କଟକରୁ କାନାଡା ଚମକିବ ତାରକସି କାରୁକାର୍ଯ୍ୟ

କଟକ () କଳିଙ୍ଗ ଷ୍ଟାଡିଅମରେ ହକି ବିଶ୍ବ କପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ କଟକରେ ତିଆରି ଚାଲିଛି ହକି ବିଶ୍ବ କପର ସ୍ମୃତି ବା ମେମେଣ୍ଟୋ । ଚାନ୍ଦି ତାରକସିର ସୂକ୍ଷ୍ମ ଟ୍ରଫିମାନ ନିର୍ମାଣ କରୁଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଶିଳ୍ପୀ ପଙ୍କଜ କୁମାର ସାହୁ । ଯାହା ବିଶ୍ବର ବଡ ବଡ କିମ୍ବଦନ୍ତୀ କ୍ରୀଡାବିତଙ୍କ ହାତରେ ଶୋଭା ପାଇବ । କଟକରୁ କଳିଙ୍ଗ ଷ୍ଟାଡିଅମ, କଳିଙ୍ଗ ଷ୍ଟାଡିଅମରୁ କାନାଡା ଏମିତି ଚମକିବ ଓଡିଶାର ତାରକସି କାମ । ପୂର୍ବରୁ ତାରକସି ବିଶ୍ବ ବିଖ୍ୟାତ ଥିବା ବେଳେ ଏବେ ଲୋକପ୍ରିୟ ହେବ ଏହି ସୂକ୍ଷ୍ମ କାରୁକାର୍ଯ୍ୟ ।

ହକି ବିଶ୍ବ କପ ପାଇଁ ତିଆରି ଚାଲିଛି ଚାନ୍ଦି ତାରକାସିର ମେମେଣ୍ଟୋ। ସ୍ବତନ୍ତ୍ର ଧରଣର ୩ ପ୍ରକାରର ଡିଜାଇନରେ ନିର୍ମାଣ ହେଉଥିବା ଏହି ମେମେଣ୍ଟୋ ବିଭିନ୍ନ ଅତିଥି ଓ ଖେଳାଳୀଙ୍କୁ ପ୍ରଦାନ କରାଯିବ । ଆଉ ଏହାକୁ ତିଆରି କରୁଛନ୍ତି କଟକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ତାରକସି କାରୀଗର ପଙ୍କଜ କୁମାର ସାହୁ । ଏଥି ପାଇଁ ପଙ୍କଜଙ୍କୁ ଫୁରସତ ନାହିଁ । ମୋଟ ୨୭୫ଟି ମେମେଣ୍ଟୋ ତିଆରି କରାଯିବ। ନଭେମ୍ବର ୨୦ ସୁଦ୍ଧା ସମସ୍ତ ଅର୍ଡରର ଡେଲିଭରି ଦିଆଯିବ । ହକି ବିଶ୍ବ କପ ଭଳି ଏକ ମର୍ଯ୍ୟାଦା ଜନକ କ୍ରୀଡା ପାଇଁ ସେ ଟ୍ରଫି ନିର୍ମାଣ କରୁଥିବାରୁ ତାଙ୍କ ଛାତି କୁଣ୍ଢେ ମୋଟ । ଭୋକ ଶୋଷ ଭୁଲି ମଜ୍ଜି ଯାଇଛନ୍ତି ନିର୍ମାଣ କାମରେ । ଯେମିତି ଓଡିଶାର ନାମ ବିଶ୍ବରେ ଉଚ୍ଚା ରହୁ ଏହା ତାଙ୍କର ସ୍ବପ୍ନ। ୨୦୦୧ ମସିହାରେ ଦୁର୍ଘଟଣାରେ ଗୋଟିଏ ହାତ ହରାଇ ଥିବା ପଙ୍କଜ କେବେ ବି ହାରି ଯାଇ ନାହାନ୍ତି । ବିଶ୍ବ କପ ଭଳି କ୍ରୀଡାର ସ୍ମୃତି ତିଆରି କରି ସେ ବେଶ ଗର୍ବିତ ।

ଏହି ମେମେଣ୍ଟୋ ତିଆରି ଲାଗି ହସ୍ତଶିଳ୍ପ ବିଭାଗ ଅକ୍ଟୋବର ମାସରେ ଅର୍ଡର ଦେଇଥିଲା । ସେବେ ଠାରୁ ୧୫ ଜଣ କାରିଗର ଦିନରାତି ଏକ କରି ଏହାକୁ ଅତି ନିଖୁଣର ସହ ନିର୍ମାଣ କରୁଛନ୍ତି । ଯେଉଁଥିରେ ମହିଳା ବି ସାମିଲ ଅଛନ୍ତି । ମୋଟ ୪ , ୬ , ୮ ଇଞ୍ଚର ୩ଟି ଟ୍ରଫି ତିଆରି ଚାଲିଛି । ଏବେ ସୁଦ୍ଧା ୧୭୫ଟି ମେମେଣ୍ଟୋ ଡେଲିଭରି ସରଲାଣି । ବାକି ଶହେଟି ଟ୍ରଫି ତିଆରି ପାଇଁ ଦିନକୁ ୧୬ ଘଣ୍ଟା ପରିଶ୍ରମ କରି ତିଆରି କରୁଛନ୍ତି କାରିଗରମାନେ ।

Share

Leave a Reply

Your email address will not be published. Required fields are marked *

5 × 5 =