ବିଜେପି ସହ ଡିଏନଏ ମ୍ୟାଚ କରୁନି

ଭୁବନେଶ୍ବର () ନିକଟରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଥିଲେ ଯେ, ସେମାନଙ୍କ ଡିଏନଏ ମ୍ୟାଚ କଲାନି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଟାକ୍ଷ ତାଙ୍କ ଦଳ ପାଇଁ ବହୁ ମାତ୍ରାରେ ପ୍ରଯୁଜ୍ୟ ଏକଥା ସେ ମଧ୍ୟ ଭଲଭାବେ ଜାଣିଛନ୍ତି । କାରଣ 2000 ମସିହା ପରଠାରୁ ରାଜ୍ୟ ବିଜେପିକୁ ତତ୍କାଳିନ ଜନତା ଦଳ, ଏବେର ବିଜେଡି ଏବଂ କଂଗ୍ରେସରୁ ବହୁ ନେତା ଯାଇଛନ୍ତି, ଆଉ ପରବର୍ତ୍ତି ସମୟରେ ଦଳ ଛାଡି ଚାଲିଆସିଛନ୍ତି । କେବଳ ସେତିକି ନୁହେଁ, ମୂଳ ବିଜେପି ନେତା ବି ଅଣନିଶ୍ବାସୀ ହୋଇ ବାହାରି ଆସିଛନ୍ତି । ଏଥିସହିତ ଗତ କିଛି ମାସର ରାଜନୈତିକ ଘଟଣାକ୍ରମରେ କିଛି ବରିଷ୍ଠ ନେତା ବିଜେପିରେ ଯୋଗ ଦେବାକୁ ଆଗ୍ରହୀ ଥିଲେ ବି ଡିଏନଏ ମ୍ୟାଚ ନକରିବାରେ ସେ ବି ପଦ୍ମଫୁଲ ଧରିପାରୁନାହାଁନ୍ତି ।

1995 ମସିହାରେ ମାତ୍ର 7.8 ପ୍ରତିଶତ ଭୋଟ ପାଇଥିବା ବିଜେପିର ବିଧାନସଭାରେ ସଭ୍ୟ ସଂଖ୍ୟା ଥିଲା 9 । 1998ରେ ମେଣ୍ଟ ପରେ 2000 ମସିହାରେ ଦଳର ବିଧାୟକ ସଂଖ୍ୟା 38କୁ ବଢିଥିଲା । ବିଜୁ ପଟ୍ଟନାୟକଙ୍କ ଦେହାନ୍ତା ହେବା ପରେ ବିଜେଡି ଗଠନ ଏବଂ ପରବର୍ତ୍ତି ସମୟରେ 2009ରେ ମେଣ୍ଟ ଭାଙ୍ଗି ପରେ ବହୁ ନେତା ତତ୍କାଳିନ ଜନତା ଦଳରୁ ଏବଂ ବିଜେଡିରୁ ବିଜେପିକୁ ଯାଇଛନ୍ତି । କିନ୍ତୁ ସମସ୍ତେ ଅଣନିଶ୍ବାସୀ ହୋଇଯାଇଛନ୍ତି । ଏପରିକି ମୂଳ ବିଜେପି ନେତାମାନେ ବି ଦଳରେ ରହିନପାରି ତ୍ରାହି ତ୍ରାହି ଡାକିଛନ୍ତି ।

ଉଦାହାରଣ ଦେଖିଲେ ତାଲିକା ଲମ୍ବା । ତତ୍କାଳିନ ଜନତା ଦଳର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଠାରୁ ଆରମ୍ଭ ହୋଇଥିଲା ଏହି ଦଳବଦଳ ତାଲିକା । ସେ ଜନତା ଦଳରୁ ବିଜେପିକୁ ଯାଇ ବିଧାୟକ ହେଲେ, ମନ୍ତ୍ରୀ ବି ହେଲେ । କିନ୍ତୁ ମୂଳ ପୃଷ୍ଠଭୂମୀ ସଂଘ ହୋଇନଥିବାରୁ ବିଜେପି ଛାଡି ପୁଣି ଥରେ ବିଜେଡିକୁ ଫେରିଆସିଲେ । ବୃନ୍ଦାବନ ମାଝି, ସେହିପରି ଜନତା ଦଳରୁ ବିଜେପିକୁ ଯାଇଥିଲେ, ଆଉ ଏବେ ବିଜେଡିକୁ ଫେରିଆସିଛନ୍ତି । ବିମ୍ବାଧର କୁଅଁର, ଜନତା ପାର୍ଟିରୁ ବିଜେପିରୁ ବିଧାୟକ ହେଲେ ମନ୍ତ୍ରୀ ବି ହେଲେ । ସେ ପୁଣି କିଛି ଦିନ ପାଇଁ ଦଳର ସଭାପତି ଥିଲେ । କିନ୍ତୁ ସେ ବି ବିଜେପିରେ ନିଜକୁ ଖାପ ଖୁଆଇ ପାରିଲେନି । ପୂର୍ବତନ ମନ୍ତ୍ରୀ ଗୋଲକ ନାୟକ, ବିଜେପିରୁ ରାଜନୀତି ଆରମ୍ଭ କଲେ, ବିଧାୟକ ହେଲେ ମନ୍ତ୍ରୀ ବି ହେଲେ । କିନ୍ତୁ ଏବେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ଜଣେ ଆଗ ଧାଡିର ନେତା । ଉପବାଚସ୍ପତି ସାନନ୍ଦ ମାରାଣ୍ତି, ବିଜେପିରୁ ରାଜନୀତି ଆରମ୍ଭ । ଥରେ ବିଧାୟକ ହେବା ପରେ ଅତିଷ୍ଟ ହୋଇ ବିଜେଡି ଚାଲିଆସିଛନ୍ତି । ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏବେ ଉପବାଚସ୍ପତି ଅଛନ୍ତି ।

