, କାର୍ତ୍ତିକେଶ୍ବର ପାତ୍ର ପ୍ରମୁଖ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଅବସରରେ ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ଆହୁରି କିଛି ପୁରୁଣା କଂଗ୍ରେସ ନେତା ଯେଉଁମାନେ କୌଣସି କାରଣରୁ ବିମୁଖ ହୋଇଯାଇଥିଲେ ସେମାନେ ଦଳକୁ ଫେରିବେ । ଏଥିସହିତ ବିଜେପି ଓ ବିଜେଡିର ବହୁ ନେତା ଓ କର୍ମୀ ବି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ନିର୍ବାଚନ ପୂର୍ବରୁ ସେମାନେ ପଦ୍ମ ଓ ଶଙ୍ଖ ଛାଡି ହାତ ଧରିବେ ବୋଲି ନିରଂଜନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 15 =