ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡ଼ୁଆ

ଭୁବନେଶ୍ୱର (): ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଏବଂ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସଚିନ ପାଇଲଟ ସବୁଠୁ ବଡ଼ ଦାବିଦାର ଅଟନ୍ତି। ଗେହଲଟ୍ ନାଁ ସଚିନ ପାଇଲଟ କିଏ ବିଜୟ ମୁକୁଟ ପିନ୍ଧିବ ତାକୁ ନେଇ ରାଜନୀତି ସରଗରମ ହୋଇଛି।

ରାଜସ୍ଥାନରେ କଂଗ୍ରେସ ସରକାର କଲେ ହୁଏତ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ନହୋଇପାରନ୍ତି। ତାଙ୍କଠାରୁ ଅଧିକ ବୟସ୍କ ଏବଂ ଅନୁଭୂତି ସମ୍ପନ୍ନ ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଏ ବିଜୟର ପାଇଲଟ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ନୁହେଁ, ବରଂ ଯୁବ କଂଗ୍ରେସ କର୍ମୀଙ୍କ ଆଦର୍ଶ ସଚିନ୍‌ ପାଇଲଟ୍‌ ବୋଲି ମତ ପ୍ରକାଶ ପାଇଛି।

ଯେ କୌଣସି ଗାଁର ଯେ କୌଣସି ଘର ହେଉ ଅଥବା କୌଣସି ଇଂରାଜୀ ଟିଭି ଚାନେଲ୍‌ର ଷ୍ଟୁଡିଓ ହେଉ,ସହରୀ ସଚିନ୍‌ ସହଜ ମୁଦ୍ରାରେ ଥାଆନ୍ତି। ୨୦୧୩ରେ ରାଜସ୍ଥାନରେ କ୍ଷମତାରୁ ହଟିଥିବା କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବା କେବଳ ସଚିନ୍‌ଙ୍କ ଲୋକପ୍ରିୟତା ପାଇଁ ସମ୍ଭବ ହୋଇପାରିଛି ବୋଲି ଅନେକ ବିଶ୍ୱାସ କରନ୍ତି। ଏପରିକି ତାଙ୍କ ନେତୃତ୍ୱ ପ୍ରତି ଭୟଭୀତ ବିଜେପି ତାଙ୍କ ବିରୋଧରେ ଦଳର ଏକମାତ୍ର ମୁସଲିମ୍‌ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସେ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ଜିତି ତାଙ୍କ ବିପୁଳ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି।

୨୦୧୩ ମସିହାରେ ବିଜେପିଠାରୁ ଶୋଚନୀୟ ପରାଜୟ ପରେ ସଚିନ୍‌ଙ୍କ ହାତକୁ ରାଜସ୍ଥାନ କଂଗ୍ରେସ ସଭାପତିର ଦାୟିତ୍ୱ ଆସିଥିଲା। କାରଣ ଏହି ନିର୍ବାଚନରେ ବିଜେପି ୧୬୩ଟି ଆସନରେ ଜିତିଥିଲା ଏବଂ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସକୁ ମାତ୍ର ୨୧ଟି ଆସନ ମିଳିଥିଲା।

୨୦୦୮ରେ କଂଗ୍ରେସର ତତ୍କାଳୀନ ପ୍ରଦେଶ ଅଧ୍ୟକ୍ଷ ସି ପି ଯୋଶୀ ଓ ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର ଥିଲେ। ସିପି ଯୋଶୀ  ନିର୍ବାଚନରେ ହାରି ଯାଇଥିଲେ ମାତ୍ର ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଥିଲେ। ସେହି ସମୟରେ ଦିଗବିଜୟ ସିଂହଙ୍କୁ ପର୍ଯ୍ୟବେକ୍ଷକ ରୂପେ ରାଜସ୍ଥାନ ପଠାଯାଇଥିଲା ଏବଂ ବିଧାୟକଙ୍କ ପସନ୍ଦ ଆଧାରରେ ଅଶୋକ ଗେହଲଟ ସେହି ସମୟରେ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିଲେ। ୧୦ ବର୍ଷ ପରେ ପୁଣି ଥରେ ବର୍ତ୍ତମାନ ପ୍ରଦେଶ ଅଧ୍ୟକ୍ଷ ସଚିନ ପାଇଲଟ ଓ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି।

ସଚିନ୍ ପାଇଲଟ ଚାରି ବର୍ଷରୁ  ଅଧିକ ସମୟ ରାଜସ୍ଥାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିଛନ୍ତି। ଅନ୍ୟପଟେ ଅଶୋକ ଗେହଲଟ ପାର୍ଟିର ଶକ୍ତିଶାଳୀ ନେତା ତଥା ମହାସଚିବ ଅଛନ୍ତି। ଉଭୟଙ୍କ ସମର୍ଥକ ପରିମାଣ ଘୋଷିତ ହେବା ପୂର୍ବରୁ ନିଜ ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଅଭିଜ୍ଞତା ଦୃଷ୍ଟିରୁ କଂଗ୍ରେସ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ। କେନ୍ଦ୍ର ସରକାରରେ ନୂଆ ଭୂମିକା ନେବା ସହ ରାଜସ୍ଥାନ ସରକାରରେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଗେହଲଟ୍। ହାଇକମାଣ୍ଡଙ୍କ ପାଖ ଲୋକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ଅଧିକ।

ଏହି ଭିତରେ କୁହାଯାଇପାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ନେତାଙ୍କୁ ନେଇ ଅଡୁଆ ସ୍ଥିତିରେ ପଡ଼ିପାରନ୍ତି। ଗେହଲଟ ନାଁ ସଚିନ୍ ପାଇଲଟ୍ କାହାକୁ ମୁଖ୍ୟମନ୍ତ୍ରୀ କରିବେ ତାହା ନିଶ୍ଚିତ ଚିନ୍ତାର ବିଷୟ। କାରଣ ଦୁଇ ନେତାଙ୍କ ନେତୃତ୍ୱ ନେବାରେ କ୍ଷମତା ରହିଛି। ଗୋଟିଏ ପଟେ ଗେହଲଟଙ୍କ ପାଖରେ ଲମ୍ବା ରାଜନୈତିକ ଅନୁଭବ ଥିବାବେଳେ ଅନ୍ୟପଟେ ୪୧ ବର୍ଷୀୟ ସଚିନ ପାଇଲଟ ଦଳକୁ ଆଗକୁ ନେବାର ଦକ୍ଷତା ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen − twelve =