ପଛୁଆ ବର୍ଗଙ୍କ ତଥ୍ୟ ଅଭାବ ବିକାଶରେ ସାଧୁଛି ବାଧକ

ଭୁବନେଶ୍ୱର: ୨୦୨୧ ଜନଗଣନା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମିଳିତ ଭାବେ ଗଣନା କରିବାକୁ କେନ୍ଦ୍ର ନିକଟରେ ଓଡ଼ିଶା ଦାବି କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ସଂକଳ୍ପ ଗୃହୀତ ହୋଇଛି ।

ସାଧାରଣ ଜନଗଣନା ସହ ସମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଜାତିଗତ ପଛୁଆ ବର୍ଗଙ୍କ ଗଣନା ପାଇଁ ଅଲଗା ଫର୍ମାଟ କିମ୍ବା ସ୍ୱତନ୍ତ୍ର ସ୍ତମ୍ଭ ରଖିବାକୁ ଦାବି କରାଯିବ । ଏହାଦ୍ଵାରା ଏସବୁ ବର୍ଗର ବିକାଶ ପାଇଁ ପଦକ୍ଷେପ ନିଆଯାଇପାରିବ । ଗଣନା ପରେ ଏହି ତଥ୍ୟ ତୁରନ୍ତ ପ୍ରକାଶ କରିବାକୁ ସଂକଳ୍ପରେ ପ୍ରସ୍ତାବ ରହିଛି । ସମ୍ବିଧାନର ଧାରା- ୧୫ ଏବଂ ଉପଧାରା- ୪ରେ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା କରିବାକୁ ରାଜ୍ୟଗୁଡ଼ିକ ଅଧିକୃତ ।

ସେହିଭଳି ସମ୍ବିଧାନ ଅନୁଯାୟୀ ରାଜ୍ୟଗୁଡଡ଼ିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ । ଆଧୁନିକ ଭାରତ ଗଠନ ଦିଗରେ ଓଡ଼ିଶା ଅନେକ ଆଗେଇଛି । ମାନବ ସମ୍ବଳ ବିକାଶରେ ରାଜ୍ୟର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । କିନ୍ତୁ ଏଦିଗରେ ଆହୁରି କିଛି ବିକାଶମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । କିନ୍ତୁ ୧୯୩୧ ପରଠାରୁ ଜାତି ଭିତ୍ତିକ ଗଣନ ହୋଇନଥିବା ଆଜିର କ୍ୟାବିନେଟ ଅନୁଭବ କରିଥିବା ସେ କହିଛନ୍ତି ।

ସାମାଜିକ, ଶିକ୍ଷାଗତ ଓ ଅନ୍ୟାନ୍ୟ ଜାତିଭିତ୍ତିକ ପଛୁଆ ବର୍ଗଙ୍କ ତାଲିକା ଏବଂ ସେମାନଙ୍କ ଭୌଗୋଳିକ ଅବସ୍ଥିତି ସମ୍ପର୍କରେ କୈାଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ରୂପରେଖ ପ୍ରସ୍ତୁତି ପ୍ରଭାବିତ ହେଉଛି । ୨୦୨୧ ଜନଗଣନାରେ ସମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଜାତିଗତ ପଛୁଆ ବର୍ଗଙ୍କ ଗଣନା ପାଇଁ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ କୈାଣସି ବ୍ୟବସ୍ଥା ନାହିଁ । ୨୦୧୧ରେ ହୋଇଥିବା ସମାଜିକ ଅର୍ଥନୈତିକ ଜାତିଗତ ଗଣନା ରିପୋର୍ଟକୁ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି ।

ଏ ଦୃଷ୍ଟିରୁ ଆଜିର କ୍ୟାବିନେଟରେ ସେହି ବର୍ଖର ଲୋକଙ୍କ ଗଣନା ପାଇଁ କେନ୍ଦ୍ର ନିକଟରେ ଦାବି କରିବାକୁ ସଙ୍କଳ୍ପ ଗୃହୀତ ହୋଇଛି । ଏହା କାର୍ଯ୍ୟକାରୀ ହେଲେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । କାରଣ ସେ ସବୁ ବେଳେ ସମାଜର ପଛୁଆ ବର୍ଗଙ୍କ ବିକାଶ ପାଇଁ ଚିନ୍ତା କରୁଥିଲେ । କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
Share

Leave a Reply

Your email address will not be published. Required fields are marked *

5 + 15 =