ବିଜେପି ଚାପରେ ‘କାଳିଆ’ ଯୋଜନା ବନ୍ଦ

ପକ୍ଷପାତିତା ବିରୋଧରେ ନିର୍ବାଚନ କମିଶନରେ ଫେରାଦ ହେବ ବିଜେଡ଼ି

ଭୁବନେଶ୍ବର () : ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବିଜେପି ଦ୍ବାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ବିଜୁ ଜନତା ଦଳ ବାରମ୍ବାର ଅଭିଯୋଗ କରିଆସୁଛି । ତାହାର ଆଉ ଏକ ଜ୍ବଳନ୍ତ ପ୍ରମାଣ ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ‘କାଳିଆ’ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଥିବା ଜାଣିବାକୁ ମିଳିଛି । ସିଇଓ ଚାପରେ ପଡ଼ି ଏଭଳି କରିଛନ୍ତି । ଲକ୍ଷ ଲକ୍ଷ ଚାଷୀଙ୍କ ସ୍ବାର୍ଥକୁ ବଳି ଚଢ଼ାଇ ବିଜେପିର ଏଭଳି ହୀନ ରାଜନୀତି ଅତ୍ୟନ୍ତ ଦୁର୍ଭାଜ୍ୟଜନକ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ।

ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହେବ ବୋଲି ସେ କହଛନ୍ତି । ଡ. ପାତ୍ର କହିଛନ୍ତି, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ସେଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ନିଆଯାଇଥିଲା । ହିତାଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ସରିଥିଲା । ମାତ୍ର ଏବେ ହଠାତ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦର୍ଶ ଆଚରଣ ବିଧି କଥା ଉଠାଇ ‘କାଳିଆ’ ଯୋଜନା ସହାୟତାକୁ ବନ୍ଦ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଆମେ ଏଠି ପଚାରିବାକୁ ଚାହୁଁ ଯେ ‘କାଳିଆ’ ଯୋଜନାର ପଛରେ ଆସିଥିବା କେନ୍ଦ୍ର ବିଜେପି ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ର କାର୍ଯ୍ୟଶୈଳୀ ଏକାଭଳି  ହୋଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇନାହିଁ କାହିଁକି? ବିଜେପିର ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି କରିଥିବା ଏହା ସ୍ପଷ୍ଟ କରୁନାହିଁ କି?  ବିଜେପି ଚାପ ପ୍ରୟୋଗ କରି ‘କାଳିଆ’ ଯୋଜନା ବନ୍ଦ କରିବାକୁ ଉଦ୍ୟମ କରୁଥିବା ଆମେ ପୂର୍ବରୁ ଯେଉଁ ଆଶଙ୍କା କରୁଥିଲୁ, ତାହା ସତ୍ୟ ପ୍ରମାଣିତ ହେଲା ବୋଲି ଡ. ପାତ୍ର କହିଛନ୍ତି ।

ବିଜେପି ଚାଷୀଙ୍କ ସ୍ବାର୍ଥ ବିରୋଧୀ ଏହା ସମସ୍ତେ ଜାଣନ୍ତି । ‘କାଳିଆ’ ଯୋଜନାକୁ ବନ୍ଦ କରିବା ତାହାର ଏକ ବଳିଷ୍ଠ ପ୍ରମାଣ । ଏଥିଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସେମାନଙ୍କୁ କ୍ଷମା ଦେବେ ନାହିଁ । ଚାଷୀଙ୍କ ସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ବିଜେପି ସଂକୀର୍ଣ୍ଣ ରାଜନୀତି କରି ନିଜ ସପକ୍ଷରେ ସମର୍ଥନ ଗୋଟାଇବାକୁ ଚାହୁଁଛି । ମାତ୍ର ରାଜ୍ୟର ଚାଷୀକୂଳ ଏବଂ ସେମାନଙ୍କ ପରିବାର ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଡ. ପାତ୍ର କହିଛନ୍ତି । ଏ ପ୍ରସଙ୍ଗରେ ବିଜେଡ଼ି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବୋଲି ଡ. ପାତ୍ର ଜଣାଇବା ସହ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ ଅଧିକାରୀ କାହା ଚାପରେ ନପଡ଼ିବା ପାଇଁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 12 =