ଏବେ ସବୁଜ ମହାନଦୀ ମିଶନ

ଭୁବନେଶ୍ୱର () ସବୁଜ ମହାନଦୀ ମିଶନର ଦ୍ୱିତୀୟ ପର୍ଯ୍ୟାୟ ବନୀକରଣ କାର୍ଯ୍ୟକ୍ରମ,  ସହରାଂଚଳରେ ଏଲଇଡି ଲାଇଟର ବ୍ୟବସ୍ଥା କରିବା, ଶିଶୁଭବନ ଓ ମେଡ଼ିକାଲ କଲେଜର ନୂତନ ଗୃହ ନିର୍ମାଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।
ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ କହିଲେ ଯେ, ସବୁଜ ମହାନଦୀ ମିଶନର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷରେ ମହାନଦୀ ଏବଂ ଏହାର ଉପନଦୀ ତେଲ, ଇବ୍ ନଦୀ ଉପକୂଳର ଉଭୟ ପାଶ୍ୱର୍ରେ ୧ କି.ମି. ପ୍ରଶସ୍ତ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି । ଆସନ୍ତା ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ନଦୀ ଏବଂ ସେଗୁଡ଼ିକର ଶାଖା ଉପନଦୀ ମାନଙ୍କର ଉଭୟ ପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ବନୀକରଣ ଯୋଜନା କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଛି ।
ଏହି ଯୋଜନା ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବାର ଯୋଜନା ଅଛି । ଉକ୍ତ ଯୋଜନାରେ ୫ ବର୍ଷ ମଧ୍ୟରେ ୪୧ ହଜାର ୩ ଶହ ହେକ୍ଟର ଏବଂ ୧ ହଜାର ୪୧ କିମି. ପଥ ପାଶ୍ୱର୍ ବନୀକରଣ କରାଯିବ । ଯାହା ମଧ୍ୟରୁ ୧୦ ହଜାର ହେକ୍ଟର କୃତ୍ରିମ (ବୃକ୍ଷ) ପୂନଃ ସୃଜନ, ୩୦ ହଜାର ହେକ୍ଟର ପ୍ରାକୃତିକ (ବୃକ୍ଷ) ପୁନଃ ସୃଜନ, ୧୩ ହଜାର ହେକ୍ଟରରେ ବାଉଁଶ ବୃକ୍ଷ ରୋପଣ କରାଯିବାର ପ୍ରସ୍ତାବ ରହିଛି । ଏଥିରେ ସମୁଦାୟ ୪୪୫ କୋଟି ଟଙ୍କା ବ୍ୟୟ ହେବାର ଅଟକଳ କରାଯାଇଛି ।
ରାଜ୍ୟସ୍ତରରେ ସବୁଜ ମହାନଦୀ ମିଶନର ଉନ୍ନତି ଓ କାର୍ଯ୍ୟକାରିତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୧୨ ଜଣିଆ କମିଟି ଦ୍ୱାରା ପରିଚାଳିତ ହେବ । ଏହାର ନିୟମିତ ମାସିକ, ତ୍ରୈମାସିକ ଓ ବାର୍ଷିକ ନିରୀକ୍ଷଣ ରାଜ୍ୟ ସବୁଜ ମହାନଦୀ ମିଶନ କମିଟି କରିବ । ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ସବୁଜ ମହାନଦୀ ମିଶନ କମିଟି ଓ ପଂଚାୟତସ୍ତରୀୟ ସବୁଜ ମହାନଦୀ ମିଶନ କମିଟି ଦ୍ୱାରା ତଦାରଖ କରାଯିବ । ଏହି ବନୀକରଣ ଦ୍ୱାରା ଜଳ ସଂରକ୍ଷଣ କରାଯିବ । ୱାଟର ଲେବୁଲ ହ୍ରାସକୁ ରୋକାଯାଇ ପାରିବ ।
Share

Leave a Reply

Your email address will not be published. Required fields are marked *

twenty − 12 =