ପରିବର୍ତ୍ତନ ପଥରେ କେନ୍ଦ୍ର ବାଧକ

ଭୁବନେଶ୍ବର () ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 19 ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ବ ଚେଷ୍ଟା ଦ୍ବାରା ହୋଇଥିବା ଅଭିବୃଦ୍ଧି ଏବଂ କେନ୍ଦ୍ରୀୟ ଅବହେଳାର ଏକ ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି । ଏଥିସହିତ ପଂଚଦଶ ଅର୍ଥ କମିଶନ ଅର୍ଥ ଆବଣ୍ଟନ ସମୟରେ ରାଜ୍ୟର କେତେକ ସ୍ବତନ୍ତ୍ର ଆବଶ୍ୟକତାକୁ ଗୁରୁତ୍ବ ଦେବାକୁ ମଧ୍ୟ ଏକ ସ୍ମାରକପତ୍ର ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସବୁ ପ୍ରତିବନ୍ଧକ ମଧ୍ୟରେ ଓଡିଶା ଏକ ସ୍ଥିର ଅଭିବୃଦ୍ଧି ହାର ବଜାୟ ରଖିଛି । 2016-17ରେ ରାଜ୍ୟର ଅଭିବୃଦ୍ଧି ହାର 10 ପ୍ରତିଶତ ଉପରେ ଥିବା ବେଳେ 2017-18ରେ 6.5 ପ୍ରତିଶତ ରହିଛି । 2000 ମସିହା ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅତ୍ୟନ୍ତ ଦୁର୍ବଳ ଥିଲା । ଏବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ଜୀବନହାନୀକୁ ରୋକିବା ଦିଗରେ ରାଜ୍ୟ ବିଶ୍ବସ୍ତରରେ ନିଜସ୍ବ ସ୍ବାତନ୍ତ୍ରତା ସୃଷ୍ଟି କରିଛି । ଖାଦ୍ୟ ଶସ୍ୟ ଉତ୍ପାଦନରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ରାଜ୍ୟରେ ଉତ୍ପାଦନ ହାର ନୈରାଶ୍ୟଜନକ ଥିଲା । ଏବେ ଓଡିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଜାତୀୟ ସ୍ତରରେ ରେକର୍ଟ କରିଛି, 7 ବର୍ଷରେ 5 ଥର କୃଷି କର୍ମଣ ପୁରସ୍କାର ପାଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡିଶାରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଛି ।

