ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ସରକାର

ଭୁବନେଶ୍ବର () ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ଆଜି ଏକ ପ୍ରେସ୍‍ ବିବୃତ୍ତି ଜରିଆରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡିଶା ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ଦୀର୍ଘ ତିନି ଦଶନ୍ଧି ଧରି ଏଭଳି ନିରନ୍ତର ଉଦ୍ୟମ ଚାଲିଛି । ରାଜ୍ୟ ସରକାର ଏନେଇ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓ ସରକାର ସମସ୍ତ ଭିତ୍ତିଭୂମି ଏବଂ ମାନବସମ୍ବଳ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବୋଲି ଏହି ପ୍ରେସ ବିବୃତ୍ତିରେ କୁହାଯାଇଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଏ ସଂକ୍ରାନ୍ତରେ ଅନୁରୋଧ କରାଯାଇଛି । ବସ୍ତୁତଃ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାର ଓ ସଂସଦ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଇତି ମଧ୍ୟରେ ପଶ୍ଚିମାଞ୍ଚଳର ବିଭିନ୍ନ ସଂଗଠନ ଦ୍ବାରା ଗ୍ରହଣ କରାଯାଇଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ସର୍ବସାଧାରଣ ସେବା, ସରକାରୀ ଏବଂ ଅଦାଲତର କାର୍ଯ୍ୟ ବହୁଳଭାବରେ ବାଧାପ୍ରାପ୍ତ ହେବା ସଂଗେ ସଂଗେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ରାଜ୍ୟ ସରକାର ଅତୀତରେ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ତେଣୁ ସଂଗଠନ ଓ ଅନୁଷ୍ଠାନ ଗୁଡିକ ଆନ୍ଦୋଳନରୁ କ୍ଷାନ୍ତ ରହି ଲୋକଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ଜନସେବା, ସରକାରୀ କାର୍ଯ୍ୟାଳୟ ତଥା ଅଦାଲତ ଗୁଡିକର କାର୍ଯ୍ୟ ପରିଚାଳନାରେ ପୂର୍ଣ୍ଣ ସହଯୋଗ ଲାଗି ସରକାର ନିବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − two =