ସୁପରହିଟ ହୋଇଛି ମହିଳାଙ୍କ ହାତ ତିଆରି ସାମଗ୍ରୀ

ଭୁବନେଶ୍ୱର () ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ମିଶନ ଶକ୍ତି ମେଳାକୁ ବହୁ ସଂଖ୍ୟାରେ ଲୋକ ଆକର୍ଷିତ ହେଉଛନ୍ତି । ଏଭଳି ମେଳା ଦେଶରେ ଅଦ୍ୱିତୀୟ ହୋଇଥିଲା ବେଳେ ଏହା ପ୍ରକୃତରେ ମହିଳା ସଶକ୍ତିକରଣ ଓ ଆତ୍ମ ବିଶ୍ୱାସର ଦୃଷ୍ଟାନ୍ତ ସୃଷ୍ଟି କରିଛି । ମେଳା ଆରମ୍ଭରୁ ସାଧାରଣରେ ସୃଷ୍ଟି ହୋଇଥିବା ସନ୍ଦେହ ଆଜି ଭୁଲ ପ୍ରମାଣିତ ହୋଇଛି ।

ପ୍ରାୟ ୨୦୦ଟି ଷ୍ଟଲ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ଖୋଲିଥିବା ବେଳେ ମେଳାର ସୌନ୍ଦର୍ଯ୍ୟକରଣ ଏବଂ ଏହାର ପରିବେଶ ବେଶ ଆକର୍ଷଣୀୟ ହୋଇଛି । ରାଜ୍ୟ ସରକାର ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ବିକାଶ ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହା ମହିଳାଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବାରେ ସହାୟକ ହୋଇଛି । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଅଭିଯାନ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ସହ ସେମାନଙ୍କୁ ଆତ୍ମ-ନିର୍ଭଶୀଳ କରିଛି ।

ସହରୀ ଲୋକେ ଗ୍ରାମୀଣ ସାମଗ୍ରୀ ପାଇବା ଏକ ସ୍ୱପ୍ନ ହୋଇଯାଇଥିଲା । ମିଶନ ଶକ୍ତି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ କିନ୍ତୁ ସହରୀ ଲୋକଙ୍କୁ ବ୍ରାଣ୍ଡେଡ କମ୍ପାନୀ ମାନର ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେମାନଙ୍କ ସାମଗ୍ରୀର ମାନ ଯେତିକି ଉକ୍ରୃଷ୍ଠ, ପ୍ୟାକେଜିଂ ତାଠାରୁ ଆକର୍ଷଣୀୟ ହୋଇଛି । ମେଳାରେ ଟେରାକୋଟା ସାମଗ୍ରୀ ଠାରୁ ଆରମ୍ଭ କରି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବହୁ ସଂଖ୍ୟାରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ପ୍ରଦୁଷଣମୁକ୍ତ ମାଟିର ରୋଷେଇ ସାମଗ୍ରୀ ଏବଂ କାଠ ସାମଗ୍ରୀ ପ୍ରତି ବିଶେଷ ଆକର୍ଷଣ ଦେଖିବାକୁ ମିଳୁଛି । ଗ୍ରାମୀଣ ସ୍ତରରେ ଉତ୍ପାଦିତ ଖାଦ୍ୟଶସ୍ୟ ଯେଭଳିକି ବାଜରା, ମକା ଓ ହଳଦି ହଟକେକ ଭଳି ବିକ୍ରି ହେଉଛି । ଗୋଟିଏ ସ୍ଥାନରେ ଝାଡୁଠାରୁ ଆରମ୍ଭ କରି ଆଚାର, ହଳଦି, ଲଙ୍କାଗୁଣ୍ଡ, ଘରେ ବ୍ୟବହାର୍ଯ୍ୟ ସାମଗ୍ରୀ ଏପରିକି କାଠ ତିଆରି ସୁନ୍ଦର ଓ ମନମୁଗ୍ଧକର ହୋଇଛି । ଯେଉଁଥିପାଇଁ ଏହି ମେଳାକୁ ଦୈନିକ ଦେଖଣାହାରୀ ଓ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମିଶନ ଶକ୍ତି ମେଳା ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ କହିବା ଅନୁଯାୟୀ ପ୍ରକୃତପକ୍ଷେ ମହିଳାଙ୍କ ଆର୍ଥିକ ବିକାଶ କରିବାରେ ଏକ ଉଦ୍ୟମ । ଏହି ମେଳା ଆଗାମୀ ଦିନରେ ମହିଳା ସଶକ୍ତିକରଣ ଦିଗରେ ବେଶ ସହାୟକ ହେବେ । ରାଜ୍ୟରେ ଆରମ୍ଭ ହୋଇଥିବା ସ୍ୱୟଂ ସହାୟକ ଆନ୍ଦୋଳନ ଗତ ଦୁଇ ଦଶନ୍ଧୀ ମଧ୍ୟରେ ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କ ଜୀବନଜୀବିକାକୁ ରୂପାନ୍ତରିତ କରିଛି । ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ସହଯୋଗ କରିଛି । ଏବେ ସ୍ୱୟଂ ସହାୟକ ଗୋଷ୍ଠି ଦାରିଦ୍ର କବଳରୁ ନିଜର ସ୍ୱାଧୀନତାକୁ ଉତ୍ସବ ଭାବେ ପାଳନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + eight =