ଅଗଷ୍ଟ 4ରେ ରାଜ୍ୟର ପ୍ରଥମ ସ୍କିଲ ମ୍ୟୁଜିୟମର ଉଦ୍‌ଘାଟନ

ଭୁବନେଶ୍ବର, (ନିପ୍ର) : କଟକ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ (ଆଇ.ଟି.ଆଇ)ରେ ରାଜ୍ୟର ପ୍ରଥମ ସ୍କିଲ୍ ମ୍ୟୁଜିୟମ୍ ପ୍ରତିଷ୍ଠା କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ୪ ଅଗଷ୍ଟ (ଶନିବାର)ରେ ଉଦଘାଟନ କରିବେ । ଏଠାରେ ବୈଷୟିକ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ଜନସାଧାରଣଙ୍କୁ ଶିଳ୍ପ ତାଲିମ୍ ସଂପର୍କିତ ତଥ୍ୟ  ପ୍ରଦାନ କରାଯିବ ଏବଂ ଏହା ଦକ୍ଷତା ଶିକ୍ଷା ଓ ବୃତ୍ତି ପ୍ରତି ଆକର୍ଷିତ ହେବା ପାଇଁ ପ୍ରେରଣା ଯୋଗାଇବ ।

ଏହି ସଂଗ୍ରହାଳୟର ନିର୍ମାଣ ବିଖ୍ୟାତ ଓଡିଆ ସ୍ଥପତି ସୌମେନ୍ଦୁ ରାଏ କରିଛନ୍ତି । ୨୬୦୦ ବର୍ଗଫୁଟ ପରିମିତ ଏହି ସଂଗ୍ରହାଳୟରେ ବିଶ୍ବସ୍ତରୀୟ ପ୍ରଦର୍ଶନ କ୍ଷେତ୍ର ଓ ପ୍ରେକ୍ଷାଳୟ ମଧ୍ୟ ରହିଛି । ଏହି ପ୍ରକଳ୍ପକୁ ଛଅ ମାସ ଅବଧିରେ ସଂମ୍ପୁର୍ଣ୍ଣ କରାଯାଇଛି ।

ଏହିପରିପ୍ରେକ୍ଷୀରେ  ମାନ୍ୟବର ରାଜ୍ୟ ଯୋଜନା ଓ ସଂଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ   ଶ୍ରୀମତି ଉଷା ଦେବୀ କହିଛନ୍ତି ଯେ ଆମ ଦେଶର ସର୍ବୋଚ୍ଚ ନିୟୋଜନ ସଂସ୍ଥା ମାନଙ୍କୁ ରାଜ୍ୟରେ ଆମନ୍ତ୍ରିତ କରାଯିବ । ଏହାଦ୍ବାରା ରାଜ୍ୟର ଆଇ.ଟି.ଆଇ ଗୁଡିକରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇପାରିବ । ଦକ୍ଷ ଏବଂ କୁଶଳ ବିଦ୍ୟାର୍ଥୀ ସୃଷ୍ଟି କରିବାରେ ସ୍କିଲ୍ ମ୍ୟୁଜିୟମ୍ ଛାତ୍ରଛାତ୍ରୀଙ୍କୁ  ଅନୁପ୍ରାଣିତ କରିବ ବୋଲି  ସେ ମତବ୍ୟକ୍ତ କରିଛନ୍ତି ।

ଏହା ନେଇ  ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ସଞ୍ଜୟ ସିଂ ସୂଚନା ଦେଇ କହିଛନ୍ତି ଯେ  ବର୍ତ୍ତମାନ କଟକସ୍ଥିତ  ଆଇ.ଟି.ଆଇ ଠାରେ ଏହା ପ୍ରତିଷ୍ଠା କରାଯାଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଅନୁଷ୍ଠାନ  ମାନଙ୍କରେ ମଧ୍ୟ ଏହିପରି ସଂଗ୍ରହାଳୟ  ପ୍ରତିଷ୍ଠା କରିବାର ଯୋଜନା ରହିଛି।

ବର୍ତ୍ତମାନ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ  ଆଇ.ଟି.ଆଇ,କଟକ ଏକ ପଥ ପ୍ରଦର୍ଶକ ପାଲଟିଛି । ଏହା ଭାରତ ସରକାରଙ୍କ ଦ୍ବାରା ଏକ ଶ୍ରେଷ୍ଠ  ଆଇ.ଟି.ଆଇ ଭାବରେ ସ୍ବୀକୃତି ପାଇଛି । ସୁଚନାଯୋଗ୍ୟ ଯେ ୨୦୧୮ ରେ ଭାରତ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଆଞ୍ଚଳିକ ପ୍ରତିଯୋଗିତା ସଂମ୍ପନ୍ନ ହୋଇଛି । ଏଥିରେ ଆଇ.ଟି.ଆଇ, କଟକରୁ ଜଣେ ବିଜେତା  ଓ ଜଣେ ସହ ବିଜେତା ଜାତୀୟସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ । ଅନ୍ୟ ଚାରିଜଣ ପ୍ରତିଯୋଗି ଦିଲ୍ଲୀର ଗୁରଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତା ରେ ଭାଗ  ନେବେ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଟୋୟୋଟା ମର୍ଟସ୍‌, ମାରୁତି, ସୁଜୁକି, ହୋଣ୍ଡା, ପିଆଜିଓ, ହିରୋ ମଟର କର୍ପ, ରୟାଲ୍ ଏନଫିଲ୍ଡ, ଓସିଏଲ୍ ଇଣ୍ଡିଆ, ପିପିଏଲ୍, ଜେଏସପିଏଲ୍ ଭଳି ଦେଶର ଅଗ୍ରଣୀ କମ୍ପାନୀ ଗୁଡିକରେ ନିଯୁକ୍ତି ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + twenty =