ଅସହ୍ୟ ଗରମରୁ ଶୀଘ୍ର ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି

ଅସହ୍ୟ ଗରମରୁ ଶୀଘ୍ର ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଗତ ଦୁଇ ଦିନ ହେଲା ବାତ୍ୟ ଆଶଙ୍କାରେ ଅସହ୍ୟ ଗରମରୁ ନିସ୍ତାର ମିଳିଥିବା ବେଳେ, ଏବେ ଏଥର ଆଗୁଆ ମୌସମୀ ଆସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସମ୍ଭବତଃ ମେ ମାସ ଶେଷ ସପ୍ତାହରେ ଆସିପାରେ । ଚଳିତ ମାସ ଶେଷ ଆଡ଼କୁ ତାପମାତ୍ରା କମିବ ବୋଲି କହିଛନ୍ତି ସିଇସି ଡ. ଶରତ ଚନ୍ଦ୍ର ସାହୁ । ଡ. ସାହୁ କହିଛନ୍ତି ଯେ, ଏଥର ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ରହିଛି । ମେ ମାସ ଶେଷ ଆଡକୁ ରାଜ୍ୟରେ ତାପମାତ୍ରା କମିଯିବ । ଯାହା ଦ୍ୱାରା ମୌସମୀ ଆସିବା ସହଜ ହେବ । ଏହାକୁ ନେଇ ବିଭିନ୍ନ ମଡେଲରୁ ଅନୁମାନ କରାଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ବାତ୍ୟା ଆଶଙ୍କା ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଶନିବାର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ବାତ୍ୟା ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଏ ଯାଏ ସ୍ପଷ୍ଟ ହୋଇନି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ରଟି ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାହା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର। ବାତ୍ୟାର କେନ୍ଦ୍ରସ୍ଥଳରେ ୮୦ରୁ ୯୦ କିମି ବେଗରେ ପବନ ବହିପାରେ । ତେବେ ବାତ୍ୟା କେଉଁଠି ଉପକୂଳ ଛୁଇଁବ, କେବେ ଛୁଇଁବ ଓ ଏହାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନି।

Share

Leave a Reply

Your email address will not be published. Required fields are marked *

seventeen − seven =