ବିଜେଡି ସାଂସଦଙ୍କ ସହିତ କଂଗ୍ରେସର ଖରା ଛାଇ ସମ୍ପର୍କ

ଭୁବନେଶ୍ବର, 06/06 (ନିପ୍ର): ରାଜ୍ୟସଭାରେ ହେବାକୁ ଥିବା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମାଧ୍ୟମରେ ଗୋଟି ଚାଳନା କରୁଥିବାବେଳେ ସଂସଦର ପବ୍ଲିକ ଏକାଉଣ୍ଟସ କମିଟି (ପିଏସି)ର ସଦସ୍ୟ ଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ କ୍ଷମତାକୁ ଗୁରୁତ୍ବହୀନ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏଭଳି କାର୍ଯ୍ୟକୁ ଜାତୀୟ ସ୍ତରରେ ବିଜେଡି ସହିତ କଂଗ୍ରେସର ଖରା ଛାଇ ସମ୍ପର୍କ ବୋଲି ଆଲୋଚନା ହେଉଛି ।

ଆଗାମୀ ୩୦ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିୟନ ତାଙ୍କ ପଦବୀ ସହିତ ରାଜ୍ୟସଭା ସଦସ୍ୟ ପଦରୁ ଅବସର ନେବେ । ୧୯୭୭ ମସିହାଠାରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ କଂଗ୍ରେସ ହାତରେ ରହିଆସିଛି । କିନ୍ତୁୁ ଏବେ ଏହି ପଦବୀ କଂଗ୍ରେସ ହାତରୁ ଖସିବା ସୁନିଶ୍ଚିତ ହୋଇଛି । କାରଣ କଂଗ୍ରେସର ରାଜ୍ୟସଭାରେ ସ୍ପଷ୍ଟ ବହୁମତ ନାହିଁ । କିନ୍ତୁ କଂଗ୍ରେସ ଏହି ପଦବୀକୁ ବିଜେପିକୁ ଦେବା ଚିନ୍ତାରେ ନାହିଁ । ତେଣୁ କର୍ଣ୍ଣାଟକ ଫର୍ମୁଲା ଭଳି ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ବିଜେଡିକୁ ପ୍ରସ୍ତାବ ଦେଇଥିବା ଆଲୋଚନା ହେଉଛି । କଂଗ୍ରେସର ଏହି ପ୍ରସ୍ତାବ ଯଦି ବିଜେଡି ଦ୍ବାରା ଗ୍ରହଣୀୟ ହୁଏ ତେବେ କଂଗ୍ରେସ ଆଗାମୀ ନିର୍ବାଚନରେ ବିଜେଡି ସହିତ ନିର୍ବାଚନ ମେଣ୍ଟ କରିବାର ରାସ୍ତା ତିଆରି କରିପାରିବ ।

ଗତ କିଛି ମାସ ତଳେ ଆବଶ୍ୟକ ପଡିଲେ କଂଗ୍ରେସ ସହିତ ବିଜେଡି ମେଣ୍ଟ କରିବା ଉଚିତ୍‍ ବୋଲି ବିଜେଡିର ବରିଷ୍ଠ ସାଂସଦ ତଥା ପିଏସିର ସଦସ୍ୟ ଭର୍ତ୍ତୃହରି ମହତାବ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ପରେ ଶ୍ରୀ ମହତାବ ଦଳୀୟ ମହଲରେ ସମାଲୋଚନାର ଶୀକାର ହୋଇଥିଲେ । ଯେଉଁ କଂଗ୍ରେସ ଦିନେ ଶ୍ରୀ ମହତାବ ଓକିଲାତି କରିଥିଲେ ସେହି କଂଗ୍ରେସ ଦଳ ଏବେ ତାଙ୍କ କ୍ଷମତାକୁ ପିଏସିରେ ଗୁରୁତ୍ବହୀନ କରିବାକୁ ଉଦ୍ୟମ କରୁଛି ।

ମିଳିଥିବା ସୂଚନା ଅନୁସାରେ ନିକଟରେ ପ୍ରତିରକ୍ଷା ସମ୍ପର୍କୀତ ସବକମିଟି ଦ୍ବାରା ବୋଫର୍ସ ମାମଲାକୁ ନେଇ ଏକ ରିପୋର୍ଟ ପିଏସି ଅଧ୍ୟକ୍ଷ ତଥା କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ଦିଆଯାଇଥିଲା ।ଏହି ସବକମିଟିର ଅଧ୍ୟକ୍ଷ ଥିଲେ ବିଜେଡି ସାଂସଦ ଶ୍ରୀ ମହତାବ । ଏହି ରିପୋର୍ଟ ଦ୍ବାରା କଂଗ୍ରେସ ଦଳ ସଂସଦରେ ଅଡୁଆରେ ପଡିଯିବାର ଆଶଙ୍କା ଥିବାରୁ ପିଏସି ଅଧ୍ୟକ୍ଷ ଏହା ଉପରେ ଆଲୋଚନା କରିନଥିଲେ । ବିଜେଡି ସାଂସଦ ଶ୍ରୀ ମହତାବ ଏହି ରିପୋର୍ଟ ପ୍ରସ୍ତୁତ କରିଥିବାରୁ ତାଙ୍କୁ ଅନ୍ୟ ଏକ ଗୁରୁତ୍ବହୀନ ସବକମିଟି-୧ର ସଂଯୋଜକ ଭାବେ ଶ୍ରୀ ମହତାବଙ୍କୁ ନିଯୁକ୍ତି କରାଯାଇଥିଲା । ଯାହାକୁ ନେଇ ଶ୍ରୀ ମହତାବ ତୀବ୍ର ଅସନ୍ତୋଷ ପ୍ରକାଶ କରି ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି ।

ପିଏସି ଅଧ୍ୟକ୍ଷଙ୍କୁ ବିଜେଡି ସାଂସଦ ଶ୍ରୀ ମହତାବ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଏହି ସବକମିଟିରେ ତାଙ୍କୁ ସଂଯୋଜକ କରିବା ପୂର୍ବରୁ ମତାମତ ନିଆଯାଇନାହିଁ । ସଂସଦୀୟ ଇତିହାସରେ ପୂର୍ବରୁ ମଧ୍ୟ ଏଭଳି କମିଟି ନଥିଲା ବୋଲି ଶ୍ରୀ ମହତାବ ଉଲେଖ କରିଛନ୍ତି । ବର୍ତ୍ତମାନ ପିଏସିରେ କାର୍ଯ୍ୟଭାର ଅଧିକ ନଥିବାରୁ ସବକମିଟିର ଆବଶ୍ୟକତା ମଧ୍ୟ ନାହିଁ । ପିଏସି ଅଧ୍ୟକ୍ଷ ଖାଡଗେ ଅନଭିଜ୍ଞତା ଦୃଷ୍ଟିରୁ କିମ୍ବା ଆଉ କାହାର ପ୍ରରୋଚନରେ ଏମିତି କରିଛନ୍ତି ବୋଲି ଚିଠିରେ ଲେଖି ଗାନ୍ଧୀ ପରିବାର ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − two =