ବିଦ୍ୟୁତ ଶୁଳ୍ପ ଅପରିବର୍ତ୍ତିତ

ଭୁବନେଶ୍ୱର () ଚଳିତ ବର୍ଷ ପାଇଁ ବି ବିଦ୍ୟୁତ ଶୁଳ୍ପ ଅପରିବର୍ତ୍ତିତ ରହିଛି । ଆଜି ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ପ୍ରେସ ଇସ୍ତାହାରରେ ଏହି ସୂଚନା ଦିଆଯାଇଛି । ଗତ ବର୍ଷ ଭଳି ୨୦୧୯-୨୦ରେ ମଧ୍ୟ ବିଦ୍ୟୁତ ଶୁଳ୍କରେ ବୃଦ୍ଧି କରାଯାଇନାହିଁ । ବରଂ ଗ୍ରାହକମାନେ ଡିଜିଟାଲ ପେମେଣ୍ଟ କିମ୍ବା ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ଶୁଳ୍କ ପୈଠ କଲେ କିଛିଟା ରିହାତି ପାଇପାରିବେ । ଏହି ତାରିଫ ଜୁନ ଏକ ତାରିଖରୁ ଲାଗୁ ହେବ ।

ଗତ ମାର୍ଚ୍ଚ ୨୯ ତାରିଖରୁ ତିନୋଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନୀ ଓ ସେସୁର ଆବେଦନ ଶୁଣାଣୀ ସାରି ଶୁଳ୍ପ ନିର୍ଦ୍ଧାରଣ ନିଷ୍ପତ୍ତି ହୋଇସାରିଥିଲେ ବି ନିର୍ବାଚନ ଆଚରଣବିଧି ପାଇଁ ଏହାକୁ ପ୍ରକାଶ କରାଯାଉନଥିଲା । ଆଜି ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ଶୁଳ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଗତ ବର୍ଷ ଭଳି ଏବର୍ଷ ବି ବିଦ୍ୟୁତ ଦେୟରେ କୌଣସି ବୃଦ୍ଧି କରାଯାଇନାହିଁ । ଓଡିଶା ଜଳ ବିଦ୍ୟୁତ ନିଗମ ପାଇଁ ଉତ୍ପାଦନ ଶୁଳ୍କରେ ହାରାହାରି ୧ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଓପିଜିସିର ଉତ୍ପାଦନ ଶୁଳ୍ପରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି ।

ସିଙ୍ଗଲ ଫେଜ ଘରୋଇ ଉପଭୋକ୍ତାମାନେ ନିୟମିତ ପ୍ରତି ମାସରେ ବିଦ୍ୟୁତ ଶୁଳ୍କ ପୈଠ କଲେ ସେମାନେ ମାର୍ଚ୍ଚ ମାସରେ ପାଉଥିବା ରିହାତି ଭଳି ରିହାତି ପାଇବେ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ରିହାତି ହାରକୁ ୧ ପ୍ରତିଶତରୁ ୨ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବଣ୍ଟନ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଉଥିବା ମିଟର ପାଇଁ ମିଟର ଭଡା ମାତ୍ର ୬୦ ମାସ ପାଇଁ ସଂଗ୍ରହ କରାଯିବ ବୋଲି ଆୟୋଗ କହିଛନ୍ତି । ନୂଆ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ପାଞ୍ଚ କିଲୋଓାଟ ପର୍ଯ୍ୟନ୍ତ ଏଲଟି ଲାଇନ ପାଇଁ ୧୫୦୦ ଟଙ୍କା ଏବଂ ୨୫ ପ୍ରତିଶତ ପ୍ରୋସେସିଂ ଫି ଦେବାକୁ ପଡିବ । ଘରୋଇ ଉପଭୋକ୍ତାଙ୍କ ପାଇଁ ଏଲଟି କନେକ୍ସନ, କୃଷି କ୍ଷେତ୍ରରେ ବିଦ୍ୟୁତ ସଂଯୋଗ ପାଇଁ ତକ୍ରାଳ ଯୋଜନା ପୂର୍ବଭଳି ଜାରି ରହିବ ।

