ନୂଆ ଓଡିଶା ଗଠନର ଲକ୍ଷ୍ୟ ନେଇ ଆରମ୍ଭ ହେଲା ପଂଚମ ପାଳି

କ୍ଷୁଧାମୁକ୍ତ ଓଡିଶା ଗଠନର ସ୍ବପ୍ନ

ନବୀନ ଦେଲେ 5ଟିର ମନ୍ତ୍ର

ଲୋକଙ୍କ ଆଶା ଏକ ଗତିଶୀଳ ପ୍ରଶାସନ

ଭୁବନେଶ୍ବର () ପଞ୍ଚମ ପାଳିର ସରକାର ଗଠନର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀପରିଷଦ ବୈଠକ । ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟଙ୍କୁ ଏହି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନୂଆ ଟାସ୍କ । ତାହା ହେଲା ନୂଆ ଓଡିଶା ଗଠନ । ଏଥିପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଗଠନ କରିବା ଏକ ସଶକ୍ତ ଓଡିଶା, ଯେଉଁଠାରେ ଦାରିଦ୍ର୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ । ଏକ ସଶକ୍ତ ଓଡିଶା ଯେଉଁଠାରେ ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାବେ ଭାଗୀଦାର ହେବେ । ଏକ ସଶକ୍ତ ଓଡିଶା ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶର ଦୃଶ୍ୟପଟରେ ସାମିଲ ହେବେ । ଏକ ସଶକ୍ତ ଓଡିଶା ଯେଉଁଠାରେ ଯୁବକମାନଙ୍କର ସ୍ବପ୍ନର ସଫଳ ରୂପାୟନ ହୋଇପାରେ । ସାରା ବିଶ୍ବ ଜାଣିବା ଦରକାର ଯେ, ବିକାଶର ପରିଭାଷାରେ ଓଡିଶାର ସମୟ ଆସିଯାଇଛି । ଆଉ ଏହି ପରିବର୍ତ୍ତନ ପାଇଁ ଏବେ ଠାରୁ ସମୟ ଆରମ୍ଭ ହୋଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସାଢେ ଚାରି କୋଟି ଜନସାଧାରଣ ଆମକୁ ପୁଣି ଥରେ ଆଶୀର୍ବାଦ କରି ସେବା କରିବା ପାଇଁ ଆଉଥରେ ସୁଯୋଗ ଦେଇଛନ୍ତି । ଲୋକଙ୍କ ଏହି ବିଶ୍ବାସ ଓ ଭରସା ପାଇଁ ମୁଁ ସେମାନଙ୍କ ନିକଟରେ ଚିର ଋଣୀ । ଆଜି ମୁଁ ପୁଣି ଥରେ ଶାସନର 3ଟି ଟି ମନ୍ତ୍ର – ଟିମ ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ଚାହେଁ, ଯାହାଦ୍ବାରା କି ଆମେ ପରିବର୍ତ୍ତନ (ଟ୍ରାନ୍ସଫରମେସନ) ଆଡକୁ ଗତି କରୁଛୁ ।

ଏଥିରେ ଏକ ପଂଚମ ପରିମାକ ଭାବେ ସମୟକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସମୟ ହେଉଛି ଏକ ମହତ୍ବପୂର୍ଣ୍ଣ ଦିଗ । ଆମର ଯୁବକମାନେ ଆଜି ସବୁକିଛି ତୁରନ୍ତ କରିବାକୁ ଚାହାଁନ୍ତି । ଯଦି ଆମେ ବାତ୍ୟା ଫନିର ସୁପରିଚାଳନା ପାଇଁ ଆନ୍ତର୍ଜାତିୟ ମାନ୍ୟତା ପାଇଲୁ ତେବେ ଏହାର କାରଣ ହେଉଛି ଉଚିତ ସମୟରେ ଲୋକଙ୍କ ସ୍ଥାନାନ୍ତର । ଯଦି ଆମେ ମାତ୍ର 90 ଦିନ ମଧ୍ୟରେ ଏସିଆନ ଆଥଲେଟିକ୍ସ ଚମ୍ପିଆନସିପର ଆୟୋଜନ କରିପାରିଲୁ, ଯଦି ଆମେ 30 ଲକ୍ଷରୁ ଅଧିକ ମହିଳାଙ୍କୁ ମିଶନ ଶକ୍ତିରେ ସାମିଲ କରିପାରିଲୁ, ଯଦି ଆମେ ମାତ୍ର 15 ଦିନ ମଧ୍ୟରେ କାଳିଆ ଭଳି ଏକ ଐତିହାସିକ ଯୋଜନା ଆରମ୍ଭ କରିପାରିଲୁ, ଯଦି ଆମେ ମାତ୍ର 30 ଦିନ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ପ୍ରାୟ ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ସାମିଲ କରିପାରିଲୁ, ତେବେ ଆମର ସବୁ କାର୍ଯ୍ୟକ୍ରମରେ ଏହିପରି ଗତିଶୀଳତା ଜରୁରୀ । ଜନସାଧାରଣ ଆମଠାରୁ ଏହିପରି ଗତିଶୀଳ ପ୍ରଶାସନିକ ମଡେଲ ଆଶା କରନ୍ତି ।

ଆଜି ଆମେ ଆମ ଦଳର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ କରିଛୁ । ଆଜିଠାରୁ ଠିକ 365 ତିନ ପରେ 2020 ମେ 29 ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସଂପର୍କରେ ଲୋକଙ୍କ ପାଖରେ ଉପସ୍ଥାପିତ କରିବୁ । ମୁଁ ଜାଣେ ଯେ, କେତେକ ପ୍ରତିଶ୍ରୁତି ପାଳନ କରିବା ପାଇଁ ସମୟ ଲାଗେ । ମୁଁ ଚାହେଁ, ଆମର ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତି ଗୁଡିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ।

ମୁଁ ଚାହେଁ, ଆମେ ସମସ୍ତେ ପରିବର୍ତ୍ତନ ଉପରେ ଆମର ଧ୍ୟାନ କେନ୍ଦ୍ରୀତ କରି ଏକ ନୂଆ ଓଡିଶା ଗଠନ ପାଇଁ ଉଦ୍ୟମ କରିବା । ଆମେ ଗଠନ କରିବା ଏକ ସଶକ୍ତ ଓଡିଶା, ଯେଉଁଠାରେ ଦାରିଦ୍ର୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ । ଏକ ସଶକ୍ତ ଓଡିଶା ଯେଉଁଠାରେ ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାବେ ଭାଗୀଦାର ହେବେ । ଏକ ସଶକ୍ତ ଓଡିଶା ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶର ଦୃଶ୍ୟପଟରେ ସାମିଲ ହେବେ । ଏକ ସଶକ୍ତ ଓଡିଶା ଯେଉଁଠାରେ ଯୁବକମାନଙ୍କର ସ୍ବପ୍ନର ସଫଳ ରୂପାୟନ ହୋଇପାରେ । ସାରା ବିଶ୍ବ ଜାଣିବା ଦରକାର ଯେ, ବିକାଶର ପରିଭାଷାରେ ଓଡିଶାର ସମୟ ଆସିଯାଇଛି ।

Share

Leave a Reply

Your email address will not be published. Required fields are marked *

one × five =