ଓଡ଼ିଶାରେ କାହିଁକି ବଢୁଛି ନୋଟା ଭୋଟ୍

ଭୁବନେଶ୍ୱର (): ରାଜ୍ୟରେ ଗତ ନିର୍ବାଚନ ତୁଳନାରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ‘ନୋଟା’ (ନନ୍ ଅଫ୍ ଦି ଏବଭ) ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକି ଚିନ୍ତାର କାରଣ ହୋଇଛି । ଏହି ମତଦାତା ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଥିବାବେଳେ ବିଶେଷକରି ବିକାଶଠାରୁ ଦୂରରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ସର୍ବାଧିକ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି ।
ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ୪୨.୭୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୩୮.୩୭ ପ୍ରତିଶତ ଓ କଂଗ୍ରେସ ୧୩.୧୮ ପ୍ରତିଶତ ଭୋଟ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନୋଟା ରେ ୧.୩୧% ଭୋଟ ପଡିଛି । ଏହି ଭୋଟ ସଂଖ୍ୟା ୩ ଲକ୍ଷ ୧୦ ହଜାର ୮୨୪ ବୋଲି ଜଣାପଡିଛି ।

ନୋଟା ଭୋଟକୁ ଅନୁଧ୍ୟାନ କଲେ ଜଣାପଡିଛି ଯେ, ଅନେକ ନିର୍ବାଚନ ମଣ୍ଡଳୀରେ ନୋଟା ଭୋଟ୍ ବିଜୟୀ ଓ ପରାଜୟୀ ପ୍ରାର୍ଥୀ ଭିତରେ ଥିବା ପାର୍ଥକ୍ୟଠାରୁ ଅଧିକ ରହିଛି । ରାଜ୍ୟର ସବୁଠାରୁ ଅବହେଳିତ କୁହାଯାଉଥିବା ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୪୨,୯୦୦ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । କିନ୍ତୁ ଏଠାରେ ନୋଟା ଭୋଟ ସଂଖ୍ୟା ୪୪,୫୮୨ ରହିଛି ।

ସେହିପରି ଅନ୍ୟ ଏକ ଅନୁନ୍ନତ ଅଞ୍ଚଳ କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ମାତ୍ର ୩,୬୧୩ ଭୋଟରେ ବିଜୟୀ ହୋଇଛନ୍ତି । କିନ୍ତୁ ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ନୋଟା ଭୋଟ୍ ସଂଖ୍ୟା ବିଜୟୀ ପ୍ରାର୍ଥୀଙ୍କ ଆଗୁଆ ଥିବା ଭୋଟଠାରୁ ପ୍ରାୟ ୧୨ ଗୁଣରୁ ଅଧିକ । କୋରାପୁଟରେ ୩୬,୫୬୧ଟି ଭୋଟ ନୋଟାକୁ ଯାଇଥିବା ଜଣାପଡିଛି । ସେହିପରି ସମ୍ବଲପୁରରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ୯,୧୬୨ ଖଣ୍ଡ ଭୋଟ୍ ଅଧିକ ପାଇ ବିଜୟୀ ହୋଇଛନ୍ତି । ଏଠାରେ ମଧ୍ୟ ନୋଟା ଭୋଟ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଭୋଟଠାରୁ ଅଧିକ ।

ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ମତଦାତାମାନଙ୍କର ନୋଟା ଭୋଟହାର ବୃଦ୍ଧି ପାଇଛି । ଚଳିତ ନିର୍ବାଚନରେ ଏହି ସବୁ ଜିଲ୍ଲାରେ ଥିବା ଲୋକସଭା ନିର୍ବାଚନମଣ୍ଡଳୀରେ ନୋଟା ଭୋଟ୍ ହାର ବୃଦ୍ଧି ପାଇଛି । ଏହି ଭୋଟ ପରିମାଣ ୧,୦୨୩୪୨ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି ।

ମାଓବାଦୀ ଅଞ୍ଚଳରେ ଲୋକମାନେ ଏତେ ଶିକ୍ଷିତ ହୋଇନଥିବାରୁ ସେମାନେ କିପରି ନୋଟାଭୋଟକୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ପସନ୍ଦ କରିଛନ୍ତି ତାହା ରାଜନୀତିକ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ସମାଜ ବିଜ୍ଞାନୀମାନଙ୍କ କହିବା ଅନୁସାରେ ରାଜ୍ୟର ଅନୁନ୍ନତ ଅଞ୍ଚଳରେ ଏବେବି ମାଓବାଦୀଙ୍କ ପ୍ରଭାବ ଅତୁଟ ରହିଛି । ତେଣୁ ଆଦିବାସୀ ମତଦାତାମାନେ ମାଓବାଦୀଙ୍କ ପ୍ରରୋଚନାରେ ନୋଟା ଭୋଟକୁ ପସନ୍ଦ କରୁଛନ୍ତି । ଅପରପକ୍ଷରେ ରାଜନୈତିକ ଦଳମାନେ ଏହି ଅନୁନ୍ନତ ଅଞ୍ଚଳରେ ଯେଉଁ ପ୍ରାର୍ଥୀ ଛିଡା କରାଉଛନ୍ତି ସେମାନେ ଶିକ୍ଷିତ ଲୋକମାନଙ୍କର ପସନ୍ଦର ହେଉନଥିବାରୁ ସେମାନେ ମଧ୍ୟ ନୋଟାକୁ ଭୋଟ ଦେଉଥିବା ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

seventeen − twelve =