ଗାଁର ବିକାଶ ଗ୍ରାମବାସୀଙ୍କ ହାତରେ

ରାଜନୈତିକ ସଶକ୍ତିକରଣର ଅନ୍ୟ ନାଁ, ଆମ ଗାଁ ଆମ ବିକାଶ

ଭୁବନେଶ୍ବର ()  ଗ୍ରାମୀଣ ଲୋକଙ୍କ ସହ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ । ଆମ ଗାଁ, ଆମ ବିକାଶ  । ଏହି ଯୋଜନାର ପରିକଳ୍ପନାକୁ ନେଇ ବିରୋଧୀ ନାନା କଥା କହୁଛନ୍ତି । କିନ୍ତୁ ବୋଧହୁଏ ଦେଶର ରାଜନୈତିକ ଇତିହାସରେ କୌଣସି ମୁଖ୍ୟମନ୍ତ୍ରୀ ଗାଁର ସାଧାରଣ ମହିଳା, ଚାଷୀ ଓ ଯୁବକଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ତାଙ୍କ ଗାଁର ବିକାଶମୂଳକ ପ୍ରକଳ୍ପକୁ ମଂଜୁରୀ ଦେବା ପ୍ରଥମ ଘଟଣା ।

ଏଥିସହିତ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଗାଁର ବିକାଶ ଗାଁ ଲୋକଙ୍କ ହାତରେ, ଏହି ଉକ୍ତିକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟରେ କରି ଦେଖାଇଛନ୍ତି । କାରଣ ଗାଁ ଲୋକଙ୍କ ପ୍ରସ୍ତବରେ ପ୍ରକଳ୍ପକୁ ମଂଜୁରୀ ମିଳୁଛି ଏବଂ ଏହାର କାର୍ଯ୍ୟକାରିତାର ତଦାରଖ ଦାୟିତ୍ବ ମଧ୍ୟ ଗ୍ରାମବାସୀଙ୍କ ହାତରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମ ଗାଁ ଆମ ବିକାଶ ଯୋଜନା ସାପ୍ତାହିକ ଭାବେ ପ୍ରଥମ ଦୁଇ ଦିନ ଅନୁଷ୍ଠିତ ହେଉଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇ ନିଜ ଗାଁର ସମସ୍ୟାକୁ ରାଜ୍ୟ ମୁଖ୍ୟଙ୍କ ନିକଟରେ ଉପସ୍ଥାପିତ କରିବାର ସୌଭାଗ୍ୟ ପାଇଁ ଗାଁ ଗାଁରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଦାବି ହେଉଛି । ତେଣୁ ଏବେ ସପ୍ତାହରେ ତିନି ଦିନ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ତୃଣମୂଳ ସ୍ତର ସହ ଯୋଡି ହେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଗ୍ରାମବାସୀ, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ କଥା ହେଉଛନ୍ତି । ଏଭିତରେ ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ 123ଟି ବ୍ଲକ ଅନ୍ତର୍ଗତ 2850ଟି ଗ୍ରାମପଂଚାୟରେ 656.90 କୋଟି ଟଙ୍କାର 26ହଜାର 587ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହାଦ୍ବାରା ଗ୍ରାମବାସୀମାନେ ନିଜ ମନକଥା ଖୋଲିକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିପାରୁଥିବାରୁ ଯେତିକି ଗର୍ବିତ ହେଉଛନ୍ତି, ଜିଲ୍ଲା ସ୍ତରର ଅଧିକାରୀମାନେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସେତିକି ତତ୍ପରତା ପ୍ରକାଶ କରୁଛନ୍ତି ।

ଏହି କାର୍ଯ୍ୟକ୍ରମର ସୁଦୂର ପ୍ରସାରୀ ପ୍ରଭାବ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଆଦିବାସୀ ମହିଳା ମମତା ପଢିଆମୀ ଘଟଣାରୁ ସୁସ୍ପଷ୍ଟ  । ମମତାଙ୍କ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ସେବା ସହାୟତା 5ରୁ 7 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସେ ପଂଚାୟତ ଓ ସାଧାରଣ ଲୋକଙ୍କ ସହ ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରୁଛନ୍ତି । ଏମିତି କିଛି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ କେବଳ ତୃଣମୂଳ ସ୍ତରରେ ସାଧାରଣ ଚାଷୀ, ମୁଲିଆ ଓ ମହିଳାଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପକୁ ମଂଜୁରୀ ଦେଉନାହାଁନ୍ତି, ବରଂ ରକ୍ତଦାନ ଓ ଶିକ୍ଷା ପ୍ରତି ସମସ୍ତେ ଆକୃଷ୍ଟ ହେବାକୁ ମଧ୍ୟ ଆହ୍ବାନ ଦେଉଛନ୍ତି ।

ସାଧାରଣଲୋକଙ୍କ ସମସ୍ୟା ସଂପର୍କରେ ନିଜେ ମୁଖ୍ୟମନ୍ତ୍ରୀ କଥା ହେଉଥିବାରୁ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ ସଂଖ୍ୟା କଟକଣା ଯୋଗୁଁ ବହୁ ଗରିବ ପରିବାର ଟଙ୍କିକିଆ ଚାଉଳ ପାଇପାରୁନଥିବା ଜାଣିବାକୁ ପାଇଥିଲେ । ତେଣୁ ରାଜ୍ୟ ସରକାର ରାଜ୍ୟର ସବୁ ଗରିବ ପରିବାରକୁ ଏହି ଯୋଜନାରେ ସାମିଲ କରିବାକୁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ନୂଆ ମାପଦଣ୍ଡ ରଖିଲେ । ସର୍ବୋପରି କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥିରିକୃତ ହିତାଧିକାରୀଙ୍କ ବାଦେ ଯେଉଁ ହିତାଧିକାରୀ ସାମିଲ ହେବେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଡୁଥିବା ଅତିରିକ୍ତ ବ୍ୟୟଭାର ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏଭଳିସ୍ଥିତିରେ କେବଳ ରାଜନୈତିକ କାଦୁଅ ଫିଙ୍ଗା ପାଇଁ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଏକ କାର୍ଯ୍ୟକ୍ରମକୁ ବିରୋଧୀ ବିରୋଧ କରୁଛନ୍ତି ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି । ନିଜ ନାମ ଗୋପନ ରଖିବାର ପ୍ରତିଶୃତିରେ ଆଉ ଜଣେ ବରିଷ୍ଠ ବିଧାୟକ କହିଛନ୍ତି ଯେ, ଏବେ ଗାଁ ଲୋକେ ମନମୋଟିଆ ନେତା ଓ ଅଫିସରଙ୍କୁ କହିବା ଆରମ୍ଭ କଲେଣି, ଠିକସେ କାମ କର ନହେଲେ ଆମ ଗାଁ ଆମ ବିକାଶରେ ମୁଖ୍ୟମନ୍ତ୍ରୀଙ୍କୁ କହିଦେବୁ । ଏହାକୁ ହିଁ ପ୍ରକୃତ ଅର୍ଥରେ କୁହାଯାଏ ରାଜନୈତିକ ସଶକ୍ତିକରଣ ।

Share

Leave a Reply

Your email address will not be published. Required fields are marked *

2 + fourteen =