ଏଜି ଛକରେ ଏଡିଜି ଝିଅଙ୍କ ଦାଦାଗିରି

ଡିସିପି କରିବେ ମାମଲାର ତଦନ୍ତ

ଭୁବନେଶ୍ବର (ନିପ୍ର): ମଣିଷ ହାତରେ କ୍ଷମତା ଥିଲେ ସେ ଯେକୌଣସି ଅଘଟଣ ଘଟାଇବାକୁ ପଛାଏ ନାହିଁ । ଏଭଳି ଏକ ହୃଦୟବିଦାର ଘଟଣା ଖୋଦ୍‍ ରାଜଧାନୀ ଭୁବନେଶ୍ବରରେ ଘଟିଛି । ଜଣେ କାର୍ଯ୍ୟରତ ଏଡିଜି ଝିଅଙ୍କ ଦାଦାଗିରି ଗୁରୁବାର ଅପରାହ୍ନରେ ଏଜିଛକରେ ଦେଖିବାକୁ ମିଳିଛି । ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରି ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳଙ୍କୁ ମାଡ ମାରିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଟ୍ରାଫିକ୍‍ ଛକ ଉପରେ କିଛି ସମୟ ଡେଇଁ ଡେଇଁ ବାପାଙ୍କ କ୍ଷମତାକୁ ସେ ଦେଖାଇଥିଲେ । ଖବର ପାଇ ଏଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ସେ ମଧ୍ୟ ତାଙ୍କର କ୍ଷମତାକୁ ଦୁରୂପଯୋଗ କରିଥିଲେ ।

ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏବେ ଦେଖିବାକୁ ବାକି ରହିଲା ଦାଦାଗିରି ଦେଖାଇ ମାଡ ମାରିଥିବା ଏଡିଜିଙ୍କ ଝିଅ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ । ନାଁ ଅଫିସରଙ୍କ ନାଲି ଆଖିରେ ଘଟଣା ଚାପି ହୋଇ ଯାଉଛି । କିନ୍ତୁ ଏଭଳି ଘଟଣାକୁ ରାଜଧାନୀବାସୀ ସହଜରେ ବିଶ୍ବାସ କରିପାରୁନାହାନ୍ତି । ଯଦି ସାଧାରଣ ଲୋକଟିଏ କିମ୍ବା ଜଣେ ସାମ୍ବାଦିକ ଏଭଳି କାର୍ଯ୍ୟ କରିଥାନ୍ତା ତା ହେଲେ ପୁଲିସ ବାବୁମାନେ ସଂଗେସଂଗେ ତାଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଇନଥାନ୍ତେ । ଘଟଣାକୁ ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନ ୫ଟା ୩୦ ମିନିଟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ରବିନ୍ଦ୍ର ମଣ୍ଡପ ଆଡକୁ ଯିବାର ଥିଲା ସେଥି ପାଇଁ ଟ୍ରାଫିକ୍‍କୁ ବନ୍ଦ କରି ଦିଆଯାଇଥିଲା । କଳା ରଙ୍ଗର ଏକ କାର୍‍ ଓଆର-୧୫-ବି-୨୭୨୭ ଜୋବ୍ରା କ୍ରିସିଂ ଡେଇଁ ଆଗକୁ ମାଡି ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା କନଷ୍ଟେବଳ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀ ଜଣଙ୍କ କାର୍‍କୁ ନରଖି ଆଗକୁ ମାଡିଯିବାକୁ ଉଦ୍ୟମ କରିଥିଲେ । ମହିଳା କନଷ୍ଟେବଳ କାର ସମ୍ମୁଖରେ ଠିଆ ହୋଇଯିବାରୁ ଯୁବତୀ ଜଣଙ୍କ ସଂଗେ ସଂଗେ କାର୍‍୍‍ ଭିତରୁ ନାଲି ନାଲି ଆଖି କରି ମହିଳା କନଷ୍ଟେବଳଙ୍କ ନିକଟକୁ ମାଡି ଆସିଥିଲେ ।

ବଡ ପାଟିକରି ତାଙ୍କୁ ଗାଳି କରିବା ସହ ତାଙ୍କ ଚୁଟିକୁ ଧରି ମାଡ ମାରିଥିଲେ । ଆରେ ମୁଁ ଏଡିଜିଙ୍କ ଝିଅ ତୁ କ’ଣ ବୋଲି ନିଜକୁ ଭାବୁଛୁ କହିବାରୁ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଜୋର ଧରିଥିଲା । ମହିଳା କନଷ୍ଟେବଳ ଜଣଙ୍କ ଯୁବତୀଙ୍କୁ ମଧ୍ୟ ମାଡ ମାରିଥିଲେ । ସୁରକ୍ଷା କର୍ମୀମାନେ ଯୁବତୀଙ୍କୁ ଏଜି ଛକରୁ ଉଠାଇ ଆଣି ରାସ୍ତା ପାର୍ଶ୍ବକୁ ନେଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗାଡି ଯିବା ପରେ ଆରମ୍ଭ ହୋଇଥିଲା । ଯୁବତୀଙ୍କ ତାଣ୍ଡବ, ପ୍ରାୟ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ଲାଗିଥିବା ଦୁହିଁଙ୍କ ମଧ୍ୟରେ ବିବାଦ । ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ôଚ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଏଡିଜିଙ୍କ ଝିଅଙ୍କୁ କନେଷ୍ଟବଳ ଜଣଙ୍କ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଥାନାରେ ଏଡିଜି ପହଞ୍ଚି ନିଜ ଝିଅକୁ ବୁଝାସୁଝା କରି ଘରକୁ ନେଇଯାଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

five × four =