ବାଚାଳାମୀ ନା ଜାଣିସିଆଣିଆ

ଭୁବନେଶ୍ବର, 06/06 (ନିପ୍ର): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନିଆଁଗିଳା ବୟାନକୁ ନେଇ ସେ ସବୁବେଳେ ବିବାଦୀୟ । ମନ୍ତ୍ରୀ ପଦ ପାଇଲେ ଖୁସି ସମ୍ଭରଣ କରିନପାରି ସବୁ ପ୍ରସଙ୍ଗରେ ଅଜଥା ମୁଣ୍ଡ ପୂରାଇ ସରକାରଙ୍କୁ ଅଡୁଆରେ ପକାନ୍ତି । ସେଥିପାଇଁ ସେ ଯେତେବେଳେ ମନ୍ତ୍ରୀ ହୁଅନ୍ତି ସେତେବେଳେ ନିଜେ ନିଜେ ମନ୍ତ୍ରୀ ପଦରୁ ବାହାରିବା ପାଇଁ ବାଟ ଖୋଲନ୍ତି । ମନ୍ତ୍ରୀପଦ ଯିବା ପରେ ମଧ୍ୟ ସେମିତି ସବୁ ଦଳୀୟ ନେତାଙ୍କୁ ସବୁ ପ୍ରସଙ୍ଗରେ ସମାଲୋଚନା କରନ୍ତି । ଆଉ ସବୁବେଳେ ଟାର୍ଗେଟ କରନ୍ତି ଦଳର ମୁଖିଆଙ୍କ ବିଶ୍ବସ୍ତ ନେତାଙ୍କୁ । ଦାମଙ୍କ ଏଭଳି ବିବାଦୀୟ ବୟାନକୁ କଣ କୁହାଯିବ ବାଚାଳାମୀ ନା ଜାଣିସିଆଣିଆ ଗୁଣ ।

ଦାମୋଦର ରାଉତଙ୍କ ସବୁଠାରୁ ବଡ ଦୁର୍ବଳତା ହେଉଛି, ସେ ସବୁଆଡେ କହି ବୁଲନ୍ତି ସେ ସବୁ ଜାଣିଛନ୍ତି । ତାଙ୍କଠାରୁ ଅଧିକ ପ୍ରଶାସନିକ ଦକ୍ଷତା କାହାରି ନାହିଁ କି ରାଜନୈତିକ ପଟୁତା କାହାଠି ନାହିଁ । ସେ ନିଜକୁ ସବୁଠାରୁ ବଡ ଅନୁଭବୀ ଓ ଅଭିଜ୍ଞ ନେତା ବୋଲି ମଧ୍ୟ କହିବୁଲନ୍ତି । ଆଉ ଯିଏ ଯାହା କହିଲେ କହନ୍ତି କିଛି ଜାଣିନ ବୋଲି । ଏପରିକି ଶେଷ ଥର ପାଇଁ ୨୦୧୪ରେ ମନ୍ତ୍ରୀ ହେଲା ପରେ ସେ କହି ବୁଲୁଥିଲେ ଯେ, ସେ ବିଜେଡି ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିଲେ । ଏପରିକି କୁଆଡେ ସେ ନବୀନଙ୍କୁ ରାଜନୀତିକୁ ଆଣିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜୁରାଲଙ୍କ ସହ ଆଲୋଚନା କରିଥିଲେ । ଯେତେବେଳେ କି ଏକଥା ସବୁ ପୁରୁଖା ରାଜନେତା ଓ ରାଜନୈତିକ ସମୀକ୍ଷକମାନେ ଭଲ ଭାବେ ଜାଣନ୍ତି ଯେ, ଦାମ ବାବୁ ସେଇ ଅଳ୍ପ କିଛି ନେତାଙ୍କ ସହ ବିଜେଡିକୁ ଆସିନଥିଲେ କି ନବୀନଙ୍କ ନେତୃତ୍ୱକୁ ଗ୍ରହଣ କରୁନଥିଲେ । ତେବେ ପରବର୍ତ୍ତି ସମୟରେ ନବୀନଙ୍କ ଲୋକପ୍ରିୟତା ଦେଖି ବିଜେଡିରେ ମିଶିବାକୁ ବାଧ୍ୟ ହୋଇଥିଲେ । ଏକଥା ଆମେ କହୁନୁ ଦାମଙ୍କ ଏଇମିତି ବାଚାଳାମୀ ଦେଖି ବିଜେଡି ନେତାମାନେ କହୁଛନ୍ତି । ଆଉ କହୁଛନ୍ତି ଏହା ତାଙ୍କ ବାଚାଳାମୀ ନୁହେଁ, ଜାଣିସିଆଣିଆ । ସେ ଦଳର ମୁଖିଆଙ୍କ ଉପରେ ନିୟମିତ ଭାବେ ଚାପ ସୃଷ୍ଟି କରିବାକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ।