ତିନି ଫେଜ ଲାଇନ ସହ ଷ୍ଟାଟିକ ମିଟର ନେଇଥିବା ଉପଭୋକ୍ତା ମଧ୍ୟରାତ୍ରୀରୁ ସକାଳ ୬ଟା ପର୍ଯ୍ୟନ୍ତ ପୂର୍ବବତ ଟାଇମ ଅଫ ଡେ ରିହାତି ପାଇବେ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ହଷ୍ଟେଲ ପାଇଁ ମୂଳ ରିହାତି ସହ ପ୍ରତି ୟୁନିଟରେ ୨ଟଙ୍କା ୪୦ ପଇସାର ଅତିରିକ୍ତ ରିହାତି ପ୍ରଦାନ କରାଯିବ । ସ୍ୱଜଳ ଧାରା ଉପଭୋକ୍ତାମାନେ ମଧ୍ୟ ନିର୍ଦ୍ଧାରିତ ସମୟରେ ଦେୟ ପୈଠ କଲେ ମୂଳ ରିହାତି ସହ ୧୦ ପ୍ରତିଶତ ସ୍ୱତନ୍ତ୍ର ରିହାତି ପାଇପାରିବେ । ସେହିଭଳି ଶିତଳ ଭଣ୍ଡାର ସହ ସଂଯୁକ୍ତ ହୋଇ ରହିଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକ ପାଇଁ କୃଷିଶିଳ୍ପ ହାରରେ ଶୁଳ୍କ ନିର୍ଦ୍ଧାରଣ ହେବ । ୭୦ କିଲୋ ଭୋଟଲରୁ କମ ବିଦ୍ୟୁତ ବ୍ୟବହାର କରୁଥିବା ସାଧାରଣ ଉପଭୋକ୍ତାଙ୍କୁ ଏଲଟି ଉପଭୋକ୍ତା ଭାବେ ଗ୍ରହଣ କରାଯାଇ ଶୁଳ୍କ ନିର୍ଦ୍ଧାରଣ କରାଯିବ ।

କୁଟିର ଜ୍ୟୋତି ଯୋଜନାରେ ପୂୂର୍ବପରି ମାସକୁ ୮୦ ଟଙ୍କା ବିଦ୍ୟୁତ ଶୁଳ୍କ ଦେବାକୁ ପଡିବ । ଏଲଟି ଲାଇନରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ବିଦ୍ୟୁତ ଶୁଳ୍ପ ୨ଟଙ୍କା ୫୦ ପଇସା ହୋଇଥିବା ବେଳେ ୫୦ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ୩୦ ପଇସା, ୪୦୦ ୟୁନିଟ ପରେ ୟୁନିଟ ପିଛା ଶୁଳ୍କ ୫ଟଙ୍କା ୭୦ ପଇସା ରହିଛି । ଘରୋଇ ଏଚଟି କନେକ୍ସନ ପାଇଁ ୟୁନିଟ ପିଛା ଦର ୪ଟଙ୍କା ୪୦ ପଇସା ରହିଥିବା ବେଳେ ଜଳସେଚନ କିମ୍ବା କୃଷି ପାଇଁ ୟୁନିଟ ପିଛା ଦର ରହିଛି ୧ଟଙ୍କା ୪୦ ପଇସା । କୃଷି ସଂପର୍କିତ ଶିଳ୍ପ ପାଇଁ ୟୁନିଟ ପିଛା ଦର ରହିଛି ୧ଟଙ୍କା ୫୦ ପଇସା । ଶିଳ୍ପ କ୍ଷେତ୍ରରେ ଏଲଟି ଲାଇନ ପାଇଁ ୨୨ କିଲୋଓାଟରୁ ୧୧୦ କିଲୋଭୋଲଟ ପାଇଁ କିଲୋଓାଟ ପିଛା ୨୨ ଟଙ୍କା ଦର ରହିଛି । ତେବେ ବୃହତ ଶିଳ୍ପ ପାଇଁ ଏକ୍ସଟ୍ରା ହାଇଟେନସ ଲାଇନ ପାଇଁ ଦର ପୂର୍ବଭଳି କିଲୋଭୋଟ ପିଛା ୨୫୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

thirteen − nine =