କିଏ ହେବ ବିରୋଧିଦଳ ନେତା, ଦ୍ବନ୍ଦ୍ବରେ ବିଜେପି

ଭୁବନେଶ୍ୱର () : ବିଧାନସଭାର ନୂତନ ଅଧିବେଶନ ପାଇଁ ଦିନ ଧାର୍ଯ୍ୟ ହୋଇ ସାରିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେପି ବିଧାନସଭାରେ କାହାକୁ ନେତା କରିବ ତାହା ସ୍ଥିର କରିପାରି ନାହିଁ । ଜୟନାରାୟଣ ମିଶ୍ରଙ୍କୁ ବିଜେପି ବିରୋଧିଦଳ ନେତା କରିବ କି ଅନ୍ୟ କାହାକୁ ଏହି ପଦରେ ବସାଇବ ତାହାକୁ ନେଇ ଦଳରେ ଟଣାଓଟରା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଚଳିତ ନିର୍ବାଚନରେ ବିଜେପି ବିଧାନସଭାରେ ୨୩ଟି ବିଧାୟକ ପଦବ ହାତେଇ କଂଗ୍ରେସ ଠାରୁ ବିରୋଧିଦଳ ନେତା ପଦବୀ ଏକ ପ୍ରକାର ଛଡାଇ ନେଇଛି । କଂଗ୍ରେସକୁ ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ବିଜେପିର ନିର୍ବାଚନ ଜିଣିଥିବା ସମସ୍ତ ବିଧାୟକ ହେଉଛନ୍ତି ଚଳିତ ବିଧାନସଭାରେ ନୂଆ । ଏମାନଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ମନ୍ତ୍ରୀ ଅଛନ୍ତି । ଜଣେ ହେଲେ ସମ୍ବଲପୁରର ବିଧାୟକ ଜୟନାରାଣ ମିଶ୍ର ଓ ଅନ୍ୟଜଣେ ହେଲେ ପ୍ରଦୀପ ନାୟକ । ଶ୍ରୀ ମିଶ୍ର ମିଳିତ ସରକାରରେ ପରିବହନ ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ଶ୍ରମ ମନ୍ତ୍ରୀ ଥିଲେ । ହେଲେ ବରିଷ୍ଠତା ଓ ଅଭିଜ୍ଞତା ସହିତ ନେତା ପଦ ଦୌଡରେ ଶ୍ରୀ ମିଶ୍ର ଅନ୍ୟ ସଦସ୍ୟମାନଙ୍କ ଠାରୁ ଆଗରେ ରହିଛନ୍ତି ।

କେବଳ ବିରୋଧିଦଳ ନେତା ନୁହେଁ, ବିଧାନସଭାରେ ଦଳକୁ ଉପନେତା, ମୁଖ୍ୟ ସଚେତକ ଓ ସଚିବ ଆଦି ପଦବୀ ପାଇଁ ବିଧାୟକମାନଙ୍କୁ ବାଛିବାକୁ ପଡିବ । ବିଧାନସଭା ଅଧିବେଶନ ପୂର୍ବରୁ ଏସବୁ କାମ ସାରିବାକୁ ପଡିବ । ବିରୋଧିଦଳ ନେତା ଭାବେ ବିଜେପି କାହାକୁ ଚୟନ କରିନଥିବାରୁ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ନେତା ନରସିଂହ ମିଶ୍ର ବକ୍ତବ୍ୟ ରଖୁଥିବାବେଳେ ବିଜେପିର କିନ୍ତୁ କୌଣସି ବିଧାୟକ କିଛି ମୁହଁ ଖୋଲୁ ନାହାନ୍ତି । ବିରୋଧିଦଳ ନେତା ଘୋଷଣା ହେଲେ ସିଏ ଦଳପାଇଁ ସ୍ପଷ୍ଟ ମତ ରଖିପାରନ୍ତେ ।

ସୂଚନା ଅନୁଯାୟୀ ବିଜେପି କାହାକୁ ବିରୋଧିଦଳ ନେତା କରିବ ତାହା ଚୂଡାନ୍ତ ହୋଇପାରୁ ନାହିଁ । ଜୟ ନାରାୟଣ ମିଶ୍ରଙ୍କ ନାମ ସବୁଠାରୁ ଆଗରେ ରହିଥିବାବେଳେ ତାଙ୍କୁ କିନ୍ତୁ ଦଳର ଗୋଟିଏ ବଡ ଗୋଷ୍ଠି ବିରୋଧ କରୁଛନ୍ତି । ବିରୋଧିଙ୍କ ସହିତ ପଶ୍ଚିମଓଡିଶାର ଜଣେ ଟାଣୁଆ ନେତା ରହିଥିବା ହେତୁ ଜୟନାରାୟଣଙ୍କ ନାଁରେ ମୋହର ବସିପାରୁ ନାହିଁ । ଏଥି ସହିତ ଅନ୍ୟମାନଙ୍କ ନାମ ବି ଚୂଡାନ୍ତ ହୋଇପାରୁ ନାହିଁ । ନୂଆ ଅଧିବେଶନ ପାଇଁ ବିଧାୟକମାନେ ପ୍ରଶ୍ନପତ୍ର ଦାଖଲ ଆରମ୍ଭ କରିଥିବାବେଳେ ବିଜେପି ବିଧାୟକଙ୍କ ଏଭଳି ଆଚରଣ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଲ୍ଲେକନୀୟ ଯେ ଗତ ବିଧାନସଭାରେ ବିଜେପିର ମାତ୍ର ୧୦ଜଣ ବିଧାୟକ ଥିବାବେଳେ କନକବର୍ଦ୍ଧନ ସିଂହଦେଓ ଦଳର ନେତା ଥିଲେ । ହେଲେ ଏଥର ଶ୍ରୀ ସିଂହଦେଓଙ୍କ ସମେତ ଅନ୍ୟ ବିଧାୟକମାନେ ଗୃହକୁ ଆସିବାକୁ ସକ୍ଷମ ହୋଇ ନାହାନ୍ତି । ଦ୍ୱିତୀୟ ସର୍ବବୃହତ ଦଳ ଭାବେ ବିଜେପି ୨୩ଟି ଆସନ ପାଇଥିବାବେଳେ ରାଜ୍ୟବାସୀ ଏବେ ବିରୋଧିଦଳର କାର୍ଯ୍ୟ ଉପରେ ନଜର ରଖିଛନ୍ତି । ହେଲେ ଦଳ ଗୃହରେ କାହାକୁ ନେତା କରିବ ତାହା ସ୍ଥିର ହୋଇପାରୁନଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

three × 5 =