ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ଭୁବନେଶ୍ବର () ରାଜ୍ୟ ବିଜେପିର ତଥାକଥିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଆରମ୍ଭ ହେଲାଣି ବିଦ୍ରୋହ । ତାଙ୍କର ଏକଛତ୍ରବାଦ କାର୍ଯ୍ୟକଳାପ ଏବଂ ମୂଳ ବିଜେପି କର୍ମୀଙ୍କୁ ଅଣଦେଖା କରାଯାଉଥିବା ନେଇ ଏହି ବିଦ୍ରୋହ ମୁଣ୍ଡ ଟେକିଛି । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ବିଦ୍ରୋହ ଆଉ କେବଳ ତୃଣମୂଳ ସ୍ତରରେ ବା ଜିଲ୍ଲା ସ୍ତରରେ ସୀମିତ ହୋଇ ରହିନାହିଁ । ଏହା ଆସି ପହଞ୍ଚିଲାଣି ରାଜ୍ୟ କାର୍ଯ୍ୟାଳୟରେ । ଆଜି ଧର୍ମେନ୍ଦ୍ର ପ୍ରଧାନ ଓ ଯାଜପୁରର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କ ବିରୋଧରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଯାଜପୁର, ବରି ଓ ବଂଝାରପୁର ଅଂଚଳର କିଛି ଅସନ୍ତୁଷ୍ଟ ବିଜେପି କର୍ମୀ ।

ଗୌତମ ରାୟ ଦଳରେ ଯୋଗ ଦେବା ପରେ ଯାଜପୁର ବିଜେପିରେ ସୃଷ୍ଟି ହୋଇଛି ବିଭ୍ରାଟ । ଦିନକୁ ଦିନ ସଂଗଠନ ଶକ୍ତିଶାଳୀ ହେବା ପରିବର୍ତ୍ତେ ଛିଡୁଛି । ଯାଜପୁର, ବରି, ବିଂଝାରପୁର ଆଦି ନିର୍ବାଚନମଣ୍ଡଳୀରେ ବିଜେପି ତିନି ନମ୍ବର ସ୍ଥାନକୁ ଖସି ଆସିଲାଣି । ଗତ 20 ବର୍ଷ ଧରି ସଂଘ ଏବଂ ବିଜେପିର ମୂଳ ସଦସ୍ୟ ଭାବେ କାର୍ଯ୍ୟକରୁଥିବା ନେତା ଓ କର୍ମୀମାନଙ୍କୁ ଅଣଦେଖା କରୁଛନ୍ତି ଗୌତମ ରାୟ, ଆଉ ଏଦିଗରେ ତାଙ୍କୁ ମିଳୁଛି କେନ୍ଦ୍ରମନ୍ତ୍ରୀଙ୍କ ପ୍ରୋତ୍ସାହନ ।

ଗତ ପଂଚାୟତ ନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଗୌତମ ସମାନ୍ତରାଳ ବିଦ୍ରୋହୀ ପ୍ରାର୍ଥୀ ଛିଡା କରାଇଥିଲେ । ଫଳରେ ଯାଜପୁରରେ ବିଜେପି ଯେଉଁ ଅନୁସାରେ ସଫଳତା ପାଇବା କଥା ତାହା ସମ୍ଭବ ହେଲାନାହିଁ ବୋଲି ଏହି ଅସନ୍ତୁଷ୍ଟ ନେତାମାନେ ଅଭିଯୋଗ କରିଛନ୍ତି । ନିକଟରେ ଯାଜପୁର, ବରି ଓ ବିଂଝାରପୁରର 27ଜଣ ବିଜେପି ମଣ୍ଡଳ କର୍ମକର୍ତ୍ତାଙ୍କୁ ଦଳରୁ କାଢି ଦିଆଯାଇଛି । ଗୌତମ ରାୟ ମୂଳ ବିଜେପି କର୍ମୀଙ୍କୁ ଦଳଠାରୁ ଭିନ୍ନେ କରାଇ ନିଜସ୍ବ ସଂଗଠନ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ଏହା କିନ୍ତୁ ଦଳ ପାଇଁ ମହାଙ୍ଗା ସାବ୍ୟସ୍ତ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନେ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଦଳ ତରଫରୁ ତାଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ ଉପସଭାପତି ସମୀର ମହାନ୍ତି । ସେ ପାଲଟା ଅଭିଯୋଗ କରିଛନ୍ତି ଯେ, ବିଜେପି ବିରୋଧରେ ବିଜେପିକୁ ବ୍ୟବହାର କରାଉଛନ୍ତି କିଛି ବିପକ୍ଷ ରାଜନୈତିକ ଶକ୍ତି ।

ଦଳରେ ଏବେ ଧର୍ମେନ୍ଦ୍ର ପ୍ରଦାନଙ୍କ ଏକପାଖିଆ ନିଷ୍ପତ୍ତି ଏବଂ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । କେବଳ ଯାଜପୁର ନୁହେଁ, ନିକଟରେ କଟକ ବିଜେପି ସଂଗଠନର କିଛି କର୍ମକର୍ତ୍ତ ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ଥାନୀୟ ନେତାଙ୍କ ବିରୋଧରେ ବିଷୋଦଗାର କରିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ସେହିଭଳି ନାଲି ଆଖି ଦେଖାଇ ଫେରେଇ ଦିଆଗଲା ।

Share

Leave a Reply

Your email address will not be published. Required fields are marked *

3 × 3 =