ଖାତା ନାହିଁ, ଖତିଆନ ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ଲୋଭ

ଭୁବନେଶ୍ୱର : ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କୁ ଟକ୍କର ଦେବାପାଇଁ ଚାଲିଛି ମେଣ୍ଟ ଗଠନ ଯୋଜନା । ହେଲେ ଏହି ମେଣ୍ଟର ବେଣ୍ଟ ବା ନେତା କିଏ ହେବ ତାହାକୁ ନେଇ ଅଙ୍କକଷା ଛିଡୁ ନଥିବାରୁ ମେଣ୍ଟର କଣ୍ଟ ତାରିଖ ଘୁଞ୍ଚି ଘୁଞ୍ଚ ଯାଉଛି । ସମୟ ଯେତେ ଗଡୁଛି ମେଣ୍ଟ ସେତେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛି ।
ନବୀନଙ୍କୁ ଗାଦିରୁ ହଟାଇବାପାଇଁ ଅଣ୍ଟା ଭିଡିଥିବା ଖାରବେଳ-ଦାମୋଦର-ବ୍ରଜ-ବୈଜୟନ୍ତ ମିଶି ମେଣ୍ଟ ତିଆରି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏହି ମେଣ୍ଟରେ ପରବର୍ତ୍ତୀ ସମୟରେ ଅନେକ ନେତା ଯୋଗଦେବେ ବୋଲି କୁହାଯାଉଛି । କିନ୍ତୁ ମେଣ୍ଟର ବେଣ୍ଟ ଅର୍ଥାତ୍‍ ନେତା କିଏ ହେବ ତାହାକୁ ନେଇ ଚାଲିଛି ଅଙ୍କକଷା । ଏହି ମେଣ୍ଟ ଗଠନ କରିବାକୁ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନେ ସମସ୍ତେ ମଝବୁତ ବେଣ୍ଟ ହେବାକୁ ଯୋଗ୍ୟ ।
ଖାରବେଳ ସ୍ୱାଇଁ ହେଉଛନ୍ତି ପୂର୍ବତନ ସାଂସଦ ଓ ଉକ୍ରଳ ଭାରତ ପାର୍ଟିର ଅଧ୍ୟକ୍ଷ । ସିଏ ଏବେ ରାଜ୍ୟସାରା ବୁଲି ବୁଲି ବିଜେଡି ସରକାର ଓ ମୋଦି ସରକାରର ଶ୍ରାଦ୍ଧ କରୁଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ତାଙ୍କୁ ବିରୋଧ ସହିବାକୁ ବି ପଡୁଛି । ଅନୁରୂପ ସ୍ଥିତିରେ ଅଛନ୍ତି ଦାମୋଦର । ରାଜ୍ୟର ଏହି ପୂର୍ବତନ ମନ୍ତ୍ରୀ ବିଜେଡିରୁ ବିଦା ହେବାପରେ ତାଙ୍କର ମିଶନ ମଧ୍ୟ ନବୀନ ହଟାଅ । ଦଳରୁ ଯିବାପରେ ତାଙ୍କ ଠାରେ ଯେଉଁ ଯୋଶ୍‍ ଥିଲା ତାହା ଧିରେ ଧିରେ କମିବାରେ ଲାଗିଛି । ଯେଉଁମାନେ ତାଙ୍କୁ ନେଇ ରାଜ୍ୟସାରା ସଭା ସମିତିମାନ କରୁଥିଲେ ସେମାନେ ଏବେ ଧିରେ ଧିରେ ହାତ ଛାଡିଲେଣି । ଅନେକଙ୍କର ସ୍ୱାର୍ଥ ହାସଲ ହେବାପରେ ଦାମଙ୍କ ଠାରୁ ଦୂରେଇ ଯାଉଥିବା କୁହାଯାଉଛି ।
ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନାମ ମଧ୍ୟ ମେଣ୍ଟପାଇଁ ଚର୍ଚ୍ଚା ହେଉଛି । ହେଲେନ ନିକଟରେ ଦାମ-ବ୍ରଜ ମିଶି ଗଢିଥିବା ରାଜନୈତିକଦଳ ବିଜୁ ସମତାକ୍ରାନ୍ତି ରାଜ୍ୟରେ କ୍ରାନ୍ତି ଆଣିବା ପୂର୍ବରୁ ଭାଙ୍ଗିଯାଇଛି । ତେଣୁ ଏହି ଦୁଇ ନେତା କିଭଳି ଭାବେ ମେଣ୍ଟରେ ରହି ଗୋଟିଏ ଘାଟରେ ପାଣି ପିଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ଚତୁର୍ଥ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସିଏ ମଧ୍ୟ ଏମାନଙ୍କ ଠାରୁ ଅଧିକ କ୍ଷମତାଶାଳୀ । ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସହିତ ଶିଳ୍ପ କାରଖାନା ବି ତାଙ୍କ ହାତରେ ରହିଛି । ନେତୃତ୍ୱ ନେବାପାଇଁ ତାଙ୍କ ନାମ ସବୁଠାରୁ ଆଗରେ ଚର୍ଚ୍ଚା ହେଉଛି ।
ଆଉ ଯେଉଁ ଦୁଇଜଣ ମେଣ୍ଟ ବାହାରେ ରହିଲେ ବି ଚର୍ଚ୍ଚାରେ ଅଛନ୍ତି ସେମାନେ ହେଲେ ବିଜେପି ଛାଡିଥିବା ଦିଲ୍ଲୀପ-ବିଜୟ । ଏହି ଯୋଡି କିନ୍ତୁ ମେଣ୍ଟକୁ ଆସିବା ବଦଳରେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି । ସେମାନେ ବି ସୁଯୋଗ ଅପେକ୍ଷାରେ ଥିବା ଲକ୍ଷ୍ୟ କରାଯାଉଛି । ଯଦି ବି ସେମାନେ ମେଣ୍ଟକୁ ଆସିବେ ନେତୃତ୍ୱ ନେବାପାଇଁ ସେମାନଙ୍କ ନିକଟରେ ଯୋଗ୍ୟତାର ଅଭାବ ନାହିଁ । ତେଣୁ ମେଣ୍ଟରେ ବେଣ୍ଟ ହେବାପାଇଁ ସମସ୍ତେ ଜଣେ ଜଣେ ଯୋଗ୍ୟତମ ବ୍ୟକ୍ତି । ଏମାନଙ୍କ ଭିତରେ ଭାଗବଣ୍ଟା ଛିଡିଲାପରେ ଯାଇ ମେଣ୍ଟ ହେବ । ତେଣୁ ଅତି କମ୍‍ରେ ନିର୍ବାଚନ ପୂର୍ବରୁ ଏମାନେ ଜଣଙ୍କ ହାତରେ କ୍ଷମତା ଦେଇ ନବୀନ ହଟାଅ ଅଭିଯାନ ଆରମ୍ଭ କରିବାର ସମ୍ଭାବନା ଏକ ପ୍ରକାର କ୍ଷୀଣ ।
Share

Leave a Reply

Your email address will not be published. Required fields are marked *

four + seven =