ଖାଦ୍ୟଶସ୍ୟରେ ଏକ ପଛୁଆ ରାଜ୍ୟ ଭାବେ ସବୁବେଳେ କେନ୍ଦ୍ରୀୟ ପୁଲ ଉପରେ ନିର୍ଭର କରୁଥିବା ଓଡିଶା ଏବେ ଜାତୀୟ ସ୍ତରରେ ତୃତୀୟ ସର୍ବବୃହତ ରାଜ୍ୟ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ (ପିଡିଏସ)ରେ ଚାଉଳ ଯୋଗାଉଛି । ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାରରେ ସବୁଠାରୁ ଆଗରେ ଥିବା ଓଡିଶା ଗତ ଏକ ଦଶନ୍ଧୀ ମଧ୍ୟରେ ଏଦିଗରେ ଦ୍ରୁତ ଉନ୍ନତି କରି ଏବେ ଜାତୀୟ ହାର ସହ ସମକକ୍ଷ ହୋଇଛି । ଆର୍ଥିକ ଦେବାଳିଆ ସ୍ଥିତିରୁ ଉପରକୁ ଉଠି ଓଡିଶା ଏବେ ଜାତୀୟ ସ୍ତରରେ ଆର୍ଥିକ ପରିଚାଳନାରେ ମାଇଲଖୁଣ୍ଟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି ଦ୍ରୁର୍ନୀତି ଓ ପ୍ରିୟାପ୍ରିତି ତୋଷଣ ପାଇଁ ସବୁବେଳେ ନିନ୍ଦିତ ହେଉଥିବା ଓଡିଶା ଏବେ ନିଜର ସ୍ବଚ୍ଛତା ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ଚର୍ଚ୍ଚିତ । ଦାରିଦ୍ର କହିଲେ ଏସିଆ ମହାଦେଶରେ ଓଡିଶା ବୁଝାଯାଉଥିଲା । କିନ୍ତୁ ଏକାଧିକ ଦାରିଦ୍ର୍ୟ ଦୂରିକରଣ ପଦକ୍ଷେପ ଯୋଗୁଁ ଗତ ଏକ ଦଶନ୍ଧି ମଧ୍ୟରେ 24.61 ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି, ଫଳରେ 80 ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ଶିଳ୍ପର ଅଭିବୃଦ୍ଧିରେ ଓଡିଶା ଆଗୁଆ  । ପ୍ରତିଶୃତି ପାଳନ ପାଇଁ ଜଣାଶୁଣା ବିଜେଡି ସରକାର 2014ରୁ ଏବେସୁଦ୍ଧା 20 ଲକ୍ଷ ଗ୍ରାମୀଣ ଗୃହ ନିର୍ମାଣ କରିଛି । ରାଜ୍ୟ ସରକାର ସଫଳତାର ସହ ସ୍କିଲ ଓଡିଶାକୁ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡର ମାନ୍ୟତା ଦେଇଛନ୍ତି । ରାଜ୍ୟର 5 ଲକ୍ଷ ଛାତ୍ର ବିଭିନ୍ନ ଛାତ୍ରାବାସରେ ରହି ପାଠ ପଢୁଥିବା ବେଳେ ଓଡିଶା ସର୍ବାଧିକ ଛାତ୍ରଙ୍କୁ ଛାତ୍ରବୃତି ପ୍ରଦାନ କରୁଛି । ମିଶନ ଶକ୍ତିରେ 70 ଲକ୍ଷ ମହିଳାଙ୍କୁ ସାମିଲ କରାଯାଇ ରାଜ୍ୟର ସାମାଜିକ-ଅର୍ଥନୈତିକ ମାନଦଣ୍ଡରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରାଯାଇଛି । ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ସହ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । କେବଳ ଏତିକି ନୁହେଁ ଭୁବନେଶ୍ବର ରାଜ୍ୟର କ୍ରିଡା ରାଜଧାନୀ ହେବାକୁ ଯାଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ରରେ ଯିଏ ବି ସରକାରରେ ରହୁନା କାହିଁକି, ଓଡିଶାରେ ଟେଲିଫୋନ ନେଟୱାର୍କ ଦୁର୍ବଳ, ସବୁଠାରୁ କମ ରେଳ ନେଟୱର୍କ, ବ୍ୟାଙ୍କିଙ୍ଗ ଦୁର୍ବଳ ଏବଂ ଦୁର୍ବଳ ରାଜପଥ ଯୋଗାଯୋଗ ବ୍ୟବସ୍ଥା ରାଜ୍ୟର ବିକାଶ ପଥରେ ବାଧକ ସୃଷ୍ଟି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶିଳ୍ପ କରିଡର, କୋଇଲା ରୟାଲଟି ବୃଦ୍ଧି, ପାନୀୟ ଜଳ, ଜଳସେଚନ ଏବଂ କେବିକେ ଭଳି ପଛୁଆ ଅଂଚଳ ପାଇଁ ପାଣ୍ଠି କାଟ କରାଯିବା ରାଜ୍ୟର ବିକାଶ ପ୍ରକ୍ରିୟାରେ ଅନ୍ତରାୟ ସୃଷ୍ଟି କରୁଛି । ଏହାସହିତ ଓଡିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ବି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର କର୍ଣ୍ଣପାତ କରୁନି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିପାରିବ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଂଚାଦଶ ଅର୍ଥକମିନଙ୍କ ନିକଟରେ ଏକ ସ୍ମାରକପତ୍ର ଉପସ୍ଥାପନ କରିଛନ୍ତି ।

ସେ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟକୁ 42 ପ୍ରତିଶତ ବଦଳରେ 50 ପ୍ରତିଶତ ପ୍ରଦାନ, କେନ୍ଦ୍ର ଆଦାୟ କରୁଥିବା ସେସ୍ ଓ ସରଚାର୍ଜରୁ ରାଜ୍ୟକୁ ଅଂଶ, ରାଜ୍ୟକୁ କେନ୍ଦ୍ରୀୟ ଟିକସ ପ୍ରଦାନର ଆକାର ନିର୍ଦ୍ଧାରଣ ସମୟରେ 1971ର ଜନସଂଖ୍ୟାକୁ ଆଧାରକୁ ନେବା, ଜିଏସଟି କ୍ଷତିପୂରଣ ପ୍ରଦାନର ସମୟ ସୀମା 10 ବର୍ଷକୁ ବୃଦ୍ଧି ଏବଂ କୋଇଲା ଉତ୍ପାଦନକାରୀ ଜିଲ୍ଲାରେ ସବୁଜ ଟିକସରୁ ଆଦାୟ ଅର୍ଥ ଖର୍ଚ୍ଚ ଆଦି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

six − 3 =