ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରମାର ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇପାରି ନାହିଁ । ଗାନ୍ଧୀ ବିଚାର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେହେଉଥିବାବେଳେ ଦୃଢ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ କିନ୍ତୁ ଏହା ଏଯାବତ୍‍ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ ।

ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ‘ମହାଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ସମ୍ପାନରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବକ୍ତା ଏଭଳି ମତବ୍ୟକ୍ତ କରିଛନ୍ତି । ସୁପ୍ରିମ୍‍କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟନାୟକ ତାଙ୍କ ବକ୍ତବ୍ୟରେ ଭାରତରୁ ଜାତିପ୍ରଥା, ସାମ୍ପ୍ରଦାୟିକତା, ଦାରିଦ୍ର‌୍ୟ, ବେରୋଜଗାରୀ, ହିଂସା, ମିଥ୍ୟାଚାର ଓ ଅପରାଧ ଦୂରକରି ସ୍ୱଦେଶୀ, ସ୍ୱାଭିମାନ ଓ ସାବଲମ୍ବନର ଭିତ୍ତିଭୂମି ଉପରେ ସୁନାର ସମୃଦ୍ଧ ସମାଜ ଗଢିବା ଲାଗି ଗାନ୍ଧୀଜୀ ଯେଉଁ ନିରନ୍ତର ଉଦ୍ୟମ ଚଳାଇଥିଲେ ତାହା ଅଧୁରା ରହିଯାଇଛି । ଆର୍ଥିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ନୈତିକ କ୍ଷେତ୍ରରେ ବ୍ୟାପକ ଅଧପତନ ଯୋଗୁଁ ଭାରତର ଯେଭଳି ସମୃଦ୍ଧି ହେବାକଥା ତାହା ଏପର୍ଯ୍ୟନ୍ତ ହାସଲ କରାଯାଇନାହିଁ । ଗାନ୍ଧୀମାର୍ଗରୁ ବିଚ୍ୟୁତ ହେବା ଫଳରେ ଦେଶରେ ଏଭଳି ବିତ୍ତି ଲାଗି ରହୁଛି ବୋଲି ଜଷ୍ଟିସ ପଟନାୟକ କହିଛନ୍ତି ।

ଫାଉଣ୍ଡେସନର ସଭାପତି ପ୍ରହଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟନାୟକ ଅନ୍ୟତମ ଅତିଥିଭାବେ ଯୋଗଦେଇ ପାଟକୁରା ଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ନାୟକଙ୍କ ଜୀବନୀର ବିଶ୍ଲେଷଣ କରିବା ସହ ସେବା, ସଂଗ୍ରାମ ଓ
ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ବିଶିଷ୍ଟ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଏହି ସମାବେଶରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ପିଲା ଦିନରୁ ରାଜକିଶୋର ନାୟକଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀବାଦର ଯେଉଁ ବୀଜ ବପନ ହୋଇଥିଲା ତାହା ତାଙ୍କୁ ପରବର୍ତ୍ତୀ ସମୟରେ ଏକ ସମର୍ପିତ ସଫଳ ସାଧକରେ ପରିଣତ କରିଥିଲା । ବର୍ତ୍ତମାନର ପୀଢି ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ନାୟକଙ୍କ ପର୍ଯ୍ୟନ୍ତ ସ୍ମରଣୀୟ ବ୍ୟକ୍ତିମାନଙ୍କ ଯଶକିର୍ତ୍ତୀର ଅନୁଶୀଳନ କରି ତାହାକୁ ନିଜ ଉପରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ।
ଅନ୍ୟତମ ବକ୍ତା ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ତାଙ୍କ ବ୍ୟକ୍ତବ୍ୟରେ ଛାତ୍ର ଜୀବନରେ ରାଜକିଶୋର ନାୟକଙ୍କ ଭଳି ଶିକ୍ଷକଙ୍କ ଦ୍ୱାରା କିଭଳି ପ୍ରେରଣା ପାଇଥିଲେ ଓ ତାହା ପରବର୍ତ୍ତୀ ଜୀବନରେ ତାଙ୍କୁ କିଭଳି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ନିର୍ମଳପ୍ରଭା ନାୟକଙ୍କ ରଚିତ ‘ସାୟାହ୍ନର ସ୍ମୃତି’ ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ’ ଲୋକାର୍ପିତ ହୋଇଥିଲା । ଏହାର ଅନୁବାଦକ ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ପୁସ୍ତକ ସମ୍ପର୍କରେ ବ୍ୟାପକ ବିଶ୍ଲେଷଣ କରିଥିଲେ ।

ସଭାପତି ଶ୍ରୀ ସିଂହ ତାଙ୍କ ବ୍ୟକ୍ତବ୍ୟରେ ଗାନ୍ଧୀଜୀଙ୍କୁ ବୁଲେଟରେ ହତ୍ୟା କରାଯାଇଥିବା ବେଳେ ଗାନ୍ଧୀ ବିଚାର ଓ ଗଣତବକୁ ବାଲାଟରେ ହତ୍ୟା କରାଯାଉଛି ବୋଲି ମତବ୍ୟକ୍ତ କରିବା ସହ ଗାନ୍ଧୀଜୀଙ୍କ ପରେ ଭାରତବର୍ଷରେ ଗଡସେ ଓ ଗୋବେଲସ୍‍ଙ୍କ ସମର୍ଥକମାନେ
ବିପର୍ଯ୍ୟୟର ବାର୍ତ୍ତାବହ ହେଉଛନ୍ତି । ଦେଶର ଋଣ ଭାର ୧୦୦ ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ବାଣିଜ୍ୟିକ ନିଅଣ୍ଟ ପ୍ରାୟ ୧୦ଲକ୍ଷ କୋଟି ହେଉଛି ଏବଂ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ୭୩ବର୍ଷ ମଧ୍ୟରେ ଗୋଟିଏ ଡଲାରର ମୂଲ୍ୟ ୭୩ଟଙ୍କାରେ ପହଞ୍ଚିଲାଣି । ଗ୍ରାମସ୍ୱରାଜ ଓ ସ୍ୱଦେଶୀକୁ କବର ଦିଆଯିବା ଫଳରେ ଏଠାରେ ଆର୍ଥିକ, ସାମାଜିକ,ସାଂସ୍କୃତିକ, ରାଜନୈତିକ ଆଦି କ୍ଷେତ୍ରରେ ବିଭ୍ରାଟ ବଢିବା ସଂଗେ ସଂଗେ ଅପରାଧ ଓ ମାମଲାମାନ ବଢୁଥିବା ସେ ଉଲ୍ଲେଖ କରିଛନ୍ତି । ଏହି ସମାବେଶରେ ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ
ଦ୍ୱିବେଦୀ ଓ ଅନ୍ୟତମ ଟ୍ରଷ୍ଟି ନିରଞ୍ଜନ ପଣ୍ଡା ବକ୍ତବ୍ୟ ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

five − three =