ମତଦାନରେ ବି ପରୁଷଙ୍କ ଠାରୁ ମହିଳା ଆଗରେ

ଦୁଇଟି ବୁଥରେ ହୋଇପାରେ ସାନି ମତଦାନ

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୩.୭୬ ପ୍ରତିଶତ ଭୋଟ୍‌ ଦାନ ହୋଇଛି। ଏଥିରେ ପୁରୁଷ ଭୋଟର ୭୩.୦୯ପ୍ରତିଶତ ହୋଇଥିବା ବେଳେ ୭୪.୪୩ ପ୍ରତିଶତ ମହିଳା ଭୋଟ୍‌ ଦେଇଛନ୍ତି। ଏହା ମହିଳାଙ୍କ ସଶକ୍ତିକରଣକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ବିଚାର କଲେ ନବରଙ୍ଗପୁରରେ ସର୍ବାଧିକ ପୁଲିଂ ହୋଇଥିବା ବେଳେ ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସବୁଠାରୁ କମ୍‌ ଭୋଟିଂ ହୋଇଛି । ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ କଳାହାଣ୍ଡି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୭୫.୮୨ ପ୍ରତିଶତ ଭୋଟ୍‌ ହୋଇଛି। ନବରଙ୍ଗପୁରରେ ୭୮.୮୯ ପ୍ରତିଶତ, କୋରାପୁଟରେ ୭୪.୭୭ ପ୍ରତିଶତ ଭୋଟ୍‌ ହୋଇଥିବା ବେଳେ ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ପୁଲିଂ ହୋଇଛି।

ରାଜ୍ୟର ଦୁଇଟି ନିର୍ବାଚନ ବୁଥରେ ପୁଣିଥରେ ଭୋଟ୍‌ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୁକ୍ତଙ୍କ ଅନୁମୋଦନ ମାଗିଛନ୍ତି। ଏହାବାଦ୍‌ ଅନ୍ୟ ବୁଥଗୁଡ଼ିକର ସ୍ଥିତି ବାବଦରେ ତର୍ଜମା ଚାଲିଛି ବୋଲି ସେ କହିଛନ୍ତି । ଏହିଦୁଇ ବୁଥ ଭିତରୁ ଗୋଟିଏ ମାଲକାନଗିରିରେ ଥିବାବେଳେ ଅନ୍ୟଟି ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ।

ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଘାଟିରୁ ଖଇରିପୁଟ- ପାଖାପାଖି ୧୪ କିଲୋମିଟରର ରାସ୍ତା, ପାହାଡ଼ିଆ। ଆଦିମ ବଣ୍ଡା ଘାଟିରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରି ଫେରୁଥିବା ପୁଲିଂ ପାର୍ଟିକୁ ଏହି ରାସ୍ତା ଦେଇ ଫେରିବାକୁ ପଡ଼ିଛି। ରାତିସାରା ଚାଲି ଚାଲି ବାର୍ଷାରେ ଓଦା ହୋଇ ସେମାନେ ଫେରିଛନ୍ତି ବୋଲି କହିଛନ୍ତି ପୁଲିଂ ପାର୍ଟି ସଦସ୍ୟ। ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କୁ ନିଜ ନିର୍ଧାରିତ ବାଟ ପରିବର୍ତ୍ତେ ବିକଳ୍ପ ବାଟରେ ଆସିବାକୁ ପଡ଼ିଥିଲା। ରାତିରେ ପାହାଡ଼ ଉପରେ ଶୋଇଥିବାବେଳେ ବର୍ଷା ହୋଇଥିଲା। ଏଥିରେ ଓଦା ହୋଇ ପରେ ସେମାନେ ପୁଣି ଚାଲିଥିଲେ। ନିଜେ କଷ୍ଟ ପାଇଥିଲେ ମଧ୍ୟ ସବୁ ମତ ସୁରକ୍ଷିତ ରହିଥିବା କହିଛନ୍ତି ପୁଲଇଂ ପାର୍ଟି।

ମାଓ ଅଞ୍ଚଳଗୁଡ଼ିକରେ ରାତି ଅଧଯାଏ ଭୋଟିଂ ଚାଲିବା ଏବଂ ଏହି ଅଞ୍ଚଳଗୁଡ଼ିକରେ ସୁଚାରୁ ରୂପେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ କୁମାର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଅଧିକାଂଶ ଅଞ୍ଚଳ ମାଓ ପ୍ରପୀଡ଼ିତ ଅଞ୍ଚଳ ଥିଲା। ବହୁତ ପୁଲିଂ ପାର୍ଟି ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁଚାରୁରୂପେ ଭୋଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ୯ଟି ପୁଲିଂ ପାର୍ଟି ରାତିରେ ସୁରକ୍ଷା ଦୃଷ୍ଟିରୁ ପାଦରେ ଚାଲି ଚାଲି ଆସିଛନ୍ତି। କିଛି ପୁଲିଂ ପାର୍ଟି ଆଜି ସକାଳେ ପହଞ୍ଚିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସେମାନେ ଯେଉଁ ଉଦ୍ୟମ କରିଛନ୍ତି ତାହା ପ୍ରଶଂସନୀୟ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ତଥ୍ୟ ହସ୍ତଗତ ହୋଇଛି ସେହି ଅନୁସାରେ ଆମେ ଦୁଇଟି ବୁଥ ପାଇଁ ଆଉଥରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମାଗିଛୁ। ପର୍ଯ୍ୟବେକ୍ଷକଙ୍କ ତଥ୍ୟକୁ ବିଚାର କରି ଏହି କାର୍ଯ୍ୟକ୍ରମ ଚାଲିଛି ବୋଲି କହିଛନ୍ତି ଶ୍ରୀ କୁମାର। ଗଣମାଧ୍ୟମକୁ କହିଛନ୍ତି ଯେଉଁ ଦୁଇଟି ବୁଥରେ ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ଭିତରେ ଗୋଟିଏ ମାଲକାନଗିରିରେ ରହିଥିବାବେଳେ ଅନ୍ୟଟି ଗଞ୍ଜାମ ଜିଲ୍ଲାରେ ରହିଛି। ଏଥିରୁ ଗୋଟିକରେ ଇଭିଏମ୍‌ ଫୋପାଡ଼ି ଦିଆଯାଇଥିଲା ଆଉ ଗୋଟିଏ ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା କହିଛନ୍ତି। ଅନ୍ୟ ଅଭିଯୋଗ ହୋଇଥିବା ବୁଥଗୁଡ଼ିକରେ ତର୍ଜମା ଚାଲିଛି। ଏହାପରେ ଆବଶ୍ୟକ ତଥ୍ୟ ଦିଆଯାଇପାରିବ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

5 × 5 =