ମହେଶ ସାହୁ ଓ ଅରବିନ୍ଦ ଢାଲୀ ବିଜେପି ଛାଡି ବିଜେଡିକୁ ଆସିବା କାରଣ ଏବଂ ଘଟଣା ବି ସମସ୍ତେ ଜାଣନ୍ତି । ଦୁଇ ବିଜେପିର ବିଧାୟକ ରହିଛନ୍ତି । ଅରବିନ୍ଦ ଢାଲୀ ପୁଣି 1992 ଉପନିର୍ବାଚନରୁ ବିଜେପି ବିଧାୟକ ଭାବେ ମାଲକାନଗିରିରୁ ଜିତି ଆସୁଥିଲେ । କିନ୍ତୁ ତାଙ୍କ ଡିଏନଏ ବି ମ୍ୟାଚ ନକରିବାରୁ ସେ ବିଜେଡି ଚାଲିଆସିଛନ୍ତି । ଏହାଭିନ୍ନ ବିଭିନ୍ନ ସମୟରେ କଂଗ୍ରେସ ଓ ବିଜେଡିରୁ ଆସି ବିଜେପିରେ ଯୋଗଦେଇ ପୁଣି ଥରେ ନିଜ ନିଜ ଦଳକୁ ଫେରିଯିବା କିମ୍ବା ରାଜନୀତିରୁ ଅବସର ନେଇଯିବା ନେତାଙ୍କ ତାଲିକା ବି ରହିଛି ।

ଏହି ତାଲିକାରେ ଅଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି, ରାମକୃଷ୍ଣ ପଟ୍ଟନାୟକ, କୁମୁଦିନି ପଟ୍ଟନାୟକ, ଉମା ବଲ୍ଲଭ ରଥ, ବ୍ରଜ କିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ପ୍ରମୁଖ । ତାରା ବାହିନିପତି କଂଗ୍ରେସରୁ ଆସି ବିଜେପିରେ ମିଶିଲେ, ପୁଣି କଂଗ୍ରେସ ଫେରିଗଲେ । ବ୍ରଜ ତ୍ରିପାଠୀ ମଧ୍ୟ 2009ରେ ବିଜେପି ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ହାରିଯିବା ପରେ ସେ ବିଜେପିରୁ ନିଜକୁ ଦୂରେଇ ଦେଇ ନିଜସ୍ବ ଦଳ ଗଠନ କଲେ । ରାମକୃଷ୍ଣ ପଟ୍ଟନାୟକ ଓ କୁମୁଦିନି ପଟ୍ଟନାୟକ ବିଜେପିରେ ଯୋଗ ଦେବା ପରେ ଗଂଜାମ ଟାଇଗରଙ୍କ ସ୍ବର ଆଉ ଶୁଭୁନି । ଉମା ବଲ୍ଲଭ ରଥ ମଧ୍ୟ ବିଜେପିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଇଥିଲେ । କିନ୍ତୁ ଅଣନିଶ୍ବାସୀ ହୋଇ ପୁଣି ଥରେ କଂଗ୍ରେସକୁ ଫେରିଆସିଛନ୍ତି ।

ନିକଟ ଅତିତରେ କଂଗ୍ରେସରୁ ବିଜେପିକୁ ଯାଇ ବିଧାୟକ ହୋଇଥିବା ନିତିଶ ଗଙ୍ଗଦେବ, ଜୟରାମ ପାଙ୍ଗୀ, ରମାରଂଜନ ବଳିଆରସିଂହ, ଗୌତମ ରାୟ ଆଦି ନେତାମାନେ ବି ହତାଶ ହୋଇଗଲେଣି । ନିତିଶ ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

5 × 3 =