ଅର୍ଥ କମିଶନ ପାଖରେ ରାଜ୍ୟର 7ଟି ଦାବି … କଣ ଜାଣନ୍ତୁ

ଭୁବନେଶ୍ୱର (): ପଞ୍ଚଦଶ ଅର୍ଥ କମିଶନରେ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଅର୍ଥ ଆବଣ୍ଟନ ସଂପର୍କରେ ଆଲୋଚନା କରିବାକୁ କମିଶନର ଅଧ୍ୟକ୍ଷ ଆଜିଠାରୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳମାନଙ୍କର ମତାମତ ଗ୍ରହଣ କରୁଛନ୍ତି । ଆସନ୍ତାକାଲି ରାଜ୍ୟ ସରକାରଙ୍କର ସହ ବୈଠକ । ଏହି ବୈଠକରେ ରାଜ୍ୟ ସରକାର କି ପ୍ରସ୍ତାବ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ, କମିଶନଙ୍କୁ ସରକାର ୭ଟି ପ୍ରମୁଖ ପ୍ରସ୍ତାବ ଦେବାକୁ ଯାଉଛନ୍ତି । ଏହି ସବୁ ପ୍ରସ୍ତାବ ମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ବୃଦ୍ଧି, ରାଜ୍ୟର ଆବଶ୍ୟକତା ଅନୁଯାୟୀ ଅନୁଦାନ ପ୍ରଦାନ, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ ପ୍ରଦାନ ନିର୍ଦ୍ଧାରଣ ଏବଂ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବୃଦ୍ଧି ଉପରେ ଦାବି ରଖାଯିବ ।

ଚତୁର୍ଦ୍ଦଶ ଅର୍ଥ କମିଶନ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୩୨%ରୁ ୪୨%କୁ ବୃଦ୍ଧି କରିଥିଲେ । ଏହାକୁ ପଞ୍ଚଦଶ ଅର୍ଥ କମିଶନ ସୁପାରିଶରେ ୫୦% କରିବାକୁ ରାଜ୍ୟ ସରକାର ଦାବି କରିବେ । କେନ୍ଦ୍ର ସରକାର ଆଦାୟ କରୁଥିବା ବିଭିନ୍ନ ସେସ୍ ଓ ସରଚାର୍ଜରୁ ରାଜ୍ୟକୁ ଅଂଶ ଦେବାକୁ ମଧ୍ୟ ଦାବି କରାଯିବ । ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟମାନଙ୍କୁ ଅନୁଦାନ ଦେବା ସମୟରେ ରାଜ୍ୟର ଜନସଂଖ୍ୟା, ଜଙ୍ଗଲ ଅଞ୍ଚଳ, ଆୟତନ ଓ ମୁଣ୍ଡପିଛା ଆୟକୁ ଆକଳନ କରି ଅନୁଦାନର ହାର ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର କମିଶନଙ୍କୁ ପ୍ରସ୍ତାବ ଦେବେ ।

ସେହିଭଳି ବିଭିନ୍ନ ରାଜ୍ୟକୁ ଦିଆଯାଉଥିବା ଅନୁଦାନ ରାଜ୍ୟର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯାଉ । ସବୁ ରାଜ୍ୟକୁ ସମାନ ଅନୁଦାନ ପ୍ରଦାନ ସମସ୍ତଙ୍କର ଆବଶ୍ୟକତାକୁ ପୂରଣ କରିବନାହିଁ । ଓଡିଶା କ୍ରମାଗତ ଭାବେ ବିପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କୁ ସ୍ୱତନ୍ତ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ କିନ୍ତୁ ଅର୍ଥ କମିଶନ ଅଗ୍ରାହ୍ୟ କରିଦେଇଥିଲେ । ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ମଧ୍ୟ ରାଜ୍ୟ ସରକାର ପୁଣି ଥରେ ଏହି ପ୍ରସ୍ତାବ ଉପସ୍ଥାପନ କରିବେ । ଏଥିସହ ଏସଡିଆରଏଫ୍ ପାଣ୍ଠିକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରାଯିବ । ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୧୬ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଏସଡିଆରଏଫ ପାଣ୍ଠିରେ ଓଡିଶାକୁ ୪,୦୩୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଗତବର୍ଷ ପର୍ଯ୍ୟନ୍ତ ଏସଡିଆରଏଫ ପାଣ୍ଠିରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଆର୍ଥିକ ବୋଝ ବହନ କରୁଥିଲେ । ଚଳିତବର୍ଷ କେନ୍ଦ୍ର ୯୦% ଅର୍ଥ ପ୍ରଦାନ କରୁଛି । ଏହାଦ୍ୱାରା ଚଳିତବର୍ଷ ଏସଡିଆରଏଫ ପାଣ୍ଠିରେ ଓଡିଶା କେନ୍ଦ୍ରରୁ ୮୬୫ କୋଟି ପାଇଥିଲା । କିନ୍ତୁ ରାଜ୍ୟର ବିପର୍ଯ୍ୟୟ ହାରକୁ ଦେଖି ଏସଡିଆରଏଫ ପାଣ୍ଠିର ୧୦ ହଜାର କୋଟିକୁ ବୃଦ୍ଧି କରିବାକୁ ଦାବି କରାଯିବ । ଏଥିସହିତ ଜିଏସଟି ଲାଗୁ ହେବା ପରେ କେନ୍ଦ୍ର ସରକାର ୫ ବର୍ଷ ପର୍ଯ୍ୟନ୍ତ ଜିଏସ୍ଟି କ୍ଷତିଭରଣା କରିବାକୁ ଜିଏସଟି କାଉନସିଲରେ ନିଷ୍ପତ୍ତି ହୋଇଛି । ଏହି କ୍ଷତିଭରଣା ସମୟସୀମାକୁ ୧୦ ବର୍ଷକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଦାବି କରିବେ ।

ଏହା ଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନର ଦାବି କରାଯିବ । ଏହାଦ୍ୱାରା ସେମାନଙ୍କ ଦକ୍ଷତା ବିକାଶ ଓ ଜୀବନଜୀବିକାର ମାନ ବୃଦ୍ଧି ପାଇପାରିବ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ବିଆରଜିଏଫ୍ ଓ କେବିକେ ଯୋଜନାର ପୁନଃ ପ୍ରଚଳନ, କୋଲ୍ ରୟାଲ୍ଟି ସଂଶୋଧନ, ଖଣି ପ୍ରଭାବିତ ଅଞ୍ଚଳ ପାଇଁ ସବୁଜ ଟିକସ ସହ ଚତୁର୍ଦ୍ଦଶ ଅର୍ଥ କମିଶନ ବନ୍ଦ କରିଥିବା ୮ଟିଯାକ ଯୋଜନାର ପୁନଃପ୍ରଚଳନ ପାଇଁ ମଧ୍ୟ ଦାବି କରାଯିବ ।

Share

Leave a Reply

Your email address will not be published. Required fields are marked *

fifteen − five =