ଆଜି ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମରେ ସେ ବିଜେଡିର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରି ତାଙ୍କୁ ଦ୍ବିତୀୟ କ୍ଷମତା କେନ୍ଦ୍ର ବୋଲି କହିଛନ୍ତି । ଯେଉଁ ସମୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଗାଦି ଛାଡି ଦଳ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ, ସେ ସମୟରେ ପ୍ରଣବ ପ୍ରକାଶଙ୍କ ସହ କିଛି ଯୁବ ମନ୍ତ୍ରୀ ମନ୍ତ୍ରୀପଦ ଛାଡି ସାଂଗଠନିକ କାର୍ଯ୍ୟକୁ ଓହ୍ଲାଇ ଆସିଥିଲେ । ସେ ସମୟରେ ଦାମବାବୁଙ୍କ ଦଳ ପ୍ରେମ ଓ ଦଳୀୟ ନୈତିକତା କୁଆଡେ ଯାଇଥିଲା ବୋଲି କିଛି ଯୁବ ନେତା ପ୍ରଶ୍ନ କରିଛନ୍ତି । ତାଙ୍କ ବିବାଦୀୟ ବଜାୟବାଜୀକୁ ଉପରେ କିଛି ଯୁବ ନେତା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଦାମବାବୁ ସବୁ ବେଳେ କ୍ଷମତାରେ ରହିବାକୁ ଚାହାଁନ୍ତି । ତାଙ୍କର ଦଳ ପ୍ରତି କୌଣସି ଆନ୍ତରିକତା ଓ ଭଲ ପାଇବା ନାହିଁ । ତେଣୁ ଯିଏ ଦଳୀୟ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସ୍ତ ହୁଅନ୍ତି, ତାଙ୍କ ପ୍ରତି ଦାମବାବୁଙ୍କ ଅସୁୟା ଭାବ ସୃଷ୍ଟି ହୁଏ । ତେଣୁ ଦାମବାବୁ ନିଜ ଚିରାଚରିତ ଢଙ୍ଗରେ ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତି । ଦାମବାବୁଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଏହି ଯୁବ ନେତାମାନେ କହିଛନ୍ତି ।

କେବଳ ରାଜନୈତିକ ପ୍ରସଙ୍ଗ ନୁହେଁ, ନବକଳେବର ଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲାଯିବା, ରତ୍ନଭଣ୍ଡାରର ଚାବି ହଜିବା, ପ୍ରାକୃତିକ ବିପର୍ଯ୍ୟୟ, ଶିକ୍ଷକ ସମସ୍ୟା, ପ୍ରଶ୍ନପତ୍ର ଲିକ, ଶିକ୍ଷା ପଦ୍ଧତି, ଗାଁ ସମସ୍ୟା, ଚାଷ ସମସ୍ୟା, ଚାଷୀଙ୍କ ସମସ୍ୟା, ଚିଟଫଣ୍ଡ କ୍ଷତିଗ୍ରସ୍ତ, ସବୁ ପ୍ରସଙ୍ଗରେ ଅଜଥା ମୁଣ୍ଡଖେଳାଇ ବିବାଦୀୟ ମନ୍ତବ୍ୟ ଦେଇ ଦାମବାବୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାନ୍ତି । ଆଉ ତାଙ୍କର ସେହି ବିବାଦୀୟ ବୟାନକୁ ନେଇ ହଟଚମଟ ହେଲେ ଦୋଷ ଗଣମାଧ୍ୟମ ଉପରେ ଲଦି ଦେଇ କୁହନ୍ତି “ମୁଁ କହିନି, ମୋ ବକ୍ତବ୍ୟକୁ ଭିନ୍ନ ଚିତ୍ର ଦିଆଯାଇଛି” । ଏହା ଅବଶ୍ୟ ତାଙ୍କ ପୂରୁଣା ଅଭ୍ୟାସ । ତେଣୁ ଏହାକୁ ଜାଣିସିଆଣିଆ କୁହାଯିବନି ତ ଆଉ କଣ ବୋଲି କିଛି ବିଜେଡି ନେତା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × four =