୨୦୧୯ ସତ୍ୟପାଠ ଓଗାଳିଲା ବୈଜୟନ୍ତଙ୍କ ସତ

ଭୁବନେଶ୍ବର () ବିଜେପିର କେନ୍ଦ୍ରାପଡା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା 2014ରେ କେନ୍ଦ୍ରାପଡାବାସୀଙ୍କୁ ଠକିଛନ୍ତି । ଆଜି ବିଜେଡି ଏଭଳି ସାଙ୍ଘାତିକ ଅଭିଯୋଗ କରିଛି । 2014ରେ ବୈଜୟନ୍ତ ନିଜ ସତ୍ୟପାଠରେ ତଥ୍ୟ ଲୁଚାଇଥିଲେ ବୋଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । 2014ରେ ମିଛ ସତ୍ୟପାଠ ଦେଇ ଲୋକଙ୍କ ବିଶ୍ବାସ ସହ ଖେଳ ଖେଳିଥିବା ବୈଜୟନ୍ତ ପୁଣି ଥରେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଏଥର କେନ୍ଦ୍ରାପଡାବାସୀଙ୍କୁ ତାଙ୍କୁ କାହିଁକି ଠକିଥିଲେ ବୈଜୟନ୍ତଙ୍କୁ ପ୍ରଶ୍ନ କରୁଛନ୍ତି ।

2018 ମାର୍ଚ୍ଚରେ କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଲୋକ ପ୍ରତିନିଧି ଆଇନ 1951 ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । 2014 ନିର୍ବାଚନୀ ସତ୍ୟପାଠରେ ବୈଜୟନ୍ତ ନିଜର ପାରିବାରିକ ବ୍ୟବସ୍ଥାରେ ଥିବା ଭୂମୀକା ଲୁଚାଇଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ 2019 ନିର୍ବାଚନୀ ସତ୍ୟପାଠରେ ପ୍ରମାଣିତ ହୋଇଯାଇଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

2014 ସତ୍ୟପାଠରେ ବୈଜୟନ୍ତ ନିଜର ବୃତ୍ତି ଓ ପେଶା ସଂପର୍କରେ ଉଲ୍ଲେଖ କରିଥିଲେ ଯେ, ସେ ଜଣେ ଲୋକସଭା ସାଂସଦ ବୋଲି । କିନ୍ତୁ ସେ ସମୟରେ ସେ ନିଜ ପାରିବାରିକ କମ୍ପାନୀ ଇମ୍ଫାର ଉପାଧ୍ୟକ୍ଷ ଥିବା କଥା ଉଲ୍ଲେଖ କରିନଥିଲେ । ତେବେ ସତ୍ୟପାଠରେ ସେ ଜାଣିଶୁଣି ଏହି ତଥ୍ୟ ଲୁଚାଇବାରୁ ବିଭିନ୍ନ ମହଲରୁ ସମାଲୋଚନା ହେବା ସହ ମାମଲା ରୁଜୁ ହେବାରୁ ଏଥର ନିଜର ସତ୍ୟପାଠରେ ସେ ଏହା ଉଲ୍ଲେଖ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସସ୍ମିତ ଅଭିଯୋଗ କରିଛନ୍ତି ।

2019 ସତ୍ୟପାଠରେ ବୈଜୟନ୍ତ ଦର୍ଶାଇଛନ୍ତି ଯେ, ସେ ଇମ୍ଫାର ଉପାଧ୍ୟକ୍ଷ ଭାବେ ତିନି ବର୍ଷ ପାଇଁ ଅକ୍ଟୋବର 28, 2018ରୁ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ମାସିକ 17 ଲକ୍ଷ ଟଙ୍କା ଅର୍ଥାକ ବାର୍ଷିକ ପ୍ରାୟ 2 କୋଟି ଟଙ୍କା ପାରିଶ୍ରମିକ ପାଉଛନ୍ତି । କିନ୍ତୁ 2013-14 ଏବଂ 2014-15 ଇମ୍ଫାର ବାର୍ଷିକ ବିବରଣୀରେ ସେ ଉପାଧ୍ୟକ୍ଷ ଭାବେ 1.04 କୋଟି ଟଙ୍କା ଦରମା ପାଉଥିବା ଉଲ୍ଲେଖ କରାଯାଇଛି । ଏହାହିଁ ପ୍ରମାଣିତ କରୁଛି ଯେ, ବୈଜୟନ୍ତ ପଣ୍ଡା ନିଜ ପାରିବାରିକ ବ୍ୟବସାୟରେ ତାଙ୍କ ଭୂମିକା ସଂପର୍କରେ ଜାଣିଶୁଣି ତଥ୍ୟ ଲୁଚାଉଛନ୍ତି ବୋଲି ବିଜେଡି ମୁଖପାତ୍ର ଅଭିଯୋଗ କରିଛନ୍ତି ।

ଏହାପୂର୍ବରୁ ବୈଜୟନ୍ତ ପଣ୍ଡା ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା କହି ଆସୁଥିଲା ବିଜେଡି । ଏପରିକି ବୈଜୟନ୍ତ ଯେଉଁଭଳି ଭାବେ ସତ୍ୟପାଠରେ ଭୁଲ ତଥ୍ୟ ଦେଇ କେନ୍ଦ୍ରାପଡାବାସୀଙ୍କୁ ଅନ୍ଧାରରେ ରଖିଥିଲେ ତାହାକୁ ନେଇ ପ୍ରାର୍ଥୀ ଘୋଷଣା ବେଳେ ତେରଛା ବାଣ ମାରିଥିଲେ ବିଜେଡି ସୁପ୍ରିମୋ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଅନୁଭବଙ୍କ ନାଁ ଘୋଷଣା କଲାବେଳେ ନବୀନ କହିଥିଲେ, ଅନୁଭବ କେବଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ ଲୁଚାଇବା ପାଇଁ କିଛି ନାହିଁ । ମାଇନିଂ କଂପାନୀରେ କାମ କରି ସାଲାରୀ ନେବା ଆଉ ତାକୁ ଲୁଚାଇବା ଭଳି କାମ ସେ କରିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

7 − four =