ନବୀନଙ୍କୁ ଫଲୋ କରୁଛନ୍ତି ମୋଦି

ଭୁବନେଶ୍ବର () ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ରାଜ୍ୟ ବିଜେପି ସମାଲୋଚନା କରୁଛି । ସେପଟେ କେନ୍ଦ୍ର ସରକାର ରାଜ୍ୟର ଏହି ଯୋଜନାକୁ ଅନୁକରଣ କରି ଜାତୀୟ ସ୍ତରରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଜାତୀୟ ସ୍ତରରେ ଚାଷୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଯୋଜନା ପାଇଁ ମାର୍ଗଦର୍ଶିକା ସଦୃଶ୍ୟ ହୋଇଛି । କାଳିଆ ଯୋଜନାକୁ ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିବା ପରେ ଏବେ କେନ୍ଦ୍ର ସରକାର ଏହି ଯୋଜନା ଢାଞ୍ଚାରେ ଜାତୀୟ ସ୍ତରରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୃଷି ମନ୍ତ୍ରଣାଳୟର ଅଧିକାରୀଙ୍କୁ ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ଭଲଭାବେ ଅନୁଧ୍ୟାନ କରି ଜାତୀୟ ସ୍ତରରେ ଏକ ଚିଠା ନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି । ଯାହାଦ୍ବାରା କ୍ଷୁଦ୍ର ଓ ମଧ୍ୟବିତ୍ତ ଏବଂ ଭୂମୀହୀନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପଠାଯାଇପାରିବ । ନିର୍ବାଚନ ପୂର୍ବରୁ କାଳିଆ ଯୋଜନାକୁ ଏକ ନୂଆ ରୂପରେ ଜାତୀୟ ସ୍ତରରେ ଲାଗୁ କରିବାକୁ ଯୋଜନା କରୁଥିବା କେନ୍ଦ୍ର ସରକାର ଏହି ଚିଠା ନୀତିକୁ ତୁରନ୍ତ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜେପି ଏହି ଚାଷୀ ସମସ୍ୟାକୁ ନେଇ ହିଁ ନିର୍ବାଚନ ହାରିଛି । ତେଣୁ ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ଦେଖି କେନ୍ଦ୍ରର ବିଜେପି ସରକାର ହଠାତ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଚାଷୀ ଓ ଚାଷ ସମସ୍ୟା ବିଶେଷ କରି କ୍ଷୁଦ୍ର, ମଧ୍ୟବିତ୍ତ ଏବଂ ଭୂମୀହୀନ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର 31 ତାରିଖରେ କାଳିଆ ଯୋଜନା କାର୍ଯ୍ୟକାରୀକୁ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ସହ ଜୀବିକା ନିର୍ବାହ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟର 92 ପ୍ରତିଶତ ଚାଷୀ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

5 × 2 =