ବହିଷ୍କାର ଖବର ପାଇ ଆଗୁଆ ଇସ୍ତଫା ଦେଇଦେଲେ ନବ

ଭୁବନେଶ୍ବର () କଂଗ୍ରେସରେ ଥାଇ ବିଜେଡିର ପ୍ରଚାର କରୁଥିଲେ ନବ । ଏଥିପାଇଁ କଂଗ୍ରେସ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି । ତେବେ ବହିଷ୍କାର ହେବେ ବୋଲି ସୂଚନା ପାଇ ଆଗୁଆ କଂଗ୍ରେସରୁ ଇସ୍ତଫା ଦେଇଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ ।

ନବ ଦାସ ଆସନ୍ତା 24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ସ୍ବାଗତ କରି ଝାରସୁଗୁଡାର ବିଭିନ୍ନ ଛକ ଜାଗାଗୁଡିକରେ ବିରାଟ ବିରାଟ ବ୍ୟାନର ମାରିଥିଲେ । ଏଥିସହିତ ସେ ବାରମ୍ବାର ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗଣମାଧ୍ୟମରେ ପ୍ରଶଂସା କରୁଥିଲେ । ନିଜ ଭୋଟର ଓ ସମର୍ଥକଙ୍କ ଆଗ୍ରହ ବୋଲି ଦର୍ଶାଇ ସେ 2019ରେ ବିଜେଡି ଟିକେଟରେ ନିର୍ବାଚନ ଲଢିବେ ବୋଲି କହୁଥିଲେ । ଏହିଦୃଷ୍ଟିରୁ ତାଙ୍କ ବିରୋଧରେ ଦଳର ଶୃଙ୍ଖଳାଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ହେବାକୁ ଏଆଇସିସିକୁ ସପ୍ତାହେ ତଳେ ପିସିସି ସଭାପତି ଲିକ୍ଷିତ ଭାବେ ଜଣାଇଥିଲେ । ଏଆଇସିସିର ଅନୁମୋଦନ ପରେ ଆଜି ସେ ଦଳରୁ ବହିଷ୍କୃତ ହୋଇଛନ୍ତି । କିନ୍ତୁ ବହିଷ୍କାର ସଂପର୍କିତ ଚିଠି ପ୍ରକାଶ ପ୍ରକାଶ ପାଇବା ପୂର୍ବରୁ ସେ ନିଜ ଇସ୍ତଫାପତ୍ର ପଠାଇ ଦେବା ସହ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ମତାମତକୁ ସମ୍ମାନ ଦେଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

ନବ କହିଛନ୍ତି ଯେ, ତାଙ୍କର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ କୌଣସି ସମସ୍ୟା ନାହିଁ । କିନ୍ତୁ ତାଙ୍କ ସମର୍ଥକ ଓ କର୍ମୀ ଚାହୁଁଛନ୍ତି ଯେ, ସେ 2019ରେ ବିଜେଡି ଟିକେଟରେ ନିର୍ବାଚନ ଲଢନ୍ତୁ । ଆସନ୍ତା 24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଭୋଟରଙ୍କ ଆଗ୍ରହ ସଂପର୍କରେ ଜଣାଇବେ ।

ଭୋଟର ଓ ସମର୍ଥକଙ୍କ ଚାପରେ ଦଳ ଛାଡୁଥିବାରୁ ସେ ରାହୁଲଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ବିକାଶ । ତେଣୁ ବିଜେଡି ସହ ରହିଲେ ତାଙ୍କ ଅଞ୍ଚଳର ବିକାଶ ହୋଇପାରିବ । ଏହି ଆଶା ନେଇ ସେ ବିଜେଡିରେ ଯୋଗ ଦେଉଥିବା କହିଛନ୍ତି । ସେ ନିଜ ଇସ୍ତଫାପତ୍ରର ନକଲ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + nineteen =