ଦୈନିକ 7ଜଣ ମହିଳାଙ୍କୁ ହେଉଛି ଦୁଷ୍କର୍ମ

ଭୁବନେଶ୍ବର () ରାଜ୍ୟରେ ବଢୁଛି ଧର୍ତ୍ତବ୍ୟ ଅପରାଧର ମାତ୍ରା । 2017ରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ 1ଲକ୍ଷ 3ହଜାର 866ଟି ଧର୍ତ୍ତବ୍ୟ ମାମଲା ପଂଜିକୃତ ହୋଇଥିବା ବେଳେ 2018ରେ 1ଲକ୍ଷ 7ହଜାର 408ଟି ମାମଲା ରୁଜୁ ହୋଇଛି । ଧର୍ଷଣ, ହତ୍ୟା, ଡକାୟତି ଓ ଲୁଟ ଆଦି ଘଟଣା ବୃଦ୍ଧି ପାଇଛି । ଏନେଇ ବିଧାନସଭା ଗୃହ କମିଟି ଆଜି ତାର ରିପୋର୍ଟରେ ଉଦବେଗ ପ୍ରକାଶ କରିଛି । ତେବେ 2018ରେ ମାଓବାଦୀ କାର୍ଯ୍ୟକଳାପ ଅପେକ୍ଷାକୃତ ଭାବେ ହ୍ରାସ ପାଇଥିବା ଉଲ୍ଲେଖ କରାଯାଇଛି ।

2017ରେ ରାଜ୍ୟରେ ମୋଟ 2221ଟି ଧର୍ଷଣ ମାମଲା ପଂଜିକୃତ ହୋଇଥିବା ବେଳେ 2018ରେ 2502ଟି ଧର୍ଷଣ ମାମଲା ରେକର୍ଡ ହୋଇଛି । ଅର୍ଥାତ ଦୈନିକ ପ୍ରାୟ 7ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି । ସେହିପରି 2017ରେ 1267ଟି ହତ୍ୟାକାଣ୍ଡ ହୋଇଥିଲା ବେଳେ 2018ରେ 1378ଟି ହତ୍ୟା ଘଟଣା ସଂଗଠିତ ହୋଇଥିଲା । ଡକାୟତି ଘଟଣା 2017ରେ 534ରୁ 558କୁ ଏବଂ ଲୁଟ ଘଟଣା 2048ରୁ 2125କୁ ବୃଦ୍ଧି ପାଇଛି ।

2019 ଜାନୁଆରୀରୁ ମାର୍ଚ୍ଚ ଏହି ତିନି ମାସରେ କେବଳ ମୋଟ 28 ହଜାର 627ଟି ଧର୍ତ୍ତବ୍ୟ ଅପରାଧ ସଂଗଠିତ ହୋଇଛି । ଏହି ତିନି ମାସରେ ରାଜ୍ୟରେ 552ଟି ଧର୍ଷଣ, 337ଟି ହତ୍ୟା, 124ଟି ଡକାୟତି, 564ଟି ଲୁଟ, 2257ଟି ଚୋରୀ ମାମଲା ବିଭିନ୍ନ ଥାନାରେ ପଂଜିକୃତ ହୋଇଛି । ତେବେ 2018ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ଅନେକାଂଶରେ ହ୍ରାସ ପାଇଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ଦର୍ଶାଇଛି । ଏହି ସମୟ ମଧ୍ୟରେ ଯାଜପୁର, ଢେଙ୍କାନାଳ , ଗଜପତି, ଗଂଜାମ, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାରେ କୌଣସି ବଡ ଧରଣର ମାଓବାଦୀ କାର୍ଯ୍ୟକଳାପ ହୋଇନାହିଂ । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ମାଓବାଦୀମାନେ ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଥିଲେ ବି ସେମାନଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧିନ ରହିଥିଲା ।

2018ରେ ଗୋଟିଏ ହେଲେ ଆତଙ୍କବାଦୀ କାର୍ଯ୍ୟକଳାପ ସଂଗଠିତ ହୋଇନଥିଲେ ବି 54ଟି ମାଓବାଦୀ କାର୍ଯ୍ୟକଳାପ ହୋଇଥିଲା । ସେ ମଧ୍ୟରୁ 26ଟି ଘଟଣାରେ ପୋଲିସ ସହ ଗୁଳିବିନିମୟ ହୋଇଛି । ଏଥିରେ 19ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ 27ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + twelve =