ରୁପାନ୍ତରର ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ

  • ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
  • ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର () ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି । ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍‌ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି  ।

ଏହି ଅବସରରେ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି । ଏହା ହେଉଛି ପରିବର୍ତ୍ତନ । ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଂଜାମର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୋଭିଡ ସମୟରେ ଗଂଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି  । ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂଗ ରୋଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି । ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି ବୋଲି ମତଦେଇ ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ।

ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ଏବଂ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ରାଠୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ ୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ । ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା । ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି ।

Share

Leave a Reply

Your email address will not be published. Required fields are marked *

18 − 